ଭାରୋତ୍ତୋଳନ ଟେକ ରଖିଥିଲେ ପ୍ରଶ୍ମିତା

ଭୁବନେଶ୍ୱର: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଓଡ଼ିଶା ପାଇଁ ସର୍ବାଧିକ ୩ ବ୍ୟକ୍ତିଗତ ପଦକ ଜିତିବାର କୀର୍ତିମାନ ରହିଛି ପ୍ରଶ୍ମିତା ମଙ୍ଗରାଜଙ୍କ ନାମରେ। ପ୍ରଥମ ଓଡ଼ିଆ ମହିଳା ଭାବେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରୋତ୍ତୋଳନରୁ ପଦକ ଜିତି ଓଡ଼ିଶାର ଗୌରବ ବଢ଼ାଇଥିବା ଏହି ଖୋର୍ଧା ଝିଅଙ୍କୁ କିନ୍ତୁ ଭୁଲିଗଲାଣି ରାଜ୍ୟ କ୍ରୀଡ଼ା ଦୁନିଆ। ଭୁବନେଶ୍ୱର କ୍ରୀଡ଼ା ଛାତ୍ରାବାସରୁ ବାହାରିଥିବା ଏହି ପ୍ରତିଭା ଏବେ ନୂଆଦିଲ୍ଲୀରେ ଅବସ୍ଥାପିତ ଥିବାରୁ ନିଜ ବୃତ୍ତିଗତ ସଂସ୍ଥା ସିଆଇଏସ୍‌ଏଫ୍‌ ଏବଂ ଭାରତୀୟ ପୁଲିସ୍‌ ପାଇଁ ସର୍ବଭାରତୀୟ ସ୍ତରରେ ଖେଳୁଛନ୍ତି। ରାଜ୍ୟ ପାଇଁ ଏତେ ଗୌରବ ଆଣିଥିବା ପ୍ରଶ୍ମିତାଙ୍କୁ ସରକାର ପ୍ରତିଶ୍ରୁତି ଦେଇ ମଧ୍ୟ ଭୁଲିଯାଇଥିବାରୁ ମନ ଭିତରେ ରହିଛି ଦୁଃଖ ଓ ଅବସୋସ। ଅନ୍ୟ ସଫଳ ଓଡ଼ିଆ ଅର୍ନ୍ତଜାତୀୟ କ୍ରୀଡ଼ାବିତ୍‌ଙ୍କ ଭଳି ପ୍ରଶ୍ମିତାଙ୍କୁ ସରକାରୀ ଜାଗା ମିଳିନଥିବାରୁ ସେ ‘ସମ୍ବାଦ’ ସହ କଥା ହେବା ବେଳେ ଅଭିମାନ କରିଥିଲେ। କିନ୍ତୁ ରାଜ୍ୟ ଭାରୋତ୍ତୋଳନ ଦୁନିଆ ତାଙ୍କୁ ଭୁଲିଯିବା ପ୍ରସଙ୍ଗରେ ସେ ଖେଳ ଭାବନାର ଉତ୍ତର ରଖିଥିଲେ। ଉଦିତ ତାରକାଙ୍କୁ ସମସ୍ତେ ପଚାରନ୍ତି, ଆମେ ତ ଅସ୍ତଗାମୀ ବୋଲି କହିଥିଲେ ୪୦ ବର୍ଷୀୟା ଏହି ୨ ସନ୍ତାନର ଜନନୀ।ପଦାର୍ପଣ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ପଦକ ଜିତିବାର ଗୌରବ ଖୁବ୍‌ କ୍ୱଚିତ ମିଳିଥାଏ କ୍ରୀଡ଼ାବିତଙ୍କୁ। ପ୍ରଶ୍ମିତା କିନ୍ତୁ ଥିଲେ ଏଭଳି ଭାଗ୍ୟବତୀ ଝିଅ। ୨୦୦୨ ମାଞ୍ଚେଷ୍ଟର୍‌ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୬୩ କିଲୋଗ୍ରାମ ଓଜନ ବର୍ଗରେ ଦୁଇଟି ରୌପ୍ୟ ଏବଂ ଗୋଟିଏ କାଂସ୍ୟ ପଦକ ଜିତିଥିଲେ ପ୍ରଶ୍ମିତା। ସ୍ନାଚ୍‌ରେ ୮୫ କିଲୋଗ୍ରାମ, କ୍ଲିନ୍‌ ଆଣ୍ଡ ଜର୍କରେ ୧୧୦ କିଲୋଗ୍ରାମ ସହିତ ମୋଟ ଉପରେ ୧୯୫ କିଲୋଗ୍ରାମ ଉତ୍ତୋଳନ କରି ଅନ୍ତର୍ଜାତୀୟ ପଦାର୍ପଣକୁ ସାରାଜୀବନ କରିଥିଲେ ସ୍ମରଣୀୟ। ଅଦ୍ୟାବଧି ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ କୌଣସି ଓଡ଼ିଆ ୩ ପଦକ ଜିତିବାର ଗୌରବ ପାଇ ନାହାନ୍ତି। ଓଡ଼ିଶା କ୍ରୀଡ଼ାରେ ନୂଆ ଶତାବ୍ଦୀର ନୂଆ ତାରକା ଭାବେ ଉଭା ହୋଇଥିବା ପ୍ରଶ୍ମିତାଙ୍କ ସଫଳତା ଏତିକିରେ ସୀମିତ ରହିନଥିଲା। ୨୦୦୩ରେ ଚୀନରେ ଏସୀୟ ଭାରୋତ୍ତୋଳନରେ କାଂସ୍ୟ ପଦକ, ସେହି ବର୍ଷ ହାଇଦ୍ରାବାଦରେ ଆଫ୍ରୋ ଏସୀୟ କ୍ରୀଡ଼ାରେ ରୌପ୍ୟ ପଦକ ଏବଂ ୨୦୦୫ରେ ମେଲ୍‌ବର୍ନ ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନରେ ୩ ସ୍ୱର୍ଣ୍ଣ ପଦକ ଜିତି ଖେଳ ଜୀବନକୁ ଶିଖରରେ ପହଞ୍ଚାଇଥିଲେ। ୨୦୦୬ ମେଲ୍‌ବର୍ନ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଲାଗି ମନୋନୀତ ଦଳରେ ତାଙ୍କୁ ଷଡ଼ଯନ୍ତ୍ର କରି ନ ନିଆଯିବାରୁ ସେ ଖେଳଠାରୁ ଦୂରେଇ ସାଂସାରିକ ଜୀବନରେ ବ୍ୟସ୍ତ ରହିଥିଲେ। ହେଲେ ୨୦୧୨ ମସିହାଠାରୁ ପୁଣି ସର୍ବଭାରତୀୟ ସ୍ତରରେ ଖେଳିବା ଜାରି ରଖିଛନ୍ତି। ଚୀନ୍‌ରେ ଅନୁଷ୍ଠିତ ଏସୀୟ ପ୍ରତିଯୋଗିତାରେ ସ୍ନାଚ୍‌ରେ ୯୨ କିଲୋଗ୍ରାମ ଏବଂ କ୍ଲିନ ଆଣ୍ଡ୍‌ ଜର୍କରେ ଉତ୍ତୋଳନ କରିଥିବା ୧୧୭ କିଲେଗ୍ରାମକୁ ନିଜର ଶ୍ରେଷ୍ଠ ପ୍ରଦର୍ଶନ କୁହନ୍ତି। କିନ୍ତୁ ପ୍ରଥମ ପଦାର୍ପଣରେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପଦକ ଜିତିବା ମୋ ପାଇଁ ଏବେ ବି ସ୍ମରଣୀୟ ଏବଂ ଅଭୁଲା ମୁହୂର୍ତ ବୋଲି ପ୍ରକାଶ କରିଥିଲେ ପ୍ରଶ୍ମିତା। ଖୋର୍ଧା ଜିଲ୍ଲା ବେଗୁନିଆ ବ୍ଲକ୍‌ ସୁଆଁଳ ଗାଁର ଝିଅ ପ୍ରଶ୍ମିତା ଭୁବନେଶ୍ୱର କ୍ରୀଡ଼ା ଛାତ୍ରାବାସରୁ ହିଁ ସୃଷ୍ଟି ହୋଇଥିଲେ। ୨୦୦୩ ମସିହାରେ ଭାଙ୍କୋଭର ବିଶ୍ୱ ଭାରୋତ୍ତୋଳନରେ ପ୍ରତିନିଧିତ୍ୱ କରିବା ମଧ୍ୟ ତାଙ୍କ ଖେଳ ଜୀବନର ଅନ୍ୟତମ ଉଚ୍ଚ ସୋପାନ।

ସମ୍ବନ୍ଧିତ ଖବର