ବଲ୍‌ରେ ଝାଳ-ଲାଳ ପ୍ରୟୋଗକୁ ପ୍ରସାଦଙ୍କ ନାପସନ୍ଦ

ନୂଆଦିଲ୍ଲୀ: କୋଭିଡ୍‌-୧୯ କ୍ରୀଡ଼ା କ୍ଷେତ୍ରକୁ ଅତ୍ୟଧିକ ପ୍ରଭାବିତ କରିଛି। ଏହି କରୋନା ମୂତାଣୁ ମହାମାରୀ ରୁପ ନେଇଥିଲା ବେଳେ ସବୁ କ୍ରୀଡ଼ା ପ୍ରତିଯୋଗିତା ବନ୍ଦ ରହିଛି। ହେଲେ କରୋନା ପରବର୍ତୀ ଯୁଗରେ ଜୀବନକୁ ନେଇ ଏବେଠୁ ଆଲୋଚନା ଆରମ୍ଭ ହୋଇଯାଇଛି। ଏହା ହିଁ ଏବର ସବୁଠୁ ବଡ଼ ବିତର୍କ ପାଲଟିଯାଇଛି। ଏପରିସ୍ଥଳେ କରୋନା ଭୟ ଟଳିଯିବା ପରେ କ୍ରିକେଟ୍‌ ଆରମ୍ଭ ହେଲେ ବୋଲରମାନଙ୍କ ପାଇଁ କିପରି ରହିବ ତାହାକୁ ନେଇ ଚିତ୍ର ଅଙ୍କା ଯାଉଛି। କ୍ରିକେଟ୍‌ ବଲ୍‌ଲେ ଲାଳ ଓ ଝାଳ ପ୍ରୟୋଗ କରିବା ଦ୍ବାରା କରୋନା ସଂକ୍ରମଣର ଭୟ ରହିବ ବୋଲି କେତେକ ଭେଷଜ ବିଶେଷଜ୍ଞ କହୁଥିବାରୁ ଏହାକୁ ବନ୍ଦ କରିବା ପାଇଁ ଆଇସିସି ଚିନ୍ତା କରୁଛି। ସେଥିରେ ସମର୍ଥନ ଯୋଗାଇଛନ୍ତି ଭାରତୀୟ କ୍ରି‌କେଟ୍‌ ଦଳର ପୂର୍ବତନ ମୁଖ୍ୟ ଚୟନକର୍ତା ଏମ୍‌ଏସ୍‌କେ ପ୍ରସାଦ। ବଲ୍‌ରେ ଝାଳ ଓ ଲାଳ ବ୍ୟବହାର କରିବା ଉପରେ ବୋଲରଙ୍କ ପାଇଁ କଟକଣା ଲାଗୁ କରାଯିବା ଉଚିତ। ବିଭିନ୍ନ ଲୋକ ଏହି ପ୍ରସଙ୍ଗ ସପକ୍ଷରେ ଓ ବିପକ୍ଷରେ ମତ ରଖୁଥିଲା ବେଳେ ଏଭଳି କୌଶଳ ବା ବ୍ୟବସ୍ଥାକୁ ଉଚ୍ଛେଦ କରାଯିବା ସପକ୍ଷରେ ମତ ରଖିଛନ୍ତି ପ୍ରସାଦ। ବଲ୍‌କୁ ଚିକ୍କଣ ଏବଂ ସୁଇଂ କରିବା ପାଇଁ ଝାଳ ଓ ଲାଳର ବ୍ୟବହାର ବୋଲରଙ୍କ ଏକ ଅସ୍ତ୍ର ହୋଇଥାଏ। ତେଣୁ ଖେଳାଳିମାନେ ବଲ୍‌କୁ ଚିକ୍କଣ କରିବା ପାଇଁ ‌ସେମାନଙ୍କ ଝାଳ ଓ ଲାଳ ପ୍ରୟୋଗ କରିଥାନ୍ତି। ହେଲେ କ୍ରିକେଟ୍‌ର ନିୟମ କହୁଛି, ବଲ୍‌କୁ ଚିକ୍କଣ କରିବା ପାଇଁ ତା ଦେହରେ କୌଣସି ବାହ୍ୟ ଦ୍ରବ୍ୟର ବ୍ୟବହାର କରିବା ଅର୍ଥ ତାହା ବଲ୍‌ ଟାମ୍ପରିଂ ଅପରାଧ ସହ ସମାନ। ପୁଣି ସାଂପ୍ରତିକ କରୋନା ମହାମାରୀ ସ୍ଥିତିବେଳେ ଏଭଳି ବ୍ୟବସ୍ଥାକୁ ଉଠାଇ ଦିଆଯାଇ ତା’ଯାଗାରେ ଅନ୍ୟକିଛି ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ଆଇସିସି ଆଇନରେ ପରିବର୍ତନ ଆଣିବା ଦରକାର ବୋଲି ପ୍ରସାଦ ଷ୍ଟାର୍‌ ସ୍ପୋର୍ଟସ୍‌ ତେଲୁଗୁ ସୋ ‘କ୍ରିକେଟ କନେକ୍ଟେଡ୍‌-ଫିଲ୍‌ଡ ଗୁରୁଞ୍ଚି’ରେ ଏକ ବାର୍ତାଳାପ ବେଳେ କହିଛନ୍ତି।

ଅନ୍ୟପକ୍ଷରେ ଆଇସିସି ଯଦି ଏହାକୁ ବାରଣ କରେ ତାହାଲେ ବୋଲର ହତାଶ ହୋଇପଡ଼ିବେ। ସେଥିପାଇଁ ନିକଟରେ କୋଲ୍‌କାତା ନାଇଟ୍‌ ରାଇଡର୍ସ ପାଇଁ ଏକ ସାକ୍ଷାତକାର ଅବସରରେ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ପ୍ୟାଟ୍‌ କମିନ୍ସ ସମାଲୋଚନା କରିଥିଲେ। ଯଦି ବଲ୍‌ରେ ଝାଳ ଓ ଲାଳ ପ୍ରୟୋଗ ଦ୍ବାରା କରୋନା ସଂକ୍ରମଣର ଆଶଙ୍କା ରହୁଛି, ତାହାଲେ କ୍ରିକେଟ୍‌ ପ୍ରଥମେ ଆଦୌ ଆରମ୍ଭ ହେବା ଉଚିତ ନୁହେଁ ବୋଲି କମିନ୍ସ କହିଛନ୍ତି। ସେହିପରି ଭାରତୀୟ ବ୍ୟାଟ୍‌ସମ୍ୟାନ୍‌ ଶେୟସ ଆୟର ଏହାକୁ ସିଧାସଳଖ ସମାଲୋଚନା କରିନଥିଲେ ମଧ୍ୟ ଆଇନ ପ୍ରଣେତାମାନେ ହିଁ ଚୂଡାନ୍ତ ନିଷ୍ପତ୍ତି ନେବା ଉଚିତ ବୋଲି କହିଛନ୍ତି। ବଲ୍‌କୁ ଚିକ୍କଣ କରିବା ଦ୍ବାରା ବୋଲରଙ୍କୁ ଫାଇଦା ମିଳିଥାଏ। ଏହା ମଧ୍ୟ ତାଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ। ଆମେ ଯଦି ଖେଳ ଆରମ୍ଭ କରୁ ତାହାଲେ କୌଣସି କଟକଣା ରହିବା ଅନୁଚିତ। ଜଣେ ବ୍ୟାଟ୍‌ସମ୍ୟାନ୍‌ ଭାବେ ମୁଁ ବଲ୍‌କୁ ନୂଆ ରହିବାକୁ ଚାହିଁବି। ଆଉ ଜଣେ ବୋଲର ଭାବେ ବଲ୍‌ କିପରି ସୁଇଂ କରିବ ସେନେଇ ଗୁରୁତ୍ବ ଦେବି। ତେଣୁ ଉଭୟଙ୍କ ପାଇଁ ବଲ୍‌ ଚିକ୍କଣ ରହିବା ସମାନ ଗୁରୁତ୍ବପୂର୍ଣ୍ଣ। ତେଣୁ ଆଇନପ୍ରଣେତା ହିଁ ଏଦିଗରେ ଶେଷ ନିଷ୍ପତ୍ତି ନିଅନ୍ତୁ ବୋଲି ଆୟର ଆହ୍ବାନ କରିଛନ୍ତି।

ସମ୍ବନ୍ଧିତ ଖବର