ଭୁବନେଶ୍ବର: ପ୍ରଗତି ସ୍ପୋର୍ଟିଂ ପ୍ରଥମ ଦଳ ଭାବେ ଏଠାରେ ଚାଲିଥିବା ଦ୍ବିତୀୟ ପ୍ରଶାନ୍ତ ମହାପାତ୍ର ସ୍ମାରକୀ ୧୬ ବର୍ଷରୁ କମ୍ କ୍ରିକେଟ୍ ପ୍ରତିଯୋଗିତାର ସେମିଫାଇନାଲ୍ ସ୍ଥାନ ପକ୍କା କରିଛି। ଦୁଇ ଭୁବନେଶ୍ବର ଦଳ ମଧ୍ୟରେ ଗୁରୁବାର ଅନୁଷ୍ଠିତ ପ୍ରଥମ କ୍ବାର୍ଟରଫାଇନାଲ୍ରେ ପ୍ରଗତି ୩୨ ରନ୍ (ଡିଏଲ୍ଏସ୍ ମେଥଡ)ରେ ଗ୍ରିନ୍ କ୍ରିକେଟ ଏକାଡେମୀକୁ ପରାସ୍ତ କରିଛି।
ଟସ୍ ଜିତି ପ୍ରଥମେ ବ୍ୟାଟିଂ ନେଇଥିବା ଗ୍ରିନ୍ ଏକାଡେମୀ ମୃତ୍ୟୁଞ୍ଜୟ ମହାପାତ୍ର (୪୯ ରନ୍, ୩୩ ବଲ୍) ଓ ସୌମ୍ୟ ପାଣ୍ଡେ (୪୩ ରନ୍, ୫୦ ବଲ୍)ଙ୍କ ଭଲ ସ୍କୋର୍ ସତ୍ତ୍ବେ ୨୯.୪ ଓଭରରେ ୧୩୯ ରନ୍ କରି ସମସ୍ତ ୱିକେଟ୍ ହରାଇଥିଲା। ପ୍ରଗତି ପକ୍ଷରୁ ଈଶାନ ପାତ୍ର ୨୩ ରନ୍ରେ ୪ ଏବଂ ଅସିମ ବରାଡ଼ ୧୯ ରନ୍ରେ ୩ ୱିକେଟ୍ ଦଖଲ କରିଥିଲେ। ଜବାବରେ ଆଦିତ୍ୟ ଷଡ଼ଙ୍ଗୀ (୬୪ ରନ୍, ୬୦ ବଲ୍)ଙ୍କ ଅର୍ଦ୍ଧଶତକ ସାଙ୍ଗକୁ ଅସିମ ବରାଡ଼ଙ୍କ ଅପରାଜିତ ୪୫ (୫୫ ବଲ୍) ରନ୍ ବଳରେ ପ୍ରଗତି ୨୧.୫ ଓଭରରେ ୨ ୱିକେଟ୍ ହରାଇ ୧୨୩ ରନ୍ କରିଥିଲା। ଗ୍ରିନ୍ ପକ୍ଷରୁ ସୌମ୍ୟ ପାଣ୍ଡେ ୯ ରନ୍ରେ ୨ ୱିକେଟ୍ ନେଇଥିଲେ। ମ୍ୟାଚ୍ରେ ବର୍ଷା ବାଧକ ସାଜିବାରୁ ପ୍ରଗତିକୁ ୩୨ ରନ୍ରେ ବିଜୟୀ ଘୋଷିତ କରାଯାଇଥିଲା। ଅଲ୍ରାଉଣ୍ଡ ପ୍ରଦର୍ଶନ (୩/୧୯ ଓ ୪୫* ରନ୍) ପାଇଁ ଅସିମ ବରାଡ଼ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ରଣଜୀ ଟ୍ରଫି ଖେଳାଳି ପ୍ରତୀକ ଦାସ ଏହି ପୁରସ୍କାର ପ୍ରଦାନ କରିଥିଲେ।