ବାହାରିନ୍‌ରେ ପ୍ରମୋଦଙ୍କୁ ୨ ସ୍ବର୍ଣ୍ଣ

ଭୁବନେଶ୍ବର: ବାହାରିନ୍ ପାରାବ୍ୟାଡମିଣ୍ଟନ୍ ପ୍ରତିଯୋଗିତାରେ ବିଶ୍ବର ଏକନମ୍ବର ପାରାବ୍ୟାଡମିଣ୍ଟନ୍ ତାରକା, ଟୋକିଓ ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜେତା ତଥା ଖେଳରତ୍ନ ପ୍ରମୋଦ ଭଗତ ଦୁଇଟି ସ୍ବର୍ଣ୍ଣ ପଦକ ଜିତି ରାଜ୍ୟ ପାଇଁ ପୁଣି ଥରେ ଗର୍ବ ଓ ଗୌରବ ଆଣିଛନ୍ତି। ଶନିବାର ଏସ୍‌ଏଲ୍-୩ ବର୍ଗରେ ଇଂଲଣ୍ଡର ତାରକା ଖେଳାଳି ତଥା ନିଜ ପୁରୁଣା ପ୍ରତିଦ୍ବନ୍ଦ୍ବୀ ଡାନିଏଲ୍ ବେଥେଲଙ୍କ ବିପକ୍ଷରେ ପ୍ରମୋଦ ୱାକଓଭର ପାଇଥିଲେ। ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ବେଥେଲ ଫାଇନାଲ୍ ଖେଳି ପାରି ନଥିଲେ। ଫଳରେ ପ୍ରମୋଦ ନିଜ ଜାଜ୍ବଲ୍ୟମାନ ଖେଳ ଜୀବନରେ ଆଉ ଏକ ସ୍ବର୍ଣ୍ଣିମ ସଫଳତା ଯୋଡ଼ି ନେଇଥିଲେ। ଏହା ପୂର୍ବରୁ ନିଜ ଦେଶର ମନୋଜ ସରକାରଙ୍କୁ ୨୧-୧୬, ୨୧-୧୪ରେ ହରାଇ ସେମିଫାଇନାଲ୍‌ରେ ପ୍ରବେଶ କରିଥିଲେ ସେ।

ଅନ୍ୟପକ୍ଷରେ ଏସ୍‌ଏଲ୍-୩ ଏବଂ ଏସ୍‌ୟୁ-୫ର ମିଶ୍ରିତ ଯୁଗଳରେ ମନୀଷା ରାମଦାସଙ୍କୁ ସାଥୀ କରି ପ୍ରମୋଦ ଥାଇଲାଣ୍ଡର ସିରିପଙ୍ଗ ଟିମାରମ୍ ଓ ସେନସୁପା ନିପଦାଙ୍କୁ ୨୧-୧୪, ୨୧-୧୧ରେ ହରାଇ ଦ୍ବିତୀୟ ସ୍ବର୍ଣ୍ଣ ପଦକ ହାସଲ କରି ନେଇଥିଲେ। ନିକଟରେ ଶେଷ ହୋଇଥିବା ବ୍ରାଜିଲ ପାରାବ୍ୟାଡମିଣ୍ଟନ୍ ପ୍ରତିଯୋଗିତାରେ ପ୍ରମୋଦ ଦୁଇଟି କାଂସ୍ୟ ପଦକରେ ସନ୍ତୁଷ୍ଟ ରହିଥିଲେ। ବାହାରିନ୍ ପାରାବ୍ୟାଡମିଣ୍ଟନ୍‌ରେ କିନ୍ତୁ ନିଜ ଖେଳର ସ୍ତର ବଢ଼ାଇ ଦୁଇଟି ସ୍ବର୍ଣ୍ଣ ଜିତି ନେଇଥିଲେ। ଯୁଗଳ ସ୍ବର୍ଣ୍ଣିମ ସଫଳତା ପରେ ନିଜ ପ୍ରତିକ୍ରିୟାରେ ପ୍ରମୋଦ କହିଛନ୍ତି ଯେ ମୁଁ ଦୁଇଟି ସ୍ଵର୍ଣ୍ଣ ପଦକ ଜିତିବାରୁ ଉତ୍ସାହିତ ଅଛି। ୩ ଦିନ ପରେ ହେବାକୁଥିବା ଦୁବାଇ ଇଣ୍ଟରନ୍ୟାସନାଲ ପାଇଁ ମୋର ପ୍ରସ୍ତୁତି ଆହୁରି ଭଲ ରହିବ । ମୁଁ ଆଶା କରୁଛି ବେଥେଲ ଶୀଘ୍ର ଭଲ ଅନୁଭବ କରିବେ ଏବଂ ଶୀଘ୍ର କୋର୍ଟକୁ ଫେରିବେ।

ଦୀପ ରଞ୍ଜନଙ୍କୁ କାଂସ୍ୟ
ଏହି ପ୍ରତିଯୋଗିତାରେ ଅନ୍ୟତମ ଓଡ଼ିଆ ତାରକା ଦୀପ ରଞ୍ଜନ ବିଶୋଇ ପୁରୁଷ ଯୁଗଳ ସେମିଫାଇନାଲ୍‌ରେ ପରାଜିତ ହୋଇ କାଂସ୍ୟ ପଦକ କରାୟତ୍ତ କରିଛନ୍ତି। ଦୀପ ରଞ୍ଜନ ଏବଂ ମହମ୍ମଦ ଅରୱାଜ୍ ଅନସାରିଙ୍କ ଯୋଡ଼ି ଥାଇଲାଣ୍ଡର ମଙ୍ଗଖନ୍ ବନସୁନ ଓ ସିରିପଙ୍ଗ ଟିମାରମଙ୍କଠାରୁ ୧୮-୨୧, ୧୬-୨୧ରେ ପରାଜିତ ହୋଇଥିଲେ। ଏସ୍‌ଏଲ୍-୪ରେ ଅନ୍ୟତମ ଭାରତୀୟ ତରୁଣ ଡିଲୋଁ ମଧ୍ୟ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ମହିଳାରେ ମନଦୀପ କୌର ରୌପ୍ୟ ପଦକ ପାଇଥିଲେ।

ସମ୍ବନ୍ଧିତ ଖବର