ପ୍ରଣୟଙ୍କୁ ପ୍ରଭାବିତ କରିଛି କୋଭିଡ୍-୧୯, ଦେଢ଼ମାସ ମଧ୍ୟରେ ସୁଧାର ନଆସିଲେ ପରିସ୍ଥିତି ଆହୁରି ଖରାପ ହେବ

ନୂଆଦିଲ୍ଲୀ: କୋଭିଡ୍‌-୧୯ ମହାମାରୀ ଯୋଗୁଁ ଭାରତୀୟ ବ୍ୟାଡମିଣ୍ଟନ ତାରକା ଏଚ୍‌ଏସ୍‌ ପ୍ରଣୟ ଉଭୟ ଭାବପୂର୍ଣ୍ଣ ଓ ଆର୍ଥିକ ଭାବେ ପ୍ରଭାବିତ ହୋଇଛନ୍ତି। ତାଙ୍କ ମତରେ ଯଦି ଆଗାମୀ ଦେଢମାସ ମଧ୍ୟରେ ପରିସ୍ଥିତିରେ ସାମାନ୍ୟ ସୁଧାର ନଆସେ ବାତାବରଣ ଆହୁରି ଖରାପ ହୋଇଯିବ। ଏହା କୌଣସି ସଂସ୍ଥା ପାଇଁ ଆଦୌ ଭଲ ନୁହେଁ। ସବୁକିଛି ପ୍ରାୟୋଜକଙ୍କ ଉପରେ ନିର୍ଭର କରୁଥିଲା ବେଳେ ବର୍ତ୍ତମାନ ସେମାନଙ୍କର ଆୟ ବନ୍ଦ ହୋଇଯାଇଛି। ତେଣୁ ଏହା କ୍ରୀଡ଼ା ଦୁନିଆକୁ ମଧ୍ୟ ପ୍ରଭାବିତ କରିବ ବୋଲି ‌ଏକ ସାକ୍ଷାତକାରରେ ପ୍ରଣୟ କହିଛନ୍ତି। ସେ କହିଛନ୍ତି ଯେ ବ୍ୟାଡମିଣ୍ଟନରେ ଆମକୁ ଅଳ୍ପକିଛି ସ୍ଥାନରୁ ଆର୍ଥିକ ସହଯୋଗ ମିଳୁଛି। ଯଦି କିଛି ଦିନ ପରେ ତାହା ମିଳିବା ବନ୍ଦ ହୋଇଯାଏ, ଏହା ଖେଳାଳିମାନଙ୍କ ପାଇଁ ବଡ଼ ସମସ୍ୟା ସୃଷ୍ଟି କରିବ। ତେଣୁ ଏଭଳି ପରିସ୍ଥିତି ଦେଢମାସ ପରେ ସ୍ବାଭାବିକ ହୋଇଯାଉ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।

ବିଶ୍ବର କ୍ରୀଡ଼ାବିତ୍‌ଙ୍କ ମଧ୍ୟରୁ ଟେନିସ ତାରକା ସେରେନା ୱିଲିୟମ୍ସ ଓ ସନ୍ତରଣକାରୀ ମାଇକେଲ ଫେଲେପ୍ସ ମଧ୍ୟ ଏଭଳି ତାଲାବନ୍ଦ ଦ୍ବାରା ଖେଳାଳିମାନଙ୍କ ମାନସିକ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପଡୁଥିବା କଥା କହିଥିଲେ। ତେବେ ପାଖାପାଖି ୮୦ ପ୍ରତିଶତ ‌ଖେଳାଳିଙ୍କ ମନରେ ବାହାରେ ଯାଇ ଖେଳିବା ପାଇଁ ଉତ୍କଣ୍ଠା ରହିଛି। କେବଳ କ୍ରୀଡ଼ାବିତ୍‌ ନୁହଁନ୍ତି, ପ୍ରତ୍ୟେକ ବ୍ୟକ୍ତି ଏବେ ଏହି ମାନସିକ ସ୍ଥିତି ମଧ୍ୟରେ ଗତି କରୁଛନ୍ତି। କିନ୍ତୁ ଆମ ପାଖରେ କୌଣସି ବିକଳ୍ପ ନଥିବା ପ୍ରଣୟ କହିଛନ୍ତି। ଏହାକୁ ଆମେ ସକାରାତ୍ମକ ଢଙ୍ଗରେ ନେବା ଉଚିତ୍‌। ଏବେ ଆମର ଦୈନନ୍ଦିନ ଜୀବନରେ ଯାହା ଘଟୁଛି ଓ ଆମର ପେସାଦାର ଜୀବନୀ ମଧ୍ୟରେ ଯାହା କରିପାରିନାହୁଁ ସେଥିରୁ ଖୁସି ସାଉଁଟିବାକୁ ପଡ଼ିବ। ଶାରୀରିକ ଭାବେ ସୁସ୍ଥ ରହିବା ସହ ଏହା ଆମର ମାନସକ ଓ ଶାରୀରିକ ସ୍ଥିତିକୁ ସନ୍ତୁଳିତ କରିବ।

ଇଂଲଣ୍ଡରେ କରୋନା ଭୂତାଣୁ ବାହାରିଥିବାରୁ ସେ ଅଲ୍‌ ଇଂଲଣ୍ଡ ପ୍ରତିଯୋଗିତାରେ ଅଂଶଗ୍ରହଣ କରିନଥିଲେ। ଏହି ଭୂତାଣୁ ନେଇ ଚାରିଆଡ଼େ ଭୟର ବାତାବରଣ ଦେଖାଦେଇଥିଲା ବେଳେ ଉକ୍ତ ପ୍ରତିଯୋଗିତା ଆୟୋଜନ ପାଇଁ ବିଶ୍ବ ବ୍ୟାଡମିଣ୍ଟନ ମହାସଂଘ (ବିଡବ୍ଲୁଏଫ୍‌)ର ଅନୁମତି ଉପରେ ପ୍ରଣୟ ଉଦ୍‌ବେଗ ପ୍ରକାଶ କରିଥିଲେ। ବର୍ତ୍ତମାନ ବିଡବ୍ଲୁଏଫ୍‌ ସମସ୍ତ ମାନ୍ୟତାପ୍ରାପ୍ତ ପ୍ରତିଯୋଗିତାଗୁଡ଼ିକୁ ମାର୍ଚ୍ଚ ୧୭ ତାରିଖଠୁ ବାତିଲ କରିଦେଇଛି। ଏହି ନିଷ୍ପତ୍ତିକୁ ପ୍ରଣୟ ସ୍ବାଗତ କରିଥିଲେ ବି ଖେଳାଳିଙ୍କ ହିତକୁ ଦୃଷ୍ଟିରେ ରଖି ମହାସଂଘ ଆଗରୁ ନିଷ୍ପତ୍ତି ନେବାର ଥିଲା। ଯେପର୍ଯ୍ୟନ୍ତ ଖେଳାଳିମାନେ ମାମଲାକୁ ସାମାଜିକ ଗଣମାଧ୍ୟମକୁ ଆଣିନଥାନ୍ତେ, ମହାସଂଘ କିଛି ପଦକ୍ଷେପ ନେଇନଥାନ୍ତା ବୋଲି ୨୭ ବର୍ଷିୟ ପ୍ରଣୟ କହିଛନ୍ତି।
ଅନ୍ୟପକ୍ଷରେ ବଡ଼ଧରଣର ପ୍ରତିଯୋଗିତାଗୁଡ଼ିକରେ ଭିଡିଓ ରେଫରାଲ ବିକଳ୍ପକୁ ସଠିକ୍‌ ବ୍ୟବହାର ପାଇଁ ବିଡବ୍ଲୁଏଫ୍‌ ଏହାର ନିୟମାବଳିରେ ପରିବର୍ତ୍ତନ ଆଣିବା ସହିତ ଭଲ ଅମ୍ପାୟାର ନିଯୁକ୍ତି କରିବାକୁ ସେ ପରାମର୍ଶ ଦେଇଛନ୍ତି। ମହାସଂଘ ଖେଳାଳିମାନଙ୍କୁ ପ୍ରାଧାନ୍ୟ ଦେବା ଉଚିତ୍‌। ବ୍ୟାଡମିଣ୍ଟନରେ ଅଧିକ ଟଙ୍କା ନାହିଁ। ଏହି ଖେଳରେ ଯେତେ ନିୟମ ରହିଛି, ସେଗୁଡ଼ିକରୁ ଅଧିକାଂଶ ନିୟମ ଖେଳାଳିଙ୍କ ପାଇଁ ସହାୟକ ହେଉନି। ଏହାବାଦ୍‌ ଅମ୍ପାୟାରିଂ ଭଳି ଏକ ଛୋଟ ବିଷୟ ଖେଳ ଉପରେ ବଡ଼ ପ୍ରଭାବ ପକାଉଛି ଏବଂ ଖେଳାଳିମାନେ ଅଯଥା ଚାପରେ ରହୁଥିବା ପ୍ରଣୟ କହିଛନ୍ତି। ଭିଡିଓ ଲାଇନ୍‌ ଆବେଦନ କେବଳ ମୁଖ୍ୟ କୋର୍ଟରେ ବାଧ୍ୟତାମୂଳକ ଭାବେ ବ୍ୟବହାର ନକରି ବରଂ ସବୁ କୋର୍ଟରେ ଏହାକୁ ରଖାଯିବାକୁ ସେ ପରାମର୍ଶ ଦେଇଛନ୍ତି। ଅଲଇଂଲଣ୍ଡ ଭଳି ଏତେବଡ଼ ପ୍ରତିଯୋଗିତାରେ ଏହି ନିୟମକୁ ଲାଗୁ କରାଯାଉନାହିଁ। ତେଣୁ ଏଭଳି ନିୟମ ରହିବାର କୌଣସି ଅର୍ଥ ନଥିବା ସେ ହୃଦ୍‌ବୋଧ କରିଛନ୍ତି।

ତଥାପି ଏଭଳି ବାଧ୍ୟତାମୂଳକ ବିରତି ଯୋଗୁଁ ତାଙ୍କୁ ନିଜ ଶାରୀରିକ ଦକ୍ଷତା ବୃଦ୍ଧି କରିବା ଓ ଖେଳ ବିଷୟରେ ଅଧିକ ଚିନ୍ତା କରିବାକୁ ସୁଯୋଗ ଦେଇପାରିଛି। ଏବେ ତାଙ୍କର ଟ୍ରେନର ଡିନାଜଙ୍କଠୁ ଭିଡିଓ କନଫରେନ୍ସ ମାଧ୍ୟମରେ ଶାରୀରିକ ଭାବେ ସୁସ୍ଥ ରଖିବା ପାଇଁ ପ୍ରଶିକ୍ଷଣ ନେଉଛନ୍ତି। ଏହାଦ୍ବାରା ସେ ମୂଳକୁ ଫେରିଯିବେ ଓ ସେଠାରୁ କିପରି ପୁଣି ଥରେ ଖେଳ ଆରମ୍ଭ କରିହେବ, ତାହା ଉପରେ ଚିନ୍ତା କରିପାରିବେ ବୋଲି ମତ ଦେଇଛନ୍ତି। କାରଣ ଆହତ ହେଲେ, ସେଥିରୁ ମୁକୁଳିବା କଷ୍ଟକର ହୋଇଥାଏ। ତେଣୁ ୧୫ରୁ ୨୧ଦିନ ବିରତି ମଧ୍ୟରେ ସମସ୍ତେ ସୁସ୍ଥ ହୋଇ ବାହାରିବେ ଏବଂ ଭଲ ଫଳାଫଳ ପାଇଁ କ’ଣ ଭଲ କରିହେବ ତାହା ବୁଝିହେବ ବୋଲି ପ୍ରଣୟ କହିଛନ୍ତି।

ସମ୍ବନ୍ଧିତ ଖବର