ପ୍ରମୋଦଙ୍କୁ ବିପୁଳ ସ୍ବାଗତ ସମ୍ବର୍ଧନା, ମୁଖ୍ୟମନ୍ତ୍ରୀ ଦେଲେ ୩୧ ଲକ୍ଷ

ଭୁବନେଶ୍ବର: ସ୍ବିଜରଲାଣ୍ଡ୍‌ରେ ବିଶ୍ବ ପ୍ରତିଯୋଗିତା ଏବଂ ଦିଲ୍ଲୀରେ ଅର୍ଜୁନ ପୁରସ୍କାର ହାସଲ କରିବା ପରେ ପ୍ରଥମ ଥର ଓଡ଼ିଶା ଫେରିଛନ୍ତି ପାରା ବ୍ୟାଡ୍‌ମିଣ୍ଟନ୍ ତାରକା ପ୍ରମୋଦ ଭଗତ। ଅଗଷ୍ଟ ମାସ ଶେଷ ସପ୍ତାହକୁ ଜୀବନର ସବୁଠୁ ମଧୁର ଓ ସ୍ମରଣୀୟ କରିଥିବା ଏହି ୩୧ ବର୍ଷୀୟ ତାରକାଙ୍କୁ ମିଳିଛି ଅପୂର୍ବ ସ୍ବାଗତ ଓ ସମ୍ବର୍ଧନା। ଶନିବାର ଅପରାହ୍ନରେ ବିମାନବନ୍ଦରରେ ଶହ ଶହ ପ୍ରଶଂସକ ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କ ଗହଣରୁ ବାହାରିବାକୁ ପ୍ରମୋଦକୁ ଢେର ସମୟ ଲାଗି ଯାଇଥିଲା। ଭାବବିହ୍ବଳ ସ୍ବରରେ ପ୍ରମୋଦ ମଧ୍ୟ ତାଙ୍କ ପରିବାର, ପ୍ରଶିକ୍ଷକ, ଓଡ଼ିଶାବାସୀ ଏବଂ ପ୍ରଶଂସକଙ୍କୁ ଧନ୍ୟବାଦ ପ୍ରଦାନ ସହିତ କୃତଜ୍ଞତା ଜଣାଇଥିଲେ। ଏବେ ୨୦୨୦ ‌ଟୋକିଓ ପାରା ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିବା ସହ ସେଠାରେ ସ୍ବର୍ଣ୍ଣ ପଦକ ଜିତିବା ଲାଗି ପ୍ରସ୍ତୁତିରେ ଲାଗିପଡ଼ିବେ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ। ପିଲାଦ‌ିନେ ଟିଭିରେ ଦେଖିଥିଲି ଭଲ ଖେଳିଲେ ଅର୍ଜୁନ ପୁରସ୍କାର ମିଳେ, ଦିନେ ମୁଁ ଏହି ପୁରସ୍କାର ପାଇବା କଥା ସ୍ବପ୍ନରେ ବି ଭାବିନଥିଲି ବୋଲି ପ୍ରମୋଦ ପ୍ରକାଶ କରିଥିଲେ। ଶନିବାର ପ୍ରମୋଦଙ୍କୁ ଏକ ସୁସଜ୍ଜିତ ଖୋଲା ଜିପ୍‌ରେ ବିମାନବନ୍ଦରରୁ ଏସ୍‌ଏସ୍‌ଇପିଡି (ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ) କାର୍ଯ୍ୟାଳୟ ନିଆଯାଇଥିଲା। ସେଠାରେ ଅଧ୍ୟକ୍ଷା ମିନତୀ ବେହେରା ପ୍ରମୋଦଙ୍କୁ ସମ୍ବର୍ଧିତ କରିଥିଲେ। ଏହା ପରେ ହୋଟେଲ୍ ପ୍ରେସିଡେନସିଠାରେ ପ୍ରମୋଦଙ୍କୁ ସମ୍ବର୍ଧିତ କରିଥିଲା ଓଡ଼ିଶା ପାରା ବ୍ୟାଡମିଣ୍ଟନ୍ ଏବଂ ଓଡ଼ିଶା ପାରା ପ୍ଲେୟାର ଫୋରମ। ପ୍ରମୋଦଙ୍କ ପ୍ରଶିକ୍ଷକ ଶିବ ପ୍ରସାଦ ଦାସଙ୍କ ସହିତ ରାଜ୍ୟ ସଂଘର କର୍ମକର୍ତା ଏବଂ ଦିଲ୍ଲେଶ୍ବର ରାଓ, ରାଖାଲ ସେଠୀ, ସୁନୀଲ ପ୍ରଧାନ, ପୁନିଲ ମାନସିଂହ ପ୍ରମୁଖ ଉପସ୍ଥିତ ଥିଲେ।

