ନୂଆଦିଲ୍ଲୀ : ତାରକା ବ୍ୟାଡମିଣ୍ଟନ ଖେଳାଳି ଏଚ୍‌ଏସ୍‌ ପ୍ରଣୟ ତାଇପେ ଓପନ୍‌ ସୁପର ୩୦୦ ପ୍ରତିଯୋଗିତାରୁ ବାଦ୍‌ ପଡ଼ିଛନ୍ତି। ଶୁକ୍ରବାର କ୍ବାର୍ଟରଫାଇନାଲ୍‌ ମ୍ୟାଚ୍‌ରେ ହଂକଂର ପଞ୍ଚମ ସିଡ୍‌ କା ଲଙ୍ଗ ଅଙ୍ଗସ୍‌ଙ୍କଠୁ ସିଧାସଳଖ ୧୯-୨୧, ୮-୨୧ରେ ୯ ନମ୍ବର ମାନ୍ୟତାପ୍ରାପ୍ତ ପ୍ରଣୟ ପରାଜିତ ହୋଇଥିଲେ। ମ୍ୟାଚ୍‌ ଆରମ୍ଭରୁ ସଂଘର୍ଷପୂର୍ଣ୍ଣ ହୋଇଥିଲା। କିନ୍ତୁ ପ୍ରଣୟଙ୍କ ଛୋଟ ଛୋଟ୍‌ ତ୍ରୁଟି ତାଙ୍କ ପାଇଁ ମହଙ୍ଗା ହୋଇଥିଲା। ଅଙ୍ଗସ୍‌ ମଧ୍ୟ ପ୍ରଣୟଙ୍କଠୁ ମିଳୁଥିବା ସୁଯୋଗକୁ ହାତଛଡ଼ା ନକରି ଶୀଘ୍ର ପଏଣ୍ଟ ହାସଲ କରିଥିଲେ। ଯାହାଫଳରେ ପ୍ରଥମ ଗେମ୍‌ ଅତି ନିକଟତର ହୋଇଥିଲା ବେଳେ ଦ୍ବିତୀୟ ଗେମ୍‌କୁ ଅଙ୍ଗସ୍‌ ଏକତରଫା କରିଦେଇଥିଲେ। ପ୍ରଣୟଙ୍କ ପରାଜୟ ସହ ତାଇପେ ଓପନ୍‌ରୁ ଭାରତୀୟ ଖେଳାଳିଙ୍କ ଅଭିଯାନ ଶେଷ‌ ହୋଇଛି।