ପ୍ରମୋଦଙ୍କ ନାଁ ଖେଳରତ୍ନ ପାଇଁ ସୁପାରିସ: ଓଡ଼ିଶାର ପ୍ରଥମ ଖେଳାଳି ହେବେ

ନୂଆଦିଲ୍ଲୀ: ଭାରତୀୟ ପାରାଲିମ୍ପିକ୍ସ ସମିତି (ପିସିଆଇ) ଓଡ଼ିଆ ତାରକା ପ୍ରମୋଦ ଭଗତଙ୍କ ସହ ମୋଟ ୪ ଜଣଙ୍କ ନାଁ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ‘ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର’ ଲାଗି ସୁପାରିସ କରିଛି। ପ୍ରମୋଦଙ୍କ ଛଡ଼ା ପିସିଆଇ ଶନିବାର ସୁପାରିସ କରିଥିବା ଅନ୍ୟ ୩ ଜଣ ଖେଳାଳି ହେଲେ ବନ୍ଧୁକଚାଳକ ମନୀଷ ନରୱାଲ, ଉଚ୍ଚଡିଆଁ ତାରକା ଶରଦ କୁମାର ଏବଂ ଜାଭଲିନ୍ ଖେଳାଳି ସୁନ୍ଦର ସିଂହ ଗୁଜର। ଏହି ୪ ଜଣଙ୍କ ମଧ୍ୟରୁ ପ୍ରମୋଦ ଓ ମନୀଷ ଟୋକିଓ ପାରାଲିମ୍ପିକ୍ସରେ ଭାରତ ପାଇଁ ସ୍ବର୍ଣ୍ଣ ପଦକ ଜିତିଥିଲା ବେଳେ ଶରଦ କୁମାର ଓ ସୁନ୍ଦର ସିଂହ କାଂସ୍ୟ ପଦକ ପାଇଥିଲେ। ତଥାପି ଅଭିଜ୍ଞତା ଏବଂ ଅନ୍ୟ ଅନ୍ତର୍ଜାତୀୟ ପ୍ରତିଯୋଗିତା‌ରେ ସେମାନଙ୍କ ପୂର୍ବ ସଫଳତାକୁ ବିଚାରକୁ ନେଇ ଶରଦ ଓ ସୁନ୍ଦରଙ୍କ ନାଁ ଖେଳ ରତ୍ନ ପାଇଁ ପଠାଇଛି ପିସିଆଇ। ସେହିଭଳି ଟୋକିଓ ପାରାଲିମ୍ପିକ୍ସରେ ଯୁଗଳ ପଦକ ଜିତି ଐତିହାସିକ ସଫଳତା ଲାଭ କରିଥିବା ୧୯ ବର୍ଷୀୟା ରାଜସ୍ଥାନୀ ଝିଅ ଅବନୀ ଲେଖରାଙ୍କ ନାଁ ପିସିଆଇ ସମ୍ମାନଜନକ ଅର୍ଜୁନ ପୁରସ୍କାର ପାଇଁ ପଠାଇଛି । ଅବନୀଙ୍କ ସହ ଜାଭଲିନ୍ ତାରକା ସୁମିତ ଆନ୍ତିଲଙ୍କ ନାଁ ମଧ୍ୟ ଅର୍ଜୁନ ପୁରସ୍କାର ଲାଗି ସୁପାରିସ କରିଛି ଭାରତୀୟ ପାରାକ୍ରୀଡ଼ାର ଏହି ସର୍ବେଚ୍ଚ ସଂସ୍ଥା। ପୂର୍ବରୁ ରାଜ୍ୟ କ୍ରୀଡ଼ା ବିଭାଗ ଏବଂ ପାରା କ୍ରୀଡ଼ା ସଂଘ, ଓଡ଼ିଶା ଖେଳରତ୍ନ ପୁରସ୍କାର ଲାଗି ପ୍ରମୋଦଙ୍କ ନାଁ ସୁପାରିସ କରିସାରିଛନ୍ତି।

ବିଭିନ୍ନ ଜାତୀୟ ପୁରସ୍କାର ଲାଗି ଏହି ୬ ଜଣଙ୍କ ନାଁ ଘୋଷଣା କରି ପିସିଆଇ ସଭାପତି ତଥା ରିଓ ଅଲିମ୍ପିକ୍ସ ରୌପ୍ୟ ପଦକ ବିଜୟିନୀ ଦୀପା ମଲ୍ଲିକ କହିଛନ୍ତି ଯେ ଜାତୀୟ ପୁରସ୍କାର ଜିତିପାରିଲେ ୨୦୨୪ ପ୍ୟାରିସ ପାରାଲିମ୍ପିକ୍ସରେ ଭଲ କରିବା ଲାଗି ଏହି ଖେଳାଳିମାନେ ଅନୁପ୍ରେରିତ ହେବେ। ଟୋକିଓ ପାରାଲିମ୍ପିକ୍ସରେ ଆମ ଖେଳାଳିମାନେ ବହୁତ ଭଲ ପ୍ରଦର୍ଶନ କରିଥିଲେ। ଆମେ ସେମାନଙ୍କୁ ନେଇ ବେଶ୍ ଗର୍ବିତ। ଦେଶ ପାଇଁ ଗର୍ବ ଓ ଗୌରବ ଆଣିଥିବାରୁ ଏହି ଖେଳାଳିମାନେ ଜାତୀୟ ପୁରସ୍କାର ପାଇବାକୁ ପୂରା ହକଦାର ମଧ୍ୟ।

ସୂଚନାଯୋଗ୍ୟ ଯେ ଜାତୀୟ କ୍ରୀଡ଼ା‌ ପୁରସ୍କାର ପ୍ରତିବର୍ଷ ଅଗଷ୍ଟ ୨୯ ତାରିଖ (ଜାତୀୟ କ୍ରୀଡ଼ା‌ ଦିବସ)ରେ ପ୍ରଦାନ କାଯାଇଥାଏ। ହେଲେ ଟୋକିଓ ଅଲିମ୍ପିକ୍ସ ଓ ପାରାଲିମ୍ପିକ୍ସ ପଦକ ବିଜେତାଙ୍କୁ ପୁରସ୍କାର ଚୟନ ପ୍ରକ୍ରିୟାରେ ସାମିଲ କରିବାକୁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟ ଏହାକୁ କିଛି ଦିନ ବିଳମ୍ବିତ କରିଛି।

ଓଡ଼ିଶାର ପ୍ରଥମ ଖେଳାଳି ହେବେ
୨୦୨୧ ମସିହା ଓଡ଼ିଶା କ୍ରୀଡ଼ା ପାଇଁ ବେଶ୍ ଶୁଭଙ୍କର ସାବ୍ୟସ୍ତ ହୋଇ ଚାଲିଛି। ଚଳିତବର୍ଷ ରାଜ୍ୟକୁ ପ୍ରଥମ ଥର ଉଭୟ ଅଲିମ୍ପିକ୍ସ ଓ ପାରାଲିମ୍ପିକ୍ସ ପଦକ ଆସିଛି। ଟୋକିଓ ଅଲିମ୍ପିକ୍ସରେ କାଂସ୍ୟ ପଦକ ଜିତିଥିବା ଭାରତୀୟ ହକି ଦଳର ଦୁଇ ଓଡ଼ିଆ ତାରକା ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହି ଦାସ ସଦସ୍ୟ ରହିବା ପରେ ରାଜ୍ୟ କ୍ରୀଡ଼ା ଇତିହାସରେ ସଫଳତାର ନୂଆ ଅଧ୍ୟାୟ ଯୋଡ଼ି ହୋଇଛି। ସେହିଭଳି ପାରାଲିମ୍ପିକ୍ସରେ ପ୍ରମୋଦ ଭଗତ ସ୍ବର୍ଣ୍ଣ ପଦକ ଜିତିବାର ବିରଳ ସଫଳତା ଲାଭ କରିଛନ୍ତି। ଏବେ ଆଉ ଏକ ‘ପ୍ରଥମ’ ରାଜ୍ୟକ୍ରୀଡ଼ା ପାଇଁ ଅପେକ୍ଷା କରି ରହିଛି। ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ‘ମେଜର ଧ୍ୟାନଚାନ୍ଦ ଖେଳରତ୍ନ’ ପୁରସ୍କାର ଦୌଡ଼ରେ ପ୍ରମୋଦ ସାମିଲ ହୋଇଛନ୍ତି। ସେ ଏହି ସମ୍ମାନଜନକ ପୁରସ୍କାର ଜିତିବାର ବି ଯଥେଷ୍ଟ ସମ୍ଭାବନା ରହିଛି। ଏହା ହେଲେ ଖେଳରତ୍ନ ପୁରସ୍କାର ଜିତିବାରେ ଓଡ଼ିଶାର ପ୍ରଥମ ଖେଳାଳି ହେବେ ପ୍ରମୋଦ।

ପୂର୍ବରୁ ୯ ଜଣ ଓଡ଼ିଆ ଅର୍ଜୁନ ପୁରସ୍କାର ପାଇଛନ୍ତି। ରାଜ୍ୟ ବାହାରେ ରହୁଥିବା ମୁଷ୍ଟିଯୁଦ୍ଧ ଗୁରୁ ବ୍ରଜଭୂଷଣ ମହାନ୍ତି ଦ୍ରୋଣାଚାର୍ଯ୍ୟ ପୁରସ୍କାର ଲାଭ କରିଛନ୍ତି। ହେଲେ ଏପର୍ଯ୍ୟନ୍ତ କେହି ବି ଖେଳରତ୍ନ ପୁରସ୍କାର ପାଇନାହାନ୍ତି। ଅର୍ଜୁନ ପୁରସ୍କାର ଜିତିଥିବା ଓଡ଼ିଆ ଖେଳାଳିମାନେ ହେଲେ ମିନତୀ ମହାପାତ୍ର (ସାଇକ୍ଲିଂ, ୧୯୮୦), ବିଜୟ କୁମାର ଶତପଥୀ (ଭାରେ‌ାତ୍ତୋଳନ, ୧୯୮୨), ରଚିତା ପଣ୍ଡା ମିସ୍ତ୍ରୀ ( ଦୌଡ଼କୁଦ, ୧୯୯୮), ଦିଲୀପ ତିର୍କି (ହକି, ୨୦୦୨), ଜ୍ୟୋତି ସୁନିତା କୁଲୁ (ହକି, ୨୦୦୭), ଇଗ୍ନେସ ତିର୍କି (ହକି, ୨୦୦୯), ରବି କୁମାର (ଭାରୋତ୍ତୋଳନ, ୨୦୧୦), ପ୍ରମୋଦ ଭଗତ (ପାରାବ୍ୟାଡମିଣ୍ଟନ୍, ୨୦୧୯), ଦୂତି ଚାନ୍ଦ (୨୦୨୦)। ପୂର୍ବରୁ ଅର୍ଜୁନ ପୁରସ୍କାର ଲାଭ କରି ସାରିଥିବା ପ୍ରମୋଦ ଯଦି ଖେଳ ରତ୍ନ ପୁରସ୍କାର ଲାଭ କରନ୍ତି, ତାହଲେ ଉଭୟ ‌ଅର୍ଜୁନ ଓ ଖେଳ ରତ୍ନ ପୁରସ୍କାର ପାଇବା‌ରେ ରାଜ୍ୟର ପ୍ରଥମ ଖେଳାଳି ହେବାର ଗୌରବ ମଧ୍ୟ ଅର୍ଜନ କରିବେ।

ସମ୍ବନ୍ଧିତ ଖବର