ଗଢ଼ାହେବ ସମାନ୍ତରାଳ ହକି ସଂଘ

ପ୍ରତାପ-ଦୁଲାଲ କଳି

କଟକ: ହକି ଓଡ଼ିଶା ସମ୍ପାଦକ ପ୍ରତାପ ଶତପଥୀ ଓ ସମ୍ବଲପୁର ଜିଲ୍ଲା ଦୌଡ଼କୁଦ ସଂଘ ସମ୍ପାଦକ ଦୁଲାଲ ଚନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ଏବେ ନୂଆ ମୋଡ଼ ନେବାକୁ ଯାଉଛି। ହକି ଓଡ଼ିଶା ଯୋଗୁଁ ରାଜ୍ୟରେ ହକିର ଅଧୋପତନ ହେଉଥିବା ଅଭିଯୋଗ କରି ଏହା ବିରୋଧରେ ଏକ ସମାନ୍ତରାଳ ରାଜ୍ୟ ସଂଘ ଗଢ଼ାଯିବାକୁ ଯୋଜନା କରାଯାଉଛି। ଏଥିପାଇଁ ପ୍ରାଥମିକ ପର୍ଯ୍ୟାୟରେ ଏକାଧିକ ଜିଲ୍ଲା ସଂଘ ମଧ୍ୟ ଆଲୋଚନା କରିସାରିଲେଣି। ପ୍ରାୟ ୧୦ ଜିଲ୍ଲା ଦୌଡ଼କୁଦ ସଂଘ ଏଥିପାଇଁ ଦୁଲାଲଙ୍କୁ ସମର୍ଥନ ଜଣାଇଥିଲା ବେଳେ ରାଜ୍ୟରେ ହକିର ପ୍ରଚାର ପ୍ରସାର କରାଯିବା ଓ ଖେଳାଳିମାନଙ୍କୁ ପର୍ଯ୍ୟାପ୍ତ ସୁଯୋଗ ଯୋଗାଇ ଦେବାକୁ ନୂତନ ସଂଘ ପ୍ରୟାସ କରିବ ବୋଲି ଏକ ପ୍ରେସ୍‌ ବିଜ୍ଞପ୍ତିରେ କୁହାଯାଇଛି।

ପୂର୍ବରୁ ହକି ଓଡ଼ିଶା କେବଳ କଟକରେ ତାହାର ସବୁ କାର୍ଯ୍ୟକ୍ରମ କରିଆସୁଥିଲା। ହକି ପାଇଁ ଆଷ୍ଟ୍ରୋ ଟର୍ଫର ଆବଶ୍ୟକତା ଥିଲାବେଳେ ସୁନ୍ଦରଗଡ଼, ରାଉରକେଲା, ଭୁବନେଶ୍ୱର ଇତ୍ୟାଦି ସ୍ଥାନମାନଙ୍କରେ ଏହି ଭିତ୍ତିଭୂମି ଗଢା ହେଲାଣି। କିନ୍ତୁ ହକି ଓଡ଼ିଶା ରାଜ୍ୟ ପ୍ରତିଯୋଗିତାକୁ ଆଷ୍ଟ୍ରୋ ଟର୍ଫରେ କରିବା ପରିବର୍ତ୍ତେ ବାରବାଟୀ ଷ୍ଟାଡିୟମର ଘାସ ପଡ଼ିଆରେ ମ୍ୟାଚ୍‌ ଖେଳାଯାଉଛି। ଏହାଦ୍ୱାରା ଖେଳାଳିମାନଙ୍କ ପ୍ରଦର୍ଶନ ମଧ୍ୟ ପ୍ରଭାବିତ ହେଉଛି। ତେଣୁ ହକିକୁ କଟକ କେନ୍ଦ୍ରୀତ କରିବା ପରିବର୍ତ୍ତେ ଏହାକୁ ରାଜ୍ୟବ୍ୟପୀ କରାଇବାକୁ ନୂଆ ସଂଘ ଉଦ୍ୟମ କରିବ ବୋଲି ଦୁଲାଲ କହିଛନ୍ତି। ସେହିପରି ହକି ଓଡ଼ିଶାରେ କେବଳ ୧୨ ସଂଘକୁ ସ୍ୱୀକୃତି ଦିଆଯାଇଛି। ସେଥିମଧ୍ୟରେ ସମ୍ବଲପୁର ଓ ଫୁଲବାଣୀ କେବଳ ଜିଲ୍ଲା ଦୌଡ଼କୁଦ ସଂଘ ହୋଇଥିଲା ବେଳେ ଅନ୍ୟଗୁଡ଼ିକ ଜିଲ୍ଲା ହକି ସଂଘ ନାମରେ ସ୍ୱୀକୃତି ପ୍ରଦାନ କରାଯାଇଛି। ଏହାକୁ ନେଇ ଗତ ଅଲିମ୍ପିକ୍‌ ସାଧାରଣ ବୈଠକ ବେଳେ ଏକାଧିକ ଜିଲ୍ଲା ଦୌଡ଼କୁଦ ସଂଘ ପ୍ରତିବାଦ କରିଥିଲେ। ସେବେଠାରୁ ସମାନ୍ତରାଳ ସଂଘ ପାଇଁ ଜିଲ୍ଲା ସଂଘମାନେ ଏକାଠି ହୋଇଛନ୍ତି। ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ପୁରୀ, ଭଦ୍ରକ, ବରଗଡ଼, ବଲାଙ୍ଗୀର ଜିଲ୍ଲାଗୁଡ଼ିକ ଏକାଠି ହୋଇ ଆଗକୁ ବିଭିନ୍ନ ବୟସ ବର୍ଗର ପ୍ରତିଯୋଗିତା କରାଯିବା ସହ ସମ୍ବିଧାନ ପ୍ରସ୍ତୁତ କରିବା ପାଇଁ ଆଲୋଚନା କରିସାରିଛନ୍ତି।

ଅନ୍ୟପକ୍ଷରେ ସଂଘର ଆଜୀବନ ସଦସ୍ୟଙ୍କ ମଧ୍ୟରେ କୌଣସି ଆନ୍ତର୍ଜାତିକ ହକି ଖେଳାଳିଙ୍କୁ ସ୍ଥାନ ଦିଆଯାଇନଥିବାରୁ ଦୁଲାଲ କ୍ଷୋଭ ପ୍ରକାଶ କରିଛନ୍ତି। ହକିର ଉନ୍ନତି ପାଇଁ ଅନ୍ୟ ଖେଳଗୁଡ଼ିକ ପରି ବିଭିନ୍ନ ବୟସ ବର୍ଗର ପ୍ରତିଯୋଗିତା ଆୟୋଜନ କରାଯିବା ଆବଶ୍ୟକତା ରହୁଛି। ପଶ୍ଚିମ ଓଡ଼ିଶାରେ ଏଭଳି ପ୍ରତିଯୋଗିତା ମନୋଭାବ ଯୋଗୁଁ ଆଜି ଅନେକ ଖେଳାଳି ସେହିଠାରୁ ଗଢା ହୋଇପାରୁଛନ୍ତି। କିନ୍ତୁ ହକି ଓଡ଼ିଶା ବର୍ଷରେ ମାତ୍ର ଥରେ ରାଜ୍ୟ ପ୍ରତିଯୋଗିତା କରୁଥିବାରୁ ସେଥିରୁ ସବୁ ବର୍ଗର ଖେଳାଳି ବାହାରିବା ଅସମ୍ଭବ ବୋଲି ଅଭିଯୋଗ କରାଯାଇଛି। କେବଳ ଏତିକି ନୁହେଁ ନିଜକୁ ସୁହାଇଲା ଭଳି ସଂଘ ଓ ଖେଳାଳିମାନଙ୍କୁ ନିଜ ଅଧିନରେ ରଖାଯାଉଛି। ହେଲେ ଏହା ବିରୋଧରେ ପ୍ରଥମ ଥର ପାଇଁ ସମ୍ବଲପୁର ସଂଘ ପାଟି ଖୋଲିଥିବାରୁ ସଦସ୍ୟତା ଫି’ ଆଳ ଦେଖାଇ ସ୍ୱୀକୃତି ବାତିଲ କରିଦିଆଯିବା ଧମକ ଦିଆଯାଉଛି। ଏପରିକି ରାଜ୍ୟ ପ୍ରତିଯୋଗିତାରେ ମଧ୍ୟ ଅଂଶଗ୍ରହଣ ପାଇଁ ସୁଯୋଗ ଦିଆଗଲା ନାହିଁ। ବରଂ ଅଣସ୍ୱୀକୃତିପ୍ରାପ୍ତ ସଂସ୍ଥାଙ୍କୁ ଖେଳିବାକୁ ହକି ଓଡ଼ିଶା ସୁଯୋଗ ଦେଇଥିବା ସେ ଅଭିଯୋଗ କରିଛନ୍ତି। ତେବେ ଏ ସଂକ୍ରାନ୍ତରେ ହକି ଓଡ଼ିଶା ସମ୍ପାଦକ ପ୍ରତାପ ଶତପଥୀ କହିଛନ୍ତି, ଆମେ କାହାର ସ୍ୱୀକୃତି ପ୍ରତ୍ୟାହାର କରିନାହୁଁ। ବାର୍ଷିକ ସଦସ୍ୟତା ଫି’ ଦାଖଲ କରିବା ବାଧ୍ୟତାମୂଳକ। ଯଦି ସମ୍ବଲପୁର ସଂଘ ନିୟମ ଭିତରେ ରହିବାକୁ ଚାହୁଁନାହିଁ, ତାହେଲେ ଏଥିରେ ହକି ଓଡ଼ିଶା ନିରୁପାୟ। ଓଡ଼ିଶାରେ ଯେତେବି ସମାନ୍ତରାଳ ସଂଘ ହେଉ ପଛକେ ସେଥିରେ କିଛି ଫରକ ପଡ଼ିବନି। ଏଥିପାଇଁ ଅଲିମ୍ପିକ୍‌, ରାଜ୍ୟ ସରକାରଙ୍କ ସ୍ୱୀକୃତି ଦରକାର। ଯଦି ଅନ୍ୟ ଜିଲ୍ଲାମାନେ ଏକାଠି ହୋଇ ଆଉ ଏକ ସଂଘ ଗଢ଼ିବେ ସେଥିରେ ହକି ଓଡ଼ିଶାର କୌଣସି କ୍ଷତି ହେବ ନାହିଁ। ସବୁକିଛି ବାର୍ଷିକ ଫି’କୁ ନେଇ ବିବାଦ ଉଠୁଛି। ଯଦି ସାମାନ୍ୟ କିଛି ଟଙ୍କାକୁ ନେଇ ଏତେ କଥା ଉଠୁଛି, ତାହେଲେ ଉକ୍ତ ଟଙ୍କା ଦାଖଲ କରିଦେଲେ ଅସୁବିଧା କ’ଣ ବୋଲି ପ୍ରତାପ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର