ପ୍ରଶାନ୍ତ ରାଉତରାୟ ସ୍ମାରକୀ ଆଇନଜୀବୀ ଟ୍ବେଣ୍ଟି-୨୦ କ୍ରିକେଟ୍‌

ରେଭିନ୍ୟୁ ବାର୍‌-ଭୁବନେଶ୍ବର ବାର୍‌ ଫାଇନାଲ୍‌ ଆଜି

ଭୁବନେଶ୍ବର: ବୋର୍ଡ ଅଫ୍ ରେଭିନ୍ୟୁ ବାର୍‌ ସଂଘ ଏବଂ ଭୁବନେଶ୍ବର ବାର୍‌ ସଂଘ ମଧ୍ୟରେ ଆସନ୍ତାକାଲି ପଞ୍ଚମ ପ୍ରଶାନ୍ତ ରାଉତରାୟ ସ୍ମାରକୀ ନିଖିଳ ଓଡ଼ିଶା ଆଇନଜୀବୀ ଟ୍ବେଣ୍ଟି-୨୦ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ ମୁକାବିଲା ହେବ। ଶନିବାର ସେମିଫାଇନାଲ୍‌ରେ ରେଭିନ୍ୟୁ ବାର୍‌ ୩୧ ରନ୍‌ରେ ଢେଙ୍କାନାଳ ବାର୍‌ ସଂଘକୁ ଏବଂ ଭୁବନେଶ୍ବର ବାର୍‌ ୬ ୱିକେଟ୍‌ରେ କଟକ କ୍ରିମିନାଲ୍‌ ବାର୍‌ ସଂଘକୁ ପରାସ୍ତ କରିଛି। ପ୍ରଥମ ସେମିଫାଇନାଲ୍‌ରେ କ୍ରିମିନାଲ୍‌ ବାର୍‌ ଦଳ ଲବେନ୍ଦୁ ଦାଶଙ୍କ ୪୪, ତରୁଣ ପଟ୍ଟନାୟକଙ୍କ ୨୪ ଓ ଆୟୂଷ କୁଲ୍‌ରାଜଙ୍କ ୨୦ ରନ୍‌ ବଳରେ ୧୯.୩ ଓଭରରେ ସମସ୍ତ ୱିକେଟ୍‌ ହରାଇ କରିଥିଲା ୧୪୯ ରନ୍‌। ଭୁବନେଶ୍ବର ବାର୍‌ ପକ୍ଷରୁ ରାକେଶ ଜେନା ୪ ଓ କମଲ୍‌ ଜେନା ୩ ୱିକେଟ୍‌ ଦଖଲ କରିଥିଲେ। ଜବାବରେ ଜୟନ୍ତ ଜେନାଙ୍କ ୮୪ ଓ ସୁମନ ରାଉତରାଙ୍କ ୨୧ ରନ୍‌ ବଳରେ ଭୁବନେଶ୍ବର ବାର୍‌ ୧୭.୧ ଓଭରରେ ୪ ୱିକେଟ୍‌ ହରାଇ ବିଜୟ ଲକ୍ଷ୍ୟ ୧୫୦ ରନ୍‌ରେ ପହଞ୍ଚି ଯାଇଥିଲା। ଜୟନ୍ତ ଜେନାଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମାନସ ମହାପାତ୍ର ପ୍ରଦାନ କରିଥିାଲେ। ଦ୍ବିତୀୟ ସେମିଫାଇନାଲ୍‌ରେ ରେଭିନ୍ୟୁ ବାର୍‌ ରୁଦ୍ର ରଞ୍ଜନ ମହାପାତ୍ର (୩୮), ସୁମନ୍ତ ନାୟକ (୩୦), ସିଦ୍ଧାର୍ଥ ଶଙ୍କର ସାହୁ (୩୦) ଓ ସଂଗ୍ରାମ କେଶରୀ ସାହୁ (୨୧)ଙ୍କ ବଳରେ ୫ ୱିକେଟ୍‌ ହରାଇ କରିଥିଲା ୧୫୯ ରନ୍‌। ଜବାବରେ ସତିନ୍‌ କୁମାର ସାହୁଙ୍କ ୨୫, ଅଜିତ୍‌ ପଟ୍ଟନାୟକଙ୍କ ୨୧ ରନ୍‌ ସତ୍ତ୍ବେ ଢେଙ୍କାନାଳ ବାର୍‌ ୭ ୱିକେଟ୍‌ରେ ୧୨୮ ରନ୍‌ କରିପାରିଥିଲା। ରୁଦ୍ର ମହାପାତ୍ରଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ନିର୍ମଳ ପଟ୍ଟନାୟକ ପ୍ରଦାନ କରିଥିଲେ। ସୌମେନ୍ଦ୍ର ପାତ୍ର, ତପନ ‌କୁମାର ବେହେରା, ସୁଶୀଲ କୁମାର ସୁନ୍ଦରାୟ ମ୍ୟାଚ୍‌ ଦୁଇଟି ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର