ଭୁବନେଶ୍ବର: ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ୍‌ ସର୍କିଟ୍‌କୁ ପାଖାପାଖି ୧୮ମାସ ପରେ ଫେରିଥିବା ଓଡ଼ିଆ ତାରକା ପ୍ରମୋଦ ଭଗତଙ୍କ ପଦକ ଅମଳ ଜାରି ରହିଛି। ଅଷ୍ଟ୍ରେଲିଆ ପରେ ଜାପାନରେ ଖେଳାଯାଇଥିବା ହୁଲିକ ଦୈହାତସୁ ଜାପାନ ପାରା ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାରେ ଚମତ୍କାର ପ୍ରଦର୍ଶନ କରି ଏକକାଳୀନ ତିନିଟି ସ୍ବର୍ଣ୍ଣ ପଦକ ଜିତି ହ୍ୟାଟ୍ରିକ୍ ଅର୍ଜନ କରିଛନ୍ତି ସେ। ନଭେମ୍ବର ୫ରୁ ୯ ତାରିଖ ପର୍ଯ୍ୟନ୍ତ ଖେଳାଯାଇଥିବା ଏହି ପ୍ରତିଯୋଗିତାରେ ପ୍ରମୋଦ ପୁଣି ଥରେ ନିଜ ଆଧିପତ୍ୟ ଜାରି ରଖି  ଏସଏଲ୍‌-୩ର ଏକକ, ଏସ୍‌ଏଲ୍୩-ଏସ୍‌ୟୁ୫ର ମିଶ୍ରିତ ଏବଂ ଏସ୍‌ଏଲ୍୩-ଏସ୍‌ଏଲ୍୪ର ଯୁଗଳରେ ସ୍ବର୍ଣ୍ଣ ପଦକ ଜିତି ରାଜ୍ୟ ତଥା ଦେଶ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି।

Advertisment

ଏକକ ଫାଇନାଲ୍‌ରେ ନିଜ ଅସାଧାରଣ ରୢାକେଟ୍ ଚାଳନା, ଉନ୍ନତ ବୈଷୟିକ ଦକ୍ଷତା ତଥା ଅପୂର୍ବ ଆତ୍ମବିଶ୍ବାସର ପରିଚୟ ଦେଇ ସେ ଜାପାନର ଦାଇସୁକେ ଫୁଜିହାରାଙ୍କୁ ୧୭-୨୧, ୨୧-୧୯, ୨୧-୧୦ରେ ହରାଇ ଦେଇଥିଲେ। ସେହିଭଳି ମିଶ୍ରିତ ଯୁଗଳରେ ମନୀଷା ରାମଦାସଙ୍କୁ ସାଥୀକରି ମିଶ୍ରିତ ଯୁଗଳ ଫାଇନାଲ୍‌ରେ ନିଜ ଦେଶର ନୀତୀଶ କୁମାର ଓ ତୁଳସୀମାଥୀ ମୁରୁଗାନଙ୍କୁ ୨୧-୧୯, ୨୧-୧୯ରେ ଏବଂ ସୁକାନ୍ତ କଦମଙ୍କୁ ସାଥୀ କରି ପୁରୁଷ ଯୁଗଳ ଫାଇନାଲ୍‌ରେ ଜଗଦୀଶ ଡେଲି ଓ ନବୀନ ଶିବକୁମାରଙ୍କୁ ୨୧-୧୭, ୧୮-୨୧, ୨୧-୧୬ରେ ହରାଇ ଦେଇଥିଲେ। ଏହି ସଫଳତା ଲାଗି ପାରା ସ୍ପୋର୍ଟସ ଆସୋସିଏସନ୍ ଅଫ୍ ଓଡ଼ିଶା ତରଫରୁ ପଦ୍ମଶ୍ରୀ ପ୍ରମୋଦ ଭଗତଙ୍କୁ ଅଶେଷ ଅଭିନନ୍ଦନ ଜ୍ଞାପନ କରାଯାଇଛି।