ମାଲେସିଆ ମାଷ୍ଟର୍ସ ଫାଇନାଲ୍‌ରେ ପ୍ରଣୟ

ସେମିରେ ଅଟକିଲେ ସିନ୍ଧୁ

କୁଆଲାଲୁମ୍ପୁର : ତାରକା ଭାରତୀୟ ସଟଲର୍‌ ଏଚ୍‌ଏସ୍‌ ପ୍ରଣୟ ଏଠାରେ ଚାଲିଥିବା ମାଲେସିଆ ମା‌ଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାର ପୁରୁଷ ଏକକ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଶନିବାର ସେମିଫାଇନାଲ୍‌ରେ ତାଙ୍କ ଇଣ୍ଡୋନେସିଆ ପ୍ରତିଦ୍ବନ୍ଦ୍ବୀ ଖ୍ରିଷ୍ଟିଆନ ଆଦିନାତା ଆଣ୍ଠୁ ଯନ୍ତ୍ରଣା ଯୋଗୁଁ ମ୍ୟାଚ୍‌ ଅଧାରୁ ଓହରି ଯିବାରୁ ପ୍ରଣୟ ଅନାୟାସରେ ବିଜୟୀ ହୋଇଥିଲେ। ନବମ ମାନ୍ୟତାପ୍ରାପ୍ତ ପ୍ରଣୟ ୧୯-୧୭ରେ ପ୍ରଥମ ସେଟ୍‌‌ ଆଗରେ ଥିଲା ବେଳେ ଆଦିନାତାଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା। ସେ ଆଉ ଖେଳିବାକୁ ସକ୍ଷମ ହୋଇନଥିଲେ। ଏହି ସହଜ ବିଜୟ ସହ ପ୍ରଣୟ ଚଳିତ ଋତୁରେ ପ୍ରଥମ ଫାଇନାଲ୍‌‌ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ପ୍ରଣୟ ରବିବାର ଟ୍ରଫି ଲଢ଼େଇରେ ଚୀନ୍‌ର ୱେଙ୍ଗ ହଙ୍ଗ ୟାଙ୍ଗଙ୍କୁ ଭେଟିବେ। ‌ଅନ୍ୟ ସେମିଫାଇନାଲ୍‌ରେ ୱେଙ୍ଗ ୨୧-୧୩, ୨୧-୧୯ରେ ଚାଇନିଜ୍‌ ତାଇପେର ଲିନ୍‌ ଚୁନ୍‌-ୟିଙ୍କୁ ହରାଇଥିଲେ।

ତେବେ ୨ ଥର ଅଲିମ୍ପିକ୍‌ ପଦକ ବିଜୟିନୀ ପିଭି ସିନ୍ଧୁଙ୍କ ଅଭିଯାନ ସେମିଫାଇନାଲ୍‌ରେ ଶେଷ ହୋଇଛି। ମହିଳା ଏକକ ମୁକାବିଲାରେ ‌ସିନ୍ଧୁ ୧୪-୨୧, ୧୭-୨୧ରେ ଇଣ୍ଡୋନେସିଆର ମିରିସ୍କା ତୁନଜୁଙ୍ଗଙ୍କଠୁ ହାରି ଯାଇଥିଲେ।

ସମ୍ବନ୍ଧିତ ଖବର