ପ୍ରମୋଦଙ୍କୁ ପାରା ଏସିଆଡ୍‌ ସ୍ବର୍ଣ୍ଣ

ଭୁବନେଶ୍ବର: ଓଡ଼ିଆ ପୁଅ ପ୍ରମୋଦ ଭଗତ ଇଣ୍ଡୋନେସିଆର ଜାକର୍ତାରେ ଚାଲିଥିବା ପାରା ଏସିଆଡ୍‌ ବ୍ୟାଡ୍‌ମିଣ୍ଟନ୍‌ ପୁରୁଷ ଏକକରେ ସ୍ବର୍ଣ୍ଣ ପଦକ କରାୟତ କରିଛନ୍ତି। ପୁରୁଷ ଯୁଗଳରେ କାଂସ୍ୟରେ ସନ୍ତୁଷ୍ଟ ରହିଥିବା ପ୍ରମୋଦ କିନ୍ତୁ ପୁରୁଷ ଏକକରେ ସ୍ବର୍ଣ୍ଣ ହାତଛଡ଼ା କରିନଥିଲେ। ଶନିବାର ଏସ୍‌ଏଲ୍‌ ୩ ଶ୍ରେଣୀ ଫାଇନାଲ୍‌ରେ ପ୍ରମୋଦ ୨୧-୧୯, ୧୫-୨୧ ଓ ୨୧-୧୪ରେ ଇଣ୍ଡୋନେସିଆର ଉକୁନ ରୁକାଏନ୍ଦିଙ୍କୁ ପରାସ୍ତ କରି ଦେଇଥିଲେ। ଉକୁନ ୨୦୧୪ ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତିଥିଲା ବେଳେ ଏବଂ ୨୦୧୭ରେ ବିଶ୍ବ ବିଜେତା ହୋଇଥିଲେ। ଶନିବାରର ଦୁଇଟି ବ୍ୟାଡ୍‌ମିଣ୍ଟନ ସ୍ବର୍ଣ୍ଣ ସହ ଭାରତ ମୋଟ ୭୨ ପଦକ କରାୟତ କରିନେଇଛି। ଏଥିରେ ସାମିଲ ରହିଛି ୧୫ ସ୍ବର୍ଣ୍ଣ, ୨୪ ରୌପ୍ୟ ଓ ୩୩ କାଂସ୍ୟ। ଆଉ ମୋଟ ୭୨ ପଦକ ସହ ଭାରତ ମଧ୍ୟ ତାଲିକାର ନବମ ସ୍ଥାନରେ ଅଭିଯାନ ଶେଷ କରିଛି। ଏହା ପୂର୍ବରୁ ୨୦୧୪ ସଂସ୍କରଣରେ ଭାରତକୁ ମିଳିଥିଲା ମୋଟ ୩୩ (୩ ସ୍ବର୍ଣ୍ଣ, ୧୪ ରୌପ୍ୟ ଓ ୧୬ କାଂସ୍ୟ) ପଦକ। ଯାହାକି ପାରା ଏସିଆଡ୍‌ରେ ଥିଲା ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନ।

ପରିଶ୍ରମର ଫଳ ମିଳିଲା: ଉକୁନଙ୍କ ଭଳି ଦକ୍ଷ ତଥା ଶକ୍ତିଶାଳୀ ଖେଳାଳିଙ୍କୁ ପରାସ୍ତ କରି ଏସିଆଡ୍‌ରେ ସ୍ବର୍ଣ୍ଣ ପଦକ ଜିତିବା ବଡ଼ ଗୌରବର କଥା ବୋଲି କହିଛନ୍ତି ପ୍ରମୋଦ। ଦେଶ ତଥା ରାଜ୍ୟ ପାଇଁ ଗର୍ବ ଆଣିଥିବା ପ୍ରମୋଦ ନିଜ ପ୍ରଦର୍ଶନରେ ବେଶ୍‌ ଖୁସୀ ଅଛନ୍ତି। ମୁଁ ଚଳିତ ଏସିଆଡ୍‌ରେ ଭଲ ପ୍ରଦର୍ଶନ କରିବା ପାଇଁ ଦୈନିକ ୧୮ ଘଣ୍ଟା ଲ‌େକ୍ଷ୍ନୗର ଗୁରୁଗୋବିନ୍ଦ ସିଂହ କ୍ରୀଡ଼ା ମହାବିଦ୍ୟାଳୟରେ ଅଭ୍ୟାସ କରୁଥିଲି। ଆଉ ମୋ ପରିଶ୍ରମର ଫଳ ଭଗବାନ ମତେ ଦେଇଛନ୍ତି ବୋଲି ପ୍ରତିକ୍ରିୟା ରଖିଛନ୍ତି ପ୍ରମୋଦ। ଏବେ ୨୦୨୦ ପାରାଲିମ୍ପିକ୍ସ ଖେଳିବା ମୋର ପରବର୍ତୀ ଲକ୍ଷ୍ୟ ବୋଲି ସେ କହିଛନ୍ତି।

ରାଠୋରଙ୍କ ଅଭିନନ୍ଦନ: ଏସିଆଡ୍‌ରେ ପ୍ରମୋଦଙ୍କ କାଂସ୍ୟ ଓ ସ୍ବର୍ଣ୍ଣିମ ସଫଳତା ପାଇଁ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କ୍ରୀଡ଼ା ମନ୍ତ୍ରୀ ରାଜ୍ୟବର୍ଧନ ସିଂହ ରାଠୋର ପ୍ରମୋଦଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରମୋଦ ତାଙ୍କ ଦମ୍‌ଦାର ପ୍ରଦର୍ଶନ ବଳରେ ଆମ ସମସ୍ତଙ୍କୁ ଗର୍ବିତ କରିଛନ୍ତି ବୋଲି ସାମାଜିକ ଗଣମାଧ୍ୟମରେ ଧର୍ମେନ୍ଦ୍ର ଟ୍ବିଟ୍‌ କରିଛନ୍ତିି। ଅନ୍ୟପକ୍ଷରେ ଓଡ଼ିଶା ପାରା ବ୍ୟାଡ୍‌ମିଣ୍ଟନ ସଂଘ ଓ ଓଡ଼ିଶା ପାରା ପ୍ଲେୟାର ଫୋରମ୍‌ ଯୁଗଳ ପଦକ ସଫଳତା ପାଇଁ ପ୍ରମୋଦଙ୍କୁ ଶୁଭେଚ୍ଛା ଜଣାଇଛି।

ସମ୍ବନ୍ଧିତ ଖବର