ବିମାନବନ୍ଦରରେ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଅନୁସଚିବ ପ୍ରମୋଦ କୁମାର ସାହୁ, ସହକାରୀ ନିର୍ଦେଶକ ସନାତନ ସାହୁ, ବରିଷ୍ଠ ପ୍ରଶିକ୍ଷକ ରାଜେନ୍ଦ୍ର ପାଣିଙ୍କ ସହିତ ବିକାଶ ରେସିଡେନସିଆଲ୍‌ ସ୍କୁଲ୍‌ ନିର୍ଦେଶକ ଭି ଶ୍ରୀନିବାସ, ଭାରତୀୟ ଦୃଷ୍ଟିହୀନ କ୍ରିକେଟ୍‌ ଦଳର ତାରକା ଖେଳାଳି ଜାଫର ଇକବାଲ, ପ୍ରମୋଦଙ୍କ ଇଏସଆଇ କାର୍ଯ୍ୟାଳୟର ବହୁ କର୍ମଚାରୀ, ସାଥୀ ଖେଳାଳି, ବରଗଡ଼ ଏବଂ ତାଙ୍କ ଗାଁ ଅତାବିରାର ବହୁ ସାଥୀ ଓ ପ୍ରୋତ୍ସାହକ ମଧ୍ୟ ସ୍ବାଗତ ଓ ସମ୍ବର୍ଧନା ଜଣାଇଥିଲେ। ବହୁ ପ୍ରଶଂସକ ବି ପ୍ରମୋଦଙ୍କ ସହ ସେଲଫି ନେବାର ଭିଡ଼ ବିମାନବନ୍ଦରରେ ଅପୂର୍ବ ପରିବେଶ ସୃଷ୍ଟି କରିଥିଲା। ପ୍ରମୋଦଙ୍କୁ ସ୍ବାଗତ କରିବାକୁ ସୁଦୂର ବରଗଡ଼ ଏବଂ ସମ୍ବଲପୁରରୁ ବି ବହୁ କ୍ରୀଡ଼ା ସଂଗଠକ, ପ୍ରଶାସକ ଏବଂ ସାଥୀ ଖେଳାଳି ବିମାନବନ୍ଦରରେ ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରେ ଥିଲେ ବରଗଡ଼ ଜିଲ୍ଲା ଦୌଡ଼କୁଦ ସଂଘ ସମ୍ପାଦକ ଯୁଗଳ ପ୍ରସାଦ ସିଂହ, ଉପ ସଭାପତି ରବି ପଣ୍ଡା, ପ୍ରମୋଦଙ୍କ ନିଜ ପ୍ରଥମ ଖେଳ ଅନୁଷ୍ଠାନ ଅତାବିରାସ୍ଥିତ ପ୍ଲେୟାର୍ସ କ୍ଲବ୍‌ର ସଭାପତି କୌଶିକ ମହାକୁଡ଼, ଡି ବିବେକ, ସଂଜିତ ସିଂହ, ଲିପିକା ସେଠ, ରୂପକ ପ୍ରଧାନ, ଅଜିତ କୁମାର ପତି, ଭାରତୀୟ ଲେଗ୍ କ୍ରିକେଟ୍ ଦଳର ଅଧିନାୟକ ଚନ୍ଦନ ରାୟ, ନିହାର ରଂଜନ ମହାନନ୍ଦ, ପ୍ରଶିକ୍ଷକ ଶିବ ପ୍ରସାଦ ଦାସ, ମଣିରଂଜନ ପଟ୍ଟନାୟକ, ବଂଶୀଧର ମହାନ୍ତି, ଓଡ଼ିଶା ମାଷ୍ଟର୍ସ ଦୌଡକୁଦ ସଂଘ ସମ୍ପାଦକ ଶିବ ପ୍ରସାଦ ମିଶ୍ର ପ୍ରମୁଖ। ନବୀନ ସେନାର ଅନ୍ୟତମ ପ୍ରଚାରକ ଖଗେଶ୍ବର ଦେହୁରି ବି ଏକ ବଡ଼ ଜାତୀୟ ପତାକା ଏବଂ ସ୍ଲୋଗାନ ସହିତ ପ୍ରମୋଦଙ୍କୁ ପ୍ରବଳ ଉତ୍ସାହର ସହ ସ୍ବାଗତ କରିଥିଲେ।

ମୁଖ୍ୟମନ୍ତ୍ରୀ ଦେଲେ ୩୧ ଲକ୍ଷ
ପ୍ରମୋଦଙ୍କ ବିଶ୍ବ ପ୍ରତିଯୋଗିତା ସଫଳତା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ସମ୍ବର୍ଧିତ କରିବା ସହିତ ୩୦ ଲକ୍ଷ ୯୫ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିଛନ୍ତି। ଦେଶର ଯୁବସମାଜ ପାଇଁ ପ୍ରମୋଦ ଆଦର୍ଶ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

କୌଶିକ ଲୁଚାଇଥିଲେ ପିତାର ମୃତ୍ୟୁ ଖବର
‘ଆମେ ସାଥୀ ହୋଇ ଖେଳୁଥିଲୁ, ପିଲାଦି‌ନେ ପ୍ରମୋଦ ଭାରି ଦୁଃଖ କଷ୍ଟ ସହିଛି। ଦିନ ବି ଥିଲା ଖାଇବା ପିଇବା ନଥିଲା। ଆମେ ତାକୁ ବଢ଼ାଇବାରେ ପ୍ରମୁଖ ଭୂମିକା ନେଇଥିଲୁ। ଆର୍ଥିକ ସହାୟତା ଦେଇ ଆଇଟିଆଇ ପଢ଼ାଇଥିଲୁ। ସେ କିନ୍ତୁ ଭଲ ପିଲାଟିଏ ଥିଲା, ତେଣୁ ଆଗକୁ ବଢ଼ି ପାରିଛି’ ବୋଲି କହିଥିଲେ ପ୍ରମୋଦଙ୍କ ନିଜ ପ୍ରଥମ ଖେଳ ଅନୁଷ୍ଠାନ ଅତାବିରାସ୍ଥିତ ପ୍ଲେୟାର୍ସ କ୍ଲବ୍‌ର ସଭାପତି କୌଶିକ ମହାକୁଡ଼। ଗୋଟିଏ ଦିନ ଏମିତି ଥିଲା ମୁଁ ପ୍ରମୋଦକୁ ମାଲେସିଆ ଅଭିମୁଖେ ଯାତ୍ରା ଲାଗି ରେଳଷ୍ଟେସନ୍‌ରେ ଛାଡ଼ିବା ପରେ ତା’ର ବାପାଙ୍କୁ ନେଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲି। ସେଦିନ ତା’ର ପିତା ଚାଲିଯାଇଥିଲେ। କିନ୍ତୁ ମୁଁ ତାକୁ ଏହା ନ ଜଣାଇ ଚାପି ରଖିଥିଲି। ସେ ଜାଣିଥିଲେ ନିଶ୍ଚିତ ଅଧାବାଟରୁ ଫେରି ଆସିଥାନ୍ତା। କିନ୍ତୁ ତା ଅନ୍ତର୍ଜାତୀୟ ସଫଳତାକୁ ମୁଁ ରୋକିବାକୁ ଚାହୁଁ ନଥିଲି’ ବୋଲି କହିଥିଲେ କୌଶିକ।

ତା’ ବାପା ଥିଲେ ଅଧିକ ଖୁସୀ ହୋଇଥାନ୍ତେ: କୁସୁମ ଦେବୀ
ପ୍ରମୋଦଙ୍କୁ ବ୍ୟାଡମିଣ୍ଟନ୍‌କୁ ଆଣିବାରେ ତାଙ୍କ ସ୍ବର୍ଗତ ପିତା କୈଳାସ ଚନ୍ଦ୍ର ଭଗତଙ୍କ ପ୍ରମୁଖ ଭୂମିକା ଥିଲା। ‌ପୋଲିଓ ଆକ୍ରାନ୍ତ ହେବା ପରେ ପ୍ରମୋଦ ଏକ ଛାତ ଉପରେ ଖେଳି ଆଗକୁ ବଢ଼ିଥିଲେ। କିନ୍ତୁ ପ୍ରମୋଦ ଜାତୀୟ ଏବଂ ଅନ୍ତର୍ଜାତୀୟ ସଫଳତା ଆରମ୍ଭ କରିବା ପୂର୍ବରୁ ସେ ଚାଲିଯାଇଥିଲେ। ପ୍ରମୋଦର ଏତେ ସଫଳତା, ରାଜ୍ୟ ଓ ଦେଶ ପାଇଁ ଗର୍ବ ଓ ଗୌରବ ଆଣିବାର ମୁହୂର୍ତକୁ ସେ ଦେଖିପାରିଥିଲେ ସବୁଠୁ ଅଧିକ ଖୁସୀ ‌ହୋଇଥାନ୍ତେ ବୋଲି କହିଛନ୍ତି ପ୍ରମୋଦଙ୍କ ମା’ କୁସୁମ ଦେବୀ। ପ୍ରମୋଦ ପାଠ ବି ପଢ଼ୁଥିଲା, କିନ୍ତୁ ଖେଳିବାକୁ ଖସିଯାଉଥିଲା। ଆମେ କେବେ ମନା କରିନଥିଲୁ। କିନ୍ତୁ‌ ସେ ଦିନେ ଏତେ ବାଟ ଯିବ ଏବଂ ଦେଶର ନାଁ କରିବ ଭାବି ପାରିନଥିଲୁ। ଏବେ ବହୁତ ଖୁସି ଲାଗୁଛି। ଆଶା କରୁଛି ସେ ଏଭଳି ଗୌରବ ଆଣୁଥାଉ ଏବଂ ଆଗକୁ ଆଗକୁ ବଢ଼ି ଚାଲିଥାଉ ବୋଲି କୁସୁମ ଦେବୀ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର