ଚାଇନା ଓପନ୍‌: ଓଡ଼ିଆ ପୁଅ ପ୍ରମୋଦ ଭଗତଙ୍କୁ ଦ୍ବିମୁକୁଟ

ଭୁବନେଶ୍ବର: ଓଡ଼ିଆ ପୁଅ ପ୍ରମୋଦ ଭଗତ ଚଳିତ ଚାଇନା ଓପନ ପାରା ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାରେ ଦ୍ବିମୁକୁଟ କରାୟତ କରିଛନ୍ତି। ‌‌ସେ ଉଭୟ ପୁରୁଷ ଏକକ ଓ ଯୁଗଳ ବର୍ଗରେ ଟ୍ରଫି ହାସଲ କରିଛନ୍ତି। ଚାଇନାର ହାଙ୍ଗଝୌରେ ଖେଳାଯାଇଥିବା ରବିବାର ଏକକ ଫାଇନାଲରେ ବିଶ୍ବର ଏହି ଶୀର୍ଷ ମାନ୍ୟତାପ୍ରାପ୍ତ ପ୍ରମୋଦ ୧୯-୨୧, ୨୧-୧୩, ୨୧-୧୪ରେ ଇଂଲଣ୍ଡର ଡାନିଏଲ ବେଥେଲଙ୍କୁ ପରାସ୍ତ କରିଥିଲେ। ଏହି ବିଜୟ ସହ ଏକକ ବର୍ଗରେ ପ୍ରମୋଦ ଚଳିତ ବର୍ଷ ସପ୍ତମ ସ୍ବର୍ଣ୍ଣ ପଦକ ନିଜ ନାମରେ କରିଥିଲେ। ଫଳରେ ‌୬୦୯୦ ପଏଣ୍ଟ୍‌ ସହ ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିବା ତାଲିକାର ଦୌଡ଼ରେ ସବଠୁ ଆଗରେ ରହିଛନ୍ତି।

ସେହିପରି ଯୁଗଳରେ ସେ ଓ ତାଙ୍କ ଭାରତୀୟ ସାଥୀ ମନୋଜ କୁମାର ୧୮-୨୧, ୨୧-୧୬, ୨୧-୧୫ରେ ନିଜ ଦେଶର ଅନ୍ୟ ଏକ ଯୋଡ଼ି ବିକ୍ରମ ଓ ସୁହାସଙ୍କୁ ପରାସ୍ତ କରି ଟ୍ରଫି କରାୟତ କରିଥିଲେ। ଏଥିସହ ଚଳିତ ବର୍ଷ ଉଭୟ ଏକକ ଓ ଯୁଗଳରେ ପ୍ରମୋଦ ୧୧ ସ୍ବର୍ଣ୍ଣ, ୪ ରୌପ୍ୟ ଓ ୨ କାଂସ୍ୟ ସହ ମୋଟ ୧୭ ଅନ୍ତର୍ଜାତୀୟ ପଦକ ଜିତି ସାରିଲେଣି।

ସମ୍ବନ୍ଧିତ ଖବର