ପ୍ରଶାନ୍ତ ସ୍ମାରକୀ କ୍ରିକେଟ୍‌: କମିସନରେଟ୍‌ ଓ ଜିଲ୍ଲା ପ୍ରଶାସନ ବିଜୟୀ

ଭୁବନେଶ୍ୱର: ଭୁବନେଶ୍ବର ଓକିଲ ସଂଘ ଆନୁକୁଲ୍ୟରେ ବିଜେବି କଲେଜ ଖେଳ ପଡ଼ିଆରେ ଚାଲିଥିବା ସପ୍ତମ ପ୍ରଶାନ୍ତ ରାଉତରାୟ ସ୍ମାରକୀ ଆଇନଜୀବୀ କ୍ରିକେଟ୍‌ ପ୍ରତିଯୋଗିତାର ଫାଇନାଲ୍‌ରେ ରବିବାର ପୁରୀ ବାର୍‌ ଆସୋସିଏସନ୍‌ ସହିତ ହାଇକୋର୍ଟ ବାର୍‌ ଆସୋସିଏସନ୍‌ର ମୁକାବିଲା ହେବ। ଏହା ପୂର୍ବରୁ ଶନିବାର ଖେଳାଯାଇଥିବା ଦୁଇଟି ପ୍ରଦର୍ଶନୀ ମ୍ୟାଚ୍‌ରେ କମିସନରେଟ୍‌ ପୁଲିସ୍ ଏବଂ ଜିଲ୍ଲା ପ୍ରଶାସନ ଏକାଦଶ ବିଜୟୀ ହୋଇଛନ୍ତି। କମିସନରେଟ୍‌ ପୁଲିସ୍‌ ୪ ୱିକେଟ୍‌ରେ ଗଣମାଧ୍ୟମ ଏକାଦଶକୁ ପରାସ୍ତ କରିଥିଲା। ଅଶୋକ‌ ସେଠୀ (୩୦) ଓ ସୋଲାଙ୍କୀ ସାମଲ (୨୧)ଙ୍କ ବଳରେ ଗଣମାଧ୍ୟମ ଏକାଦଶ ୧୨୨ ରନ୍ କରିଥିଲା।

ଦିବେଶ ପ୍ରଧାନ ଓ ମନୋଜ ପାଇକରାୟ ୨ ଲେଖାଏଁ ୱିକେଟ୍ ନେଇଥିଲେ। ଜବାବରେ ଦିବେଶ ପ୍ରଧାନଙ୍କ ୩୨ ଏବଂ ଡମ୍ବରୁ ରାଉତଙ୍କ ୨୨ ରନ୍ ବଳରେ କମିସନରେଟ୍‌ ପୁଲିସ୍‌ ୧୫ ଓଭରରେ ୬ ୱିକେଟ୍ ହରାଇ ୧୨୩ ରନ୍ ସଂଗ୍ରହ କରିନେଇଥିଲା। ଚମତ୍କାର ବୋଲିଂ କରିଥିବା ଗଣମାଧ୍ୟମ ଏକାଦଶର ଅଧିନାୟକ ମହମ୍ମଦ ଅଜିଜ୍‌ (୫/୧୮) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଦ୍ବିତୀୟ ପ୍ରଦର୍ଶନୀ ମ୍ୟାଚ୍‌ରେ ଜିଲ୍ଲା ପ୍ରଶାସନ ଦଳ ୯୨ ରନ୍‌ରେ ସଚିବାଳୟ ଏକାଦଶକୁ ପରାସ୍ତ କରିଥିଲା। ଆକର୍ଷଣୀୟ ଅର୍ଦ୍ଧଶତକ ହାସଲ କରିଥିବାରୁ ପ୍ରଫୁଲ୍ଲ କୁମାର ସ୍ବାଇଁ (୬୮*, ୩୫ ବଲ୍) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଆୟୋଜକ ବିବିଏ ସଭାପତି ମହମ୍ମଦ ଜିଆଉର୍‌ ହକ୍‌, ସମ୍ପାଦକ ରାଜକିଶୋର ଦାସ, ବରିଷ୍ଠ ଆଇନଜୀବୀ ଅଶୋକ ପାତ୍ର, ଜ୍ୟୋତି ମୋଟର୍ସ ନିର୍ଦ୍ଦେଶକ ଦିବ୍ୟଜ୍ୟୋତି ପଟ୍ଟନାୟକ ପ୍ରମୁଖ ଉଭୟ ମ୍ୟାଚ୍‌ରେ ଅତିଥି ଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର