ଭୁବନେଶ୍ବର : ଦ୍ବିତୀୟ ପ୍ରଶାନ୍ତ ମହାପାତ୍ର ସ୍ମାରକୀ ୧୬ ବର୍ଷରୁ କମ୍‌ କ୍ରିକେଟ୍‌ ପ୍ରତିଯୋଗିତାର ଫାଇନାଲ୍‌ରେ ଦ୍ବିତୀୟ ଦଳ ଭାବେ ଭୁବନେଶ୍ବରର ପ୍ରଗତି ସ୍ପୋର୍ଟିଂ ସ୍ଥାନ ସୁରକ୍ଷିତ କରିଛି। ବୁଧବାର ଦ୍ବିତୀୟ ସେମିଫାଇନାଲ୍‌ରେ ଏହି ଦଳ ଆୟୋଜକ ମୁକ୍ତେଶ୍ବର କ୍ରିକେଟ୍‌ କ୍ଲବ୍‌କୁ ୧୭୮ ରନ୍‌ର ବୃହତ୍‌ ବ୍ୟବଧାନରେ ପରାସ୍ତ କରିଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନେଇଥିବା ପ୍ରଗତି ୩୫ ଓଭରରେ ୭ ୱିକେଟ୍‌ ହରାଇ ୨୩୬ ରନ୍‌ କରିଥିଲା। ଅମନ ଦାଶ (୭୮ ରନ୍‌) ଓ ଯଶବନ୍ତ ପ୍ରଧାନ (୬୦ ରନ୍‌) ଅର୍ଦ୍ଧଶତକ ହାସଲ କରିଥିଲା ବେଳେ ଅସିମ ବରାଡ଼ ୩୦ ରନ୍‌ର ଅବଦାନ ରଖିଥିଲେ।

Advertisment

ମୁକ୍ତେଶ୍ବରର ଦିବ୍ୟେନ୍ଦୁ ପଣ୍ଡା, ଅର୍ପିତ ନାୟକ ଓ ସମରପ୍ରୀତ ପଟେଲ ୨ ଲେଖାଏଁ ୱିକେଟ୍‌ ନେଇଥିଲେ। ଜବାବ‌ରେ ମୁକ୍ତେଶ୍ବର ୧୬.୪ ଓଭରରେ ସମସ୍ତ ୱିକେଟ୍‌ ହରାଇ ମାତ୍ର ୫୮ ରନ୍‌ କରିପାରିଥିଲା। ପ୍ରଗତିର ସୌମ୍ୟ ରଂଜନ ମହାରଣା (୩/୮) ଓ ଅସିମ ବରାଡ଼ (୩/୧୩) ବୋଲିଂ ସଫଳତା ପାଇଥିଲେ। ଅଲ୍‌ରାଉଣ୍ଡ ପ୍ରଦର୍ଶନ ପାଇଁ ଅସିମଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ଏହାକୁ ଅତିଥି ଅୟୋଜକ କ୍ଲବ୍‌ର ବରିଷ୍ଠ ସଦସ୍ୟ ପ୍ରକାଶ ଚନ୍ଦ୍ର ଦାଶ ପ୍ରଦାନ କରିଥିଲେ। ଶୁକ୍ରବାର ଫାଇନାଲ୍‌ ମ୍ୟାଚ୍‌ରେ ପ୍ରଗତି‌ ସ୍ପୋର୍ଟିଂ ଓ ପାରାମାଉଣ୍ଟ ସ୍ପୋର୍ଟିଂ ମୁହାଁମୁହିଁ ହେବେ। ଏହା ପୂର୍ବରୁ ଗୁରୁବାର କିଟ୍‌ ମହିଳା ଓ ଭୁବନେଶ୍ବର ମହିଳା ମଧ୍ୟରେ ପ୍ରଦର୍ଶନୀ ମ୍ୟାଚ୍‌ ଅନୁଷ୍ଠିତ ହେବ।