୫ ଅର୍ଧଶତକ; ଭାରତ ୩୫୮, ଅଷ୍ଟ୍ରେଲିଆ ଗସ୍ତରେ ଭାରତର ଭଲ ଅଭ୍ୟାସ

ସିଡ୍‌ନି: ଡିସେମ୍ବର ୬ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ଶୃଙ୍ଖଳା ପୂର୍ବରୁ ଭାରତୀୟ ବ୍ୟାଟ୍‌ସମ୍ୟାନ୍‌ମାନେ ଭଲ ଆରମ୍ଭ ପାଇଛନ୍ତି। ପ୍ରଥମ ଟେଷ୍ଟ୍‌ ଖେଳାଯିବାକୁ ଥିବା ସିଡ୍‌ନି କ୍ରିକେଟ୍‌ ଗ୍ରାଉଣ୍ଡ୍‌ରେ ହିଁ ବୁଧବାରଠୁ ଆରମ୍ଭ ହୋଇଛି ଏକମାତ୍ର ଅଭ୍ୟାସ ମ୍ୟାଚ୍‌। କ୍ରିକେଟ୍‌ ଅଷ୍ଟ୍ରେଲିଆ ଏକାଦଶ ବିପକ୍ଷ ଏହି ଅଭ୍ୟାସ ମ୍ୟାଚ୍‌ର ପ୍ରଥମ ଦିବସ ପୂରା ବର୍ଷା ଧୋଇନେଲା। ହେଲେ ଦ୍ବିତୀୟ ଦିବସରୁ ପାଗରେ ପରିବର୍ତନ ଘଟିଛି। ପ୍ରଥମେ ବ୍ୟାଟିଂ କରିଥିବା ଭ୍ରମଣକାରୀ ଭାରତ ୫ ଅର୍ଧଶତକ ସହାୟତାରେ ୯୨ ଓଭର ଖେଳି ୩୫୮ ରନ୍‌ରେ ସମସ୍ତ ୱିକେଟ୍‌ ହରାଇଥିଲା। ଯୁବ ତାରକା ପୃଥ୍ବୀ ସ (୬୬), ଚେତେଶ୍ବର ପୂଜାରା (୫୪), ଅଧିନାୟକ ବିରାଟ କୋହଲି (୬୪), ଆଜିଙ୍କ୍ୟ ରହାଣେ (୫୬) ଏବଂ ନବାଗତ ହନୁମା ବିହାରୀ (୫୩) ନିଜ ନିଜର ଅର୍ଧଶତକ ଜମାଇଥିଲା ବେଳେ ରୋହିତ ଶର୍ମା ୪୦ ରନ୍‌ କରିଥିଲେ। ପାଳି ଆରମ୍ଭ କରିଥିବା ପୃଥ୍ବୀ ତାଙ୍କ ୬୬ ରନ୍‌ ମଧ୍ୟରେ ୬୯ ବଲ୍‌ର ସାମ୍‌ନା କରି ୧୧ ଦର୍ଶନୀୟ ଚୌକା ମାରିଥିଲେ। ତେବେ ଲୋକେଶ ରାହୁଲ୍‌ ଆରମ୍ଭରୁ ନିରାଶ କରିଛନ୍ତି। ସଂପୂର୍ଣ୍ଣ ଅନଭିଜ୍ଞ ବୋଲିଂ ଆକ୍ରମଣ ନିକଟରେ ସହଜ ମନେ ହୋଇନଥିବା ରାହୁଲ୍‌ ମାତ୍ର ୩ ରନ୍‌ କରି ପାଭିଲିୟନ୍‌ ଫେରିଥିଲେ। ୱିକେଟ୍‌ରକ୍ଷକ ଋଷଭ ପନ୍ତ୍‌ ୧୧ ରନ୍‌ରେ ଅପରାଜିତ ରହିଥିଲା ବେଳେ ମୁରଲୀ ବିଜୟଙ୍କୁ ବ୍ୟାଟିଂ ସୁଯୋଗ ମିଳିନଥିଲା। ଅଷ୍ଟ୍ରେଲିଆର ସଫଳ ବୋଲର ଭା‌ବେ ୧୯ ବର୍ଷ ବୟସ୍କ ଆରୋନ୍‌ ହାର୍ଡି ୫୦ ରନ୍‌ରେ ୪ ୱିକେଟ୍‌ ପାଇଥିଲେ। ଏହି ୪ ଦିନିଆ ମ୍ୟାଚ୍‌ର ଦ୍ବିତୀୟ ଦିବସ ଷ୍ଟମ୍ପ୍‌ସ ପ୍ରତ୍ୟାହାର ବେଳକୁ ଭାରତର ୩୫୮ ଜବାବରେ କ୍ରିକେଟ୍‌ ଅଷ୍ଟ୍ରେଲିଆ ଏକାଦଶ ୪ ଓଭର ଖେଳି କୌଣସି ୱିକେଟ୍‌ ନହରାଇ କରିଛି ୨୪ ରନ୍‌।

