ଭୁବନେଶ୍ବର: ନାଇଜେରିଆରେ ଆୟୋଜିତ ପ୍ରଥମ ଏବିଆଇଏ ପାରା ବ୍ୟାଡ୍‌ମିଣ୍ଟନ୍ ପ୍ରତିଯୋଗିତାରେ ଓଡ଼ିଶା ଖେଳାଳିମାନେ ଉଚ୍ଚକୋଟୀର ପ୍ରଦର୍ଶନ କରି ଐତିହାସିକ ସଫଳତା ଲାଭ କରିଛନ୍ତି। ୧୮ ମାସ ପରେ କୋର୍ଟକୁ ଫେରି ଲଗାତାର ସ୍ମରଣୀୟ ସଫଳତା ସାଉଣ୍ଟି ଚାଲିଥିବା ଖେଳରତ୍ନ ପୁରସ୍କାରପ୍ରାପ୍ତ ପ୍ରମୋଦ ଭଗତ ଏସ୍‌ଏଲ୍୩ ବର୍ଗର ପୁରୁଷ ଏକକ, ଏସ୍‌ଏଲ୍୩-ଏସ୍‌ଏଲ୍୪ର ଯୁଗଳ ଏବଂ ଏସ୍‌ଏଲ୍୩-ଏସ୍‌ଏଲ୍ ୫ର ମିଶ୍ରିତ ଯୁଗଳରେ ସ୍ବର୍ଣ୍ଣ ପଦକ ଜିତି ହ୍ୟାଟ୍ରିକ୍ କରିଛନ୍ତି। ଏକକ ଫାଇନାଲ୍‌ରେ ସେ ନିଜ ଦେଶର ମଣ୍ଟୁ କୁମାରଙ୍କୁ ୨୧-୭, ୯-୨୧, ୨୧-୯ରେ ହରାଇଥିଲେ। ଯୁଗଳରେ ତାଙ୍କ ଯୋଡ଼ି ନାଇଜେରିଆର ସି ନାନା ଓ ଓ ନ୍ବାସୁକୁ ୨୧-୧୩, ୨୧-୧୮ରେ ଏବଂ ମିଶ୍ରିତ ଯୁଗଳରେ ପେରୁର ଜି ଭର୍ଗାସ ଓ ରୋଜାସ ଗୋଲାକଙ୍କୁ ୨୧-୧୩ ଓ ୨୧-୧୭ରେ ହରାଇ ଦେଇଥିଲେ। ନୁରୁଲ ଏକକ ଫାଇନାଲ୍‌ରେ ଇଜିପ୍ଟ ପ୍ରତିପକ୍ଷଙ୍କଠାରୁ ୧୭-୨୧, ୧୪-୨୧ରେ ହାରି ରୌପ୍ୟରେ ସନ୍ତୁଷ୍ଟ ରହିଥିଲେ।

Advertisment

ତେବେ ଯୁଗଳରେ ଇଜିପ୍ଟ ଯୋଡ଼ିଙ୍କୁ ହରାଇ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ସେହିଭଳି ନୁରୁଲ ହୁସେନ ଖାନ୍ ଡବ୍‌ଲ୍ୟୁଏଚ୍-୨ର ପୁରୁଷ ଏକକରେ ରୌପ୍ୟ ପଦକ ପାଇଥିଲା ବେଳେ ଡବ୍‌ଲ୍ୟୁଏଚ୍୧-ଡବ୍‌ଲ୍ୟୁଏଚ୍୨ର ପୁରୁଷ ଯୁଗଳରେ ସ୍ବର୍ଣ୍ଣ ପଦକ ଜିତି ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ଏସଏଲ୍-୪ରେ କୁଲଦୀପ ମହାକୁଡ଼ ପୁରୁଷ ଏକକରେ ଏବଂ ବିଶ୍ବରଂଜନ ପଣ୍ଡା ଏସ୍‌ୟୁ-୫ର ପୁରୁଷ ଯୁଗଳରେ କଂସ୍ୟ ପଦକ ଜିତି ଓଡ଼ିଶାକୁ ଆଉ ଦୁଇଟି ପଦକ ଉପହାର ଦେଇଥିଲେ। ଉଭୟ ନିଜନିଜ ସେମିଫାଇନାଲ୍ ମ୍ୟାଚ୍ ହାରି ଯାଇଥିଲେ। ଏହି ସଫଳତା ଲାଗି ପାରା ସ୍ପୋର୍ଟସ ଆସୋସିଏସନ୍ ଅଫ୍ ଓଡ଼ିଶା ଏବଂ ରାଜ୍ୟ କ୍ରୀଡ଼ା ବିଭାଗ ପକ୍ଷରୁ ପଦକ ବିଜେତାମାନଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଛି।