ସ୍ପାନିସ୍‌ ପାରାବ୍ୟାଡ୍‌ମିଣ୍ଟନରେ ପ୍ରମୋଦଙ୍କୁ ହ୍ୟାଟ୍ରିକ୍‌ ସ୍ବର୍ଣ୍ଣ

ଭୁବନେଶ୍ବର: ସ୍ପେନ୍‌ର ଭିଟୋରିଆରେ ଆୟୋଜିତ ସ୍ପାନିସ ପାରାବ୍ୟାଡ୍‌ମିଣ୍ଟନ୍‌ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଓଡ଼ିଆ ପୁଅ ପ୍ରମୋଦ ଭଗତ ହ୍ୟାଟ୍ରିକ୍‌ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସେ ପୁରୁଷ ଏକକ ଓ ଯୁଗଳ ସାଙ୍ଗକୁ ମିଶ୍ରିତ ଯୁଗଳରେ ସ୍ବଣ୍ଣିମ ସଫଳତା ହାସଲ କରି ହ୍ୟାଟ୍ରିକ୍‌ ଅର୍ଜନ କରିବାର ଗୌରବ ବହନ କରିଛନ୍ତି। ରବିବାର ଅଲିମ୍ପିକ୍ ବିଜେତା ପ୍ରମୋଦ ଏସ୍‌ଏଲ୍‌-୩ ପୁରୁଷ ଏକକ ବର୍ଗ ଫାଇନାଲ୍‌ରେ ନିଜ ଦେଶର ନିତେଶ କୁମାରଙ୍କୁ ୧୭-୨୧, ୨୧-୧୭ ଓ ୨୧-୧୭ରେ ପରାସ୍ତ କରି ସ୍ବର୍ଣ୍ଣ ପଦକ କବ୍‌ଜା କରିନେଇଥିଲେ। ଏହା ପୁର୍ବରୁ ପ୍ରମୋଦ ମିଶ୍ରିତ ଯୁଗଳରେ ମଧ୍ୟ ସ୍ବର୍ଣ୍ଣିମ ସଫଳତା ହାତେଇଥିଲେ। ପଲକ କୋହଲିଙ୍କୁ ସାଥୀ କରି ଖେଳୁଥିବା ପ୍ରମୋଦ ମିଶ୍ରିତ ବର୍ଗ ଫାଇନାଲ୍‌ରେ ଅନ୍ୟତମ ଭାରତୀୟ ଯୋଡ଼ି ଋତିକା ରଗୁପାଠୀ ଓ ମାନସୀ ଯୋଷୀଙ୍କୁ ୧୪-୨୧, ୨୧-୧୧ ଓ ୨୧-୧୪ରେ ପରାସ୍ତ କରିଥିଲେ। ଶେଷ‌ରେ ପୁରୁଷ ଯୁଗଳରେ ମଧ୍ୟ ସ୍ବର୍ଣ୍ଣ ପଦକ ହାତଛଡ଼ା କରିନଥିଲେ। ମନୋଜ ସରକାରଙ୍କୁ ସାଥୀ କରି ଖେଳୁଥିବା ପ୍ରମୋଦ ଫାଇନାଲ୍‌ରେ ନିଜ ଦେଶର ସୁକାନ୍ତ କଦମ ଓ ନିତେଶ କୁମାରଙ୍କୁ ୨୧-୧୯, ୧୧-୨୧ ଓ ୨୧-୧୧ରେ ପରାସ୍ତ କରି ସ୍ବର୍ଣ୍ଣ ଅମଳରେ ହ୍ୟାଟ୍ରିକ୍ ଅର୍ଜନ କରିଥିଲେ।

ସମ୍ବନ୍ଧିତ ଖବର