ଟୋକିଓ: ଓଡ଼ିଆ ତାରକା ପ୍ରମୋଦ ଭଗତ ଟୋକିଓ ପାରାଲିମ୍ପିକ୍ସ ପୁରୁଷ ଏକକ ବ୍ୟାଡମିଣ୍ଟନର ସେମିଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ବୁଧବାର ନିଜ ଦ୍ବିତୀୟ ଗ୍ରୁପ୍-ଏ’ ମ୍ୟାଚ୍‌ରେ ୟୁକ୍ରେନର ଆଲେକଜାଣ୍ଡାର ଚିରକୋଭଙ୍କୁ ୨୧-୧୨, ୨୧-୯ରେ ପରାସ୍ତ କରି ଏସ୍‌ଏଲ୍-୩ ବର୍ଗର ଶ୍ରେଷ୍ଠ ୪ ଖେଳାଳିଙ୍କ ମଧ୍ୟରେ ସ୍ଥାନ ସୁରକ୍ଷିତ କରିନେଇଛନ୍ତି ସେ। ଫଳରେ ରାଜ୍ୟ ପାଇଁ ପ୍ରଥମ ପାରାଲିମ୍ପିକ୍ସ ପଦକ ଜିତିବାର ଆହୁରି ନିକଟତର ହୋଇଛନ୍ତି । ଏହି ମ୍ୟାଚ୍ ଜିତିବାକୁ ମାତ୍ର ୨୬ ମିନିଟ୍ ସମୟ ନେଇଥିଲେ ପ୍ରମୋଦ। ଫଳରେ ଦୁଇଟି ମ୍ୟାଚ୍‌ରୁ ଦୁଇଟି ବିଜୟ ସହ ସେମିଫାଇନାଲ୍‌ରେ ପ୍ରବେଶ କରିଥିଲେ। ପ୍ରଥମ ମ୍ୟାଚ୍‌ରେ ନିଜ ଦେଶର ମନୋଜ ସରକାରଙ୍କୁ ହରାଇଥିଲେ।

Advertisment

ମ୍ୟାଚ୍ ପରେ ପ୍ରମୋଦ କହିଥିଲେ ଯେ ଆଜି ମୁଁ ବହୁତ ଭଲ ଖେଳିଲି। ଚିରକୋଭ୍‌ ଜଣେ ଭଲ ଖେଳାଳି। ସେ ମଧ୍ୟ କିଛି ଭଲ ସଟ୍ ଖେଳିଥିଲେ। ତଥାପି ସେମିଫାଇନାଲ୍‌ରେ ପ୍ରବେଶ କରି ମୁଁ ବହୁତ ଖୁସି। ଆଗାମୀ ମ୍ୟାଚ୍‌ଗୁଡ଼ିକ କ୍ରମଶଃ କଷ୍ଟକର ହୋଇ ଚାଲିବ। ଏଣୁ ମୁଁ ଗୋଟିଏ ସମୟରେ ଗୋଟିଏ ମ୍ୟାଚ୍ କଥା ଭାବିବି। ମିଶ୍ରିତ ଯୁଗଳର ଶେ‌ଷ ମ୍ୟାଚ୍ ଆମ ପାଇଁ କର ବା ମର ହୋଇଥିବାରୁ ତାକୁ ଜିତିବାକୁ ବି ଚେଷ୍ଟା କରିବି। ବିଶ୍ବ ଏକକ ମାନ୍ୟତାର ପ୍ରଥମ ସ୍ଥାନରେ ଥିବା ପ୍ରମୋଦ ମଧ୍ୟ ମିଶ୍ରିତ ଯୁଗଳରେ ପ୍ରଥମ ବିଜୟ ପାଇଛନ୍ତି। ପଲକ କୋହଲିଙ୍କୁ ସାଥୀ କରି ଖେଳୁଥିବା ୩୩ ବର୍ଷୀୟ ପ୍ରମୋଦ ଏହି ବର୍ଗର ପ୍ରଥମ ରାଉଣ୍ଡ ହାରି ଯାଇଥିଲେ। ଶୁକବ୍ରାର ସେମାନେ ଦ୍ବିତୀୟ ମୁକାବିଲାରେ ଥାଇଲାଣ୍ଡର ସିରିପୋଙ୍ଗ ତିମାରୋମ ଓ ନିପଦା ସେନସୁପାଙ୍କୁ ଭେଟିବେ। ଏହି ମ୍ୟାଚ୍ ଜିତିଲେ ଯାଇ ସେମିଫାଇନାଲ୍ ଖେଳିବା ଆଶା ସୃଷ୍ଟି ହେବ। ଅନ୍ୟମାନଙ୍କ ମଧ୍ୟରେ ସୁହାସ ୟଥିରାଜ, ତରୁଣ ଢିଲୋଁ, କ୍ରିଷ୍ଣା ନଗର ପ୍ରମୁଖ ନିଜ ନିଜ ପ୍ରଥମ ମ୍ୟାଚ୍ ଜିତି ନେଇଛନ୍ତି। ମହିଳା ଏକକରେ ପଲକ ମଧ୍ୟ ନିଜ ପ୍ରଥମ ମ୍ୟାଚ୍ ଜିତି ନେଇଛନ୍ତି। ତେବେ ମହିଳା ଯୁଗଳରେ ପଲକ-ପାରରୁଲ ପରମାର ଯୋଡ଼ି ପରାଜିତ ହୋଇଛନ୍ତି।