ନୂଆଦିଲ୍ଲୀ : ଟେ‌ଷ୍ଟ୍‌ରେ ରନ୍‌ ପାଇଁ ସଂପ୍ରତି ସଂଘର୍ଷ କରୁଥିବା ଭାରତୀୟ ଓପନର୍‌ କେଏଲ୍‌ ରାହୁଲଙ୍କ ଉପରେ ବର୍ଷିବା ସହ କାଉଣ୍ଟି ଖେଳିବାକୁ ପରାମର୍ଶ ଦେଇଛନ୍ତି ପୂର୍ବତନ ଦ୍ରୁତ ବୋଲର ଭେ‌ଙ୍କଟେଶ ପ୍ରସାଦ। ଭାରତ ପକ୍ଷରୁ ୩୩ ଟେଷ୍ଟ୍‌ ଖେଳିଥିବା ପ୍ରସାଦ ମଧ୍ୟ ରାହୁଲଙ୍କ ବିଦେଶ-ଘର ରେକର୍ଡ ଓ ପରିସଂଖ୍ୟାନ୍‌ ସହ ‌ଶିଖର ଧାୱନ, ମୟଙ୍କ ଅଗ୍ରୱାଲ, ଶୁଭମନ ଗିଲ୍‌ ଓ ଅଜିଙ୍କ୍ୟ ରା‌ହ‌ାଣେଙ୍କ ସହ ତୁଳନା କରି ଏକାଧିକ ଟ୍ବିଟ୍‌ କରିଛନ୍ତି। ରାହୁଲ ୨୦୨୧ ଡିସେମ୍ବରରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ୍‌ ଶତକ ଅର୍ଜନ କରିଥିଲେ। ସଂପ୍ରତି ଚାଲିଥିବା ବର୍ଡର-ଗାଭାସ୍କର ଟ୍ରଫିରେ ରାହୁଲ ୨ ଟେଷ୍ଟ୍‌ ଖେଳିଥିଲା ବେଳେ ୧୨.୬୭ ହାରରେ ମାତ୍ର ୩୮ ରନ୍‌ କରିଛନ୍ତି।

Advertisment

ଟ୍ବିଟର୍‌ରେ ପ୍ରସାଦ ଲେଖିଛନ୍ତି ଯେ ବିଦେଶରେ ରାହୁଲଙ୍କ ଉଲ୍ଲେଖନୀୟ ରେକର୍ଡର ‌ଦୃଶ୍ୟ ଦେଖନ୍ତୁ। ବିଦେଶରେ ୫୬ ପାଳିରେ ତାଙ୍କ ହାରାହାରି ରହିଛି ୩୦। ବିଦେଶରେ ୬ ଶତକ ମାରିଛନ୍ତି କିନ୍ତୁ ହାରାହାରି ୩୦ ରହିଛି। ଆଉ ଏକ ଟ୍ବିଟ୍‌ କରିଛନ୍ତି ଯେ ବିଦେଶରେ ଓପନର୍‌ ଭାବେ ଶିଖର ଧାୱନଙ୍କ ହାରାହାରି ନିକଟରେ ଭଲ ରହିଛି। ୪ ଶତକ ସହ ହାରାହାରି ୪୦ ନିକଟତର ଅଛି। ଶ୍ରୀଲଙ୍କା ଓ ନ୍ୟୁଜିଲାଣ୍ଡରେ ଶତକ ମାରିବା ସହ ଘରୋଇ ରେକର୍ଡ ଭଲ ଥାଇ ମଧ୍ୟ ଟେଷ୍ଟ୍‌ ଦଳରେ ସେ ସ୍ଥାନ ପାଉନାହାନ୍ତି। ଅଷ୍ଟ୍ରେଲିଆରେ ଭଲ ଆରମ୍ଭ କରିବା ପରେ ମୟଙ୍କ ଅଗ୍ରୱାଲ ସଂଘର୍ଷ କରିଥିଲେ। କିନ୍ତୁ ତାଙ୍କର ଘରୋଇ ରେକର୍ଡ ବହୁତ ଭଲ। ୧୩ ପାଳିରେ ୨ଟି ଦ୍ବିଶତକ ଓ ଗୋଟିଏ ୧୫୦ ରନ୍‌ ସହ ହାରାହାରି ପାଖାପାଖି ୭୦ ରହିଛି। ସ୍ପିନ୍‌ ବିପକ୍ଷର ଭଲ ଖେଳୁଛନ୍ତି ବୋଲି ଟ୍ବିଟ୍‌ କରିଛନ୍ତି ସେ।

publive-image

ଏହି ଟେଷ୍ଟ୍‌ ଶୃଙ୍ଖଳାରେ ସ୍ଥାନ ପାଇନଥିବା ରାହାଣେଙ୍କୁ ପ୍ରଶଂସା କରିବା ସହ ଗାବାରେ ଅଷ୍ଟ୍ରେଲିଆ ବିପକ୍ଷରେ ଶୁବମନଙ୍କ ୯୧ ରନ୍‌କୁ ବିଦେଶରେ ଶ୍ରେଷ୍ଠ ଚତୁର୍ଥ ପାଳି ବୋଲି କହିଛନ୍ତି ପ୍ରସାଦ। ଗିଲ୍‌ ୧୪ ବିଦେଶ ପାଳିରେ ୩୭ ହାରାହାରି ରନ୍‌ କରିଛନ୍ତି। ଗାବାରେ ତାଙ୍କ ୯୧ ରନ୍‌ ଶ୍ରେ‌ଷ୍ଠ ଚତୁର୍ଥ ପାଳି ମଧ୍ୟରେ ରହିବ। ରାହାଣେ ବିଦେଶରେ ୫୦ ଟେଷ୍ଟ୍‌ ଖେଳିଥିଲା ବେଳେ ତାଙ୍କ ହାରାହାରି ୪୦ରୁ ଅଧିକ ରହିଛି। ସେ କ’ଣ ଫର୍ମ ପାଇଁ ଦଳରୁ ବାଦ୍‌ ପଡ଼ିଲେ.. ବୋଲି ପ୍ରସାଦ ଆଉ ଏକ ଟ୍ବିଟ୍‌ରେ ପ୍ରଶ୍ନ କରିଛନ୍ତି।

ଭାରତ ପ୍ରଥମ ଦୁଇ ଟେଷ୍ଟ୍‌ ଜିତି ବର୍ଡର-ଗାଭାସ୍କର ଟ୍ରଫି ନିଜ ପାଖରେ ରଖିଛି। ତୃତୀୟ ଟେଷ୍ଟ ଇନ୍ଦୋରରେ ମାର୍ଚ୍ଚ ୧ରୁ ଆରମ୍ଭ ହେବ। ଏହି ଟେଷ୍ଟ୍‌ ରାହୁଲଙ୍କ ପାଇଁ ସୁଯୋଗ ହେବ ବୋଲି ପ୍ରସାଦ ବିଶ୍ବାସ କରିଛନ୍ତି। କିନ୍ତୁ ରାହୁଲଙ୍କୁ ପରବର୍ତ୍ତୀ ଦୁଇ ଟେ‌ଷ୍ଟ୍‌ ଦଳରେ ରଖାଯାଇଛି। ଯଦି ସେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବେ ତେବେ ଏହା ତାଙ୍କ ପାଇଁ ସୁଯୋଗ ହେବ। ତାଙ୍କୁ କାଉଣ୍ଟି କ୍ରିକେଟ୍‌ ଖେଳିବା ଆବଶ୍ୟକ। ସେଠାରେ ଭଲ କରି ପୁଣି ଟେଷ୍ଟ୍‌ ଦଳକୁ ଫେରନ୍ତୁ ବୋଲି ପ୍ରସାଦ କହିଛନ୍ତି।