ରାହୁଲ୍‌ଙ୍କ ଆଶଙ୍କା ବଢ଼ିଲା
ଅଭ୍ୟାସ ମ୍ୟାଚ୍‌ରେ ସେଭଳି କୌଣସି ବିଶେଷଜ୍ଞ ଦ୍ରୁତ ବୋଲରଙ୍କ ଅନୁପସ୍ଥିତି ସତ୍ତ୍ବେ ରାହୁଲ୍‌ ଯେପରି ନୈରାଶ୍ୟଜନକ ପ୍ରଦର୍ଶନ କଲେ ସେଥିରୁ ଟେଷ୍ଟ୍‌ ଶୃଙ୍ଖଳାରେ ତାଙ୍କ ଖେଳିବା ଆଶଙ୍କା ବଢ଼ିଯାଇଛି। ପୃଥ୍ବୀ ସହ ଗତ ୱେଷ୍ଟଇଣ୍ଡିଜ୍‌ ଗସ୍ତ ବେଳଠୁ ଚମତ୍କାର ପ୍ରଦର୍ଶନ କରିଚାଲିଥିବାରୁ ଟେଷ୍ଟ୍‌ରେ ରାହୁଲ୍‌ଙ୍କ ସ୍ଥାନ ନେବାର ସମ୍ଭାବନା ଅଧିକ ରହିଛି। ମୁରଲୀ ବିଜୟଙ୍କ ସହ ପୃଥ୍ବୀ ଅଷ୍ଟ୍ରେଲିଆରେ ପାଳି ଆରମ୍ଭ କରିବା ନେଇ ଦଳୀୟ କର୍ତୃପକ୍ଷ ନଜରରେ ରଖିଛନ୍ତି।

ବିହାରୀ ଓ ରୋହିତଙ୍କୁ ନେଇ ଦ୍ବନ୍ଦ୍ବ
ଅଭ୍ୟାସ ମ୍ୟାଚ୍‌ରେ ହନୁମା ବିହାରୀ ଶତକ ହାସଲ କରିଥିଲା ବେଳେ ରୋହିତ ଶର୍ମା ୪୦ ରନ୍‌ କରିଥିଲେ। ତେବେ ଟେଷ୍ଟ୍‌ରେ ଏ ଦୁହିଁଙ୍କ ମଧ୍ୟରୁ କିଏ ଖେଳିବ ସେ ନେଇ ଦ୍ବନ୍ଦ୍ବ ରହିଛି। ବ୍ୟାଟିଂକ୍ରମ ମଜବୁତ୍‌ ଥିବାରୁ ହୁଏତ ଦୁଇ ଜଣଯାକ ମଧ୍ୟ ଚୂଡାନ୍ତ ଏକାଦଶ ବାହାରେ ବସିପାରନ୍ତି। ଚୂଡ଼ାନ୍ତ ଦଳରେ ଯଦି ରବିଚନ୍ଦ୍ରନ୍‌ ଅଶ୍ବିନ୍‌ କିମ୍ବା ରବୀନ୍ଦ୍ର ଜାଦେଜାଙ୍କୁ ଜଣେ ଅଲ୍‌ରାଉଣ୍ଡର ଭାବେ ଖେଳାଯାଏ ତାହାଲେ ବିହାରୀଙ୍କୁ ବାହ‌ାରେ ବସିବାକୁ ପଡ଼ିବ। ପୁଣି ଯଦି ଜଣେ ଷଷ୍ଠ ବିଶେଷଜ୍ଞ ବ୍ୟାଟ୍‌ସମ୍ୟାନ୍‌ଙ୍କୁ ଦଳରେ ସାମିଲ କରିବାକୁ ନିଷ୍ପତ୍ତି ନିଆଯାଏ ତେବେ ରୋହିତଙ୍କ ତୁଳନାରେ ବିହାରୀ ଫାଇଦାରେ ରହିବେ। ତଥାପି ପ୍ରାରମ୍ଭିକ ଓ ଷଷ୍ଠ ସ୍ଥାନ ପାଇଁ ଏବେ ବି ଖୋଲା ରହିଛି। ଆମେ କାହାକୁ ଖେଳାଇବୁ ତାହା ଏବେ ବି କିଛି ସ୍ଥିର ହୋଇନାହିଁ ବୋଲି ସଞ୍ଜୟ ବାଙ୍ଗର କହିଛନ୍ତି।

ସମ୍ବନ୍ଧିତ ଖବର