ଭୁବନେଶ୍ବର: ପ୍ରଗତି ସ୍ପୋର୍ଟିଂ ପରେ ପାରାମାଉଣ୍ଟ ସ୍ପୋର୍ଟିଂ ଦ୍ବିତୀୟ ଦଳ ଭାବେ ଏଠାରେ ଚାଲିଥିବା ଦ୍ବିତୀୟ ପ୍ରଶାନ୍ତ ମହାପାତ୍ର ସ୍ମାରକୀ ୧୬ ବର୍ଷରୁ କମ୍ କ୍ରିକେଟ୍ ପ୍ରତିଯୋଗିତାର ସେମିଫାଇନାଲ୍ ସ୍ଥାନ ପକ୍କା କରିଛି। ଦୁଇ ଭୁବନେଶ୍ବର ଦଳ ମଧ୍ୟରେ ଶୁକ୍ରବାର ଖେଳାଯାଇଥିବା ଦ୍ବିତୀୟ କ୍ବାର୍ଟରଫାଇନାଲ୍ରେ ପାରାମାଉଣ୍ଟ ୧୯ ରନ୍ରେ ରାମେଶ୍ବର ସ୍ପୋର୍ଟିଂକୁ ପରାସ୍ତ କରିଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ ନେଇଥିବା ପାରାମାଉଣ୍ଟ ପ୍ରଣତୀକ ନାୟକଙ୍କ ୪୪ ରନ୍ ବଳରେ ୨୦ ଓଭରରେ ୩ ୱିକେଟ୍ ହରାଇ ୯୪ ରନ୍ କରିଥିଲା।
ରାମେଶ୍ବର ପକ୍ଷରୁ ତୀର୍ଥଙ୍କର ସାହୁ ଗୋଟିଏ ୱିକେଟ୍ ପାଇଥିଲେ। ଜବାବରେ ଦୁର୍ଗା ମଲ୍ଲିକ (୩/୧୧), ସାତ୍ତ୍ବିକ ସୁବୁଦ୍ଧି (୩/୨୧) ଏବଂ ସେକ୍ ନକିବ ସର୍ବର (୨/୩)ଙ୍କ ଘାତକ ବୋଲିଂ ନିକଟରେ ତିଷ୍ଠିନପାରି ରାମେଶ୍ବର ୭୫/୯ରେ ଅଟକି ଯାଇଥିଲା। କେବଳ ଶୁଭ୍ରଜିତ ମିଶ୍ର ୧୯ ରନ୍ କରିଥିଲେ। ଦୁର୍ଗା ମଲ୍ଲିକଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ରଣଜୀ ତାରକା ତଥା ଏସିଆ କପ୍ ବିଜେତା ୧୯ ବର୍ଷରୁ କମ୍ ଭାରତୀୟ ଦଳର ସଦସ୍ୟ ରାଜେଶ ମହାନ୍ତି ପ୍ରଦାନ କରିଥିଲେ।