ଭୁବନେଶ୍ବର: ପାରା ବ୍ୟାଡ୍‌ମିଣ୍ଟନ୍ କିଂବଦନ୍ତି ପ୍ରମୋଦ ଭଗତ ନିଜ ପ୍ରତ୍ୟାବର୍ତ୍ତନ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତି ଏହାକୁ ସ୍ମରଣୀୟ କରିଛନ୍ତି। ୱାଡା ନିୟମ ଉଲ୍ଲଂଘନ ପାଇଁ ବାସନ୍ଦାଦେଶର ସମ୍ମୁଖୀନ ‌ହୋଇଥିବା ପ୍ରମୋଦ ଚାଇନା ପାରା ବ୍ୟାଡ୍‌ମିଣ୍ଟନ୍ ପ୍ରତିଯୋଗିତାର ପୁରୁଷ ଏସ୍‌ଏଲ୍‌-୩ ବର୍ଗରେ ଚମତ୍କାର ପ୍ରଦର୍ଶନ କରି ବିଜେତା ହୋଇଥିଲେ। ତା’ ସହିତ ଅନ୍ତର୍ଜାତୀୟ ପ୍ରତିଯୋଗିତାରୁ ୧୮ମାସ ଧରି ଅନୁପସ୍ଥିତ ରହିବାର ଦୁଃଖ ଦୂର କରିଛନ୍ତି। ଏହି ଭାବବିହ୍ବଳ ପ୍ରତ୍ୟାବର୍ତ୍ତନ ତାଙ୍କ ଅପୂର୍ବ ଦକ୍ଷତା, ଲଢ଼ୁଆ ପ୍ରବୃତ୍ତି ଏବଂ ପରିସ୍ଥିତି ଅନୁଯାୟୀ ଖେଳିବାର ନମନୀୟତାକୁ ଦର୍ଶାଉଛି। ତେବେ ତାଙ୍କର ଏହି ‘ପ୍ରତ୍ୟାବର୍ତ୍ତନ ସ୍ବର୍ଣ୍ଣ’ ବିଜୟ ଥିଲା ବେଶ୍ ନାଟକୀୟ। ଇଣ୍ଡୋନେସିଆର ମୁ ଅଲ୍‌ ଇମ୍ରାନଙ୍କ ବିପକ୍ଷ ଫାଇନାଲ୍‌ର ପ୍ରଥମ ସେଟ୍‌କୁ ୧୫-୨୧ରେ ହାରିବା ପରେ ସେ ଅସାଧାରଣ ଏକାଗ୍ରତାର ପରିଚୟ ଦେଇ ପରବର୍ତ୍ତୀ ଦୁଇ ସେଟ୍‌କୁ ୨୧-୧୯, ୨୧-୧୬ରେ ଜିତି ଇତିହାସ ରଚିଥିଲେ।

Advertisment

ସେହିଭଳି ସୁକାନ୍ତ କଦମଙ୍କୁ ସାଥୀ କରି ପୁରୁଷ ଯୁଗଳରେ ରୌପ୍ୟ ପଦକ ପାଇଥିଲେ। ଉଭୟ କଡ଼ା ଟକ୍କର ଦେବା ସତ୍ତ୍ବେ ଅନ୍ୟତମ ଭାରତୀୟ ଯୋଡ଼ି ଜଗଦୀଶ ଦିଲି ଓ ନବୀନ ଶିବକୁମାରଙ୍କଠାରୁ ୧୮-୨୧, ୨୨-୨୦, ୧୮-୨୧ରେ ହାରି ଯାଇଥିଲେ। ଯୁଗଳ ପଦକ ବିଜୟ ପରେ ପ୍ରମୋଦ କହିଥିଲେ, ୧୮ମାସ ପରେ କୋର୍ଟକୁ ଫେରି ନିଜ ଦକ୍ଷତାର ପ୍ରମାଣ ଦେଇଛି। ଏହି ଖୁସିର କୌଣସି ମୂଲ୍ୟ ନାହିଁ। ଏଥିଲାଗି ମୁଁ  ମୋ ପ୍ରଶିକ୍ଷକ, ସମର୍ଥକ ଏବଂ ମୋ ଉପରେ ଭରସା ରଖିଥିବା ପ୍ରତିଟି ବ୍ୟକ୍ତିଙ୍କୁ ହୃଦୟର ଗଭୀରତମ କୋଣରୁ କୃତଜ୍ଞତା ଜଣାଉଛି। ଏହା ମୋ ପ୍ରତ୍ୟାବର୍ତ୍ତନର ନୂଆ କାହାଣୀ। ଏହି ରେକର୍ଡଭରା ସଫଳତା ଲାଗି ପ୍ରମୋଦଙ୍କୁ ତାଙ୍କ ପ୍ରଶିକ୍ଷକ ଶିବପ୍ରସାଦ ଦାସ, ପାରା ସ୍ପୋର୍ଟସ ସଂଘର ସଭାପତି କମଳାକାନ୍ତ ରଥ ଓ ସଂପାଦକ ସୁନୀଲ ପ୍ରଧାନ ଅଭିନନ୍ଦନ ଜଣାଇଛନ୍ତି।