ରସେଲ କେକେଆର୍‌ ପାଇଁ ବୋଝ: ପ୍ରଜ୍ଞାନ

ହାଇଦ୍ରାବାଦ: ଚଳିତ ଆଇପିଏଲ୍‌ରେ କୋଲ୍‌କାତା ନାଇଟ୍‌ ରାଇଡର୍ସ (କେକେଆର୍‌)ର ଅଲ୍‌ରାଉଣ୍ଡର ଆନ୍ଦ୍ରେ ରସେଲ ଯେଭଳି ପ୍ରଦର୍ଶନ କରିଚାଲିଛନ୍ତି ତାହାକୁ କଟୁ ସମାଲୋଚନା କରିଛନ୍ତି ଭାରତୀୟ ଦଳର ପୂର୍ବତନ ସ୍ପିନର ପ୍ରଜ୍ଞାନ ଓଝା। ରସେଲ ଚଳିତ ଋତୁରେ କେକେଆର୍‌ ପାଇଁ ବୋଝ ପା‌ଲଟିଯାଇଛନ୍ତି ବୋଲି ପ୍ରଜ୍ଞାନ କହିଛନ୍ତି। ପୁଣି ପ୍ରତିଯୋଗିତା ମଝିରେ ଦୀନେଶ କାର୍ତ୍ତିକଙ୍କ ବଦଳରେ ଇଅନ୍‌ ମୋର୍ଗାନ୍‌ ଦଳର ନେତୃତ୍ବ ନେବା ଏବଂ ପରାଜୟରୁ ଆରମ୍ଭ କରିବା ଦଳ ପାଇଁ ଶୁଭଙ୍କର ନୁହେଁ ବୋଲି ସେ କହିଛନ୍ତି।

ଶୁକ୍ରବାର କେକେଆର୍‌ ଦଳ କ୍ରମାଗତ ଦ୍ବିତୀୟ ଥର ପାଇଁ ମୁମ୍ବାଇ ଇଣ୍ଡିଆନ୍‌ସ ନିକଟରୁ ପରାସ୍ତ ହୋଇଥିଲା। ଦୁଇ ଥର ବିଜେତା କେକେଆର୍‌ ୮ ୱିକେଟ୍‌ ହାରିଯିବାକୁ ପ୍ରଜ୍ଞାନ ସହଜ‌ରେ ଗ୍ରହଣ କରିପାରୁନାହାନ୍ତି। ପୁଣି କେକେଆର୍‌ ମଧ୍ୟ ମୁମ୍ବାଇ ବିପକ୍ଷରେ ୧୨ ମ୍ୟାଚ୍‌ରୁ ଏକାଦଶ ପରାଜୟ ବରଣ କରିଛି। ଯାହାକି ପରସ୍ପର ପ୍ରତିଦ୍ବନ୍ଦ୍ବିତା ମଧ୍ୟରେ ଫରକ୍‌କୁ ଦର୍ଶାଉଛି। ତେବେ ଏଥର ପରାଜୟ ପାଇଁ ବିଶେଷକରି ରସେଲଙ୍କୁ ଦାୟୀ କରିଛନ୍ତି ପ୍ରଜ୍ଞାନ। ରସେଲ ଜଣେ ଖ୍ୟାତିସଂପନ୍ନ ଅଲ୍‌ରାଉଣ୍ଡର ଭାବେ ଆଇପିଏଲ୍‌ର ଚଳିତ ‌ସଂସ୍କରଣକୁ ଆସିଥିଲେ। ହେଲେ ବ୍ୟାଟିଂରେ ପୂରା ଫ୍ଲପ୍‌ ମାରିଛନ୍ତି। ସେ ଏପର୍ଯ୍ୟନ୍ତ ୮ ମ୍ୟାଚ୍‌ ଖେଳିସା‌ରିଥିଲା ବେଳେ ମୋଟ ୮୩ ରନ୍‌ କରିଛନ୍ତି। ଶୁକ୍ରବାର ମୁମ୍ବାଇ ବିପକ୍ଷ ମ୍ୟାଚ୍‌ରେ ୧୫ ରନ୍‌ କରି ଯଶ୍‌ପ୍ରୀତ୍‌ ବୁମ୍‌ରାଙ୍କ ସର୍ଟର ବଲ୍‌ରେ ଆଉଟ୍‌ ହୋଇଯାଇଥିଲେ। ”‌ରସେଲ ଆଦୌ ଜଣେ ଉନ୍ନତଶୀଳ କ୍ରିକେଟର୍‌ ନୁହଁନ୍ତି କିମ୍ବା ସେ ତାଙ୍କ ଖେଳର ଧାରା ବଦଳାଇ ପାରନ୍ତିନି। ତୁମେ ସମସ୍ତ ପ୍ରମୁଖ ଖେଳାଳିଙ୍କୁ ଦେଖ, ସେମାନେ ସମସ୍ତେ ସେମାନଙ୍କର ଆଭିମୁଖ୍ୟ ପରିବର୍ତନ କରିଛନ୍ତି। କିନ୍ତୁ ରସେଲ ୪ ବର୍ଷ ତଳେ ଯେପରି ଖେଳୁଥିଲେ ଏବେ ବି ସେହିପରି ଖେଳୁଛନ୍ତି। ସେଇଥିପାଇଁ ହିଁ ସେ ଦଳ ଉପରେ ବୋଝ ପାଲଟିଛନ୍ତି” ବୋଲି ସ୍ପୋର୍ଟସତକ୍‌କୁ କହିଛନ୍ତି ପ୍ରଜ୍ଞାନ। ତୁମେ ବୁମ୍‌ରାଙ୍କୁ ଦେଖ। ସେ ଯେତେବେଳେ ମୁମ୍ବାଇ ଇଣ୍ଡିଆନ୍‌ସକୁ ଆସିଥିଲେ କିପରି ଥିଲେ ଏବଂ ଏବେ କ’ଣ ହୋଇଛନ୍ତି। ତୁମକୁ ଉନ୍ନତି କରିବାକୁ ହେବ। କ୍ରିକେଟ୍‌ ବିକଶିତ ହେଉଛି ଏବଂ ତୁମକୁ ବିକାଶ କରିବାକୁ ପଡ଼ିବ। କିନ୍ତୁ ତୁମେ ସ୍ଥିର ହୋଇ ରହିବା ଠିକ୍‌ ନୁହେଁ ବୋଲି ପ୍ରଜ୍ଞାନ କହିଛନ୍ତି।

ସମ୍ବନ୍ଧିତ ଖବର