ଭୁବନେଶ୍ବର: ଉତ୍ତର ପ୍ରଦେଶରେ ଚାଲିଥିବା ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ସୋମବାର ଓଡ଼ିଶାକୁ ୪ (୧ ସ୍ବର୍ଣ୍ଣ, ୨ ରୌପ୍ୟ, ୧ କାଂସ୍ୟ) ପଦକ ମିଳିଛି। ଓଡ଼ିଶାର ଦୁଇ ବିଶ୍ବବିଦ୍ୟାଳୟ କିଟ୍ (୨) ଓ ଉତ୍କଳ (୨)ର ଖେଳାଳିମାନେ ଏହି ପଦକ ଜିତିଛନ୍ତି। ଫଳରେ ସନ୍ତରଣକାରୀ ପ୍ରତ୍ୟାଶା ରାୟଙ୍କ ପଞ୍ଚମ ପଦକ ସହ ଓଡ଼ିଶାର ପଦକ ସଂଖ୍ୟା ୧୦ (୩ ସ୍ବର୍ଣ୍ଣ, ୬ ରୌପ୍ୟ, ୧ କାଂସ୍ୟ)କୁ ବଢ଼ିଛି। ସୋମବାର ଉତ୍କଳ ପାଇଁ ପ୍ରତ୍ୟାଶା ରାୟ ସ୍ବର୍ଣ୍ଣ ଏବଂ ଧାବକ ଅଭିଷେକ ଦଳବେହେରା କାଂସ୍ୟ ଜିତିଥିଲା ବେଳେ କିଟ୍ ଲାଗି ମହିଳା ରୋଇଂ ଦଳ ଏବଂ ସ୍ପ୍ରିଣ୍ଟର ଲାଲୁ ପ୍ରସାଦ ଭୋଇ ଗୋଟିଏ ଲେଖାଏଁ ରୌପ୍ୟ କରାୟତ୍ତ କରିଥିଲେ।
ମହିଳା ସନ୍ତରଣ ୫୦ ମିଟର ବ୍ୟାକ୍ଷ୍ଟ୍ରୋକ୍ରେ ପ୍ରତ୍ୟାଶା (୩୧.୯୯ ସେକେଣ୍ଡ) ପ୍ରଥମ ସ୍ଥାନ ଅଧିକାର କରି ସ୍ବର୍ଣ୍ଣ ସହ ନିଜର ବ୍ୟକ୍ତିଗତ ପଦକ ସଂଖ୍ୟା ୫(୨ ସ୍ବର୍ଣ୍ଣ, ୩ ରୌପ୍ୟ)କୁ ବଢ଼ାଇଛନ୍ତି। ଅଭିନାଶ କୌର ଓ ଅରୁଣପ୍ରୀତ କୌରଙ୍କୁ ନେଇ ଗଠିତ କିଟ୍ ରୋଇଂ ଦଳ ମହିଳା ୨୦୦୦ ମିଟର (ଡବ୍ଲୁଟିଏକ୍ସ)ରେ ଦ୍ବିତୀୟ ସ୍ଥାନରେ ରହି ରୌପ୍ୟ ପଦକ ପାଇଥିଲେ। ୧୦୦ ମିଟର ଦୌଡ଼ରେ ଲାଲୁ (୧୦.୬୦ ସେକେଣ୍ଡ) ଓ ଅଭିଷେକ (୧୦.୭୨ ସେକେଣ୍ଡ) ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହି ରୌପ୍ୟ ଓ କାଂସ୍ୟ ପାଇଥିