ବ୍ୟାଙ୍କକ୍‌ : କ୍ରମାଗତ ଦୁଇଟି ପରାଜୟ ସହ ଚଳିତ ବିଡବ୍ଲୁଏଫ୍‌ ବିଶ୍ବ ଟୁର୍‌ ଫାଇନାଲ୍ସର ସେମିଫାଇନାଲ୍‌ ଦୌଡ଼ରୁ ବାଦ୍‌ ପଡ଼ିସାରିଥିବା ଭାରତୀୟ ତାରକା ଏଚ୍‌ଏସ୍‌ ପ୍ରଣୟ ଅନ୍ତିମ ଗ୍ରୁପ୍‌ ମ୍ୟାଚ୍‌ରେ ବିପର୍ଯ୍ୟୟ ସୃଷ୍ଟି କରିଛନ୍ତି। ଶୁକ୍ରବାର ଗ୍ରୁପ୍‌-ଏ’ରେ ନିଜର ତୃତୀୟ ମ୍ୟାଚ୍‌ରେ ପ୍ରଣୟ ବିଶ୍ବ ମାନ୍ୟତାର ଏକ ନମ୍ବର ତଥା ଅଲିମ୍ପିକ୍‌ ବିଜେତା ଭିକ୍ଟର ଆକ୍ସେଲ‌ସେନ୍‌ଙ୍କୁ ପରାସ୍ତ କରି ବିଜୟ ସହ ଅଭିଯାନ ଶେଷ କରିଛନ୍ତି। ଏହି ମୁକାବିଲା ୫୧ ମିନିଟ୍‌ ଧରି ଚାଲିବା ପରେ ବିଶ୍ବ ମାନ୍ୟତାର ଦ୍ବାଦଶ ପ୍ରଣୟ ୧୪-୨୧, ୨୧-୧୭ ଓ ୨୧-୧୮ରେ ଆକ୍ସେଲସେନ୍‌ଙ୍କୁ ପରାସ୍ତ କରି ଚକିତ କରିଦେଇଥିଲେ। ପରାଜୟ ସତ୍ତ୍ବେ ଆକ୍ସେଲସେନ୍‌ ପ୍ରଥମ ଦୁଇ ମ୍ୟାଚ୍‌ ଜିତିଥିବାରୁ ସେମିଫାଇନାଲ୍‌ରେ ସ୍ଥାନ ସୁରକ୍ଷିତ କରିନେଇଛନ୍ତି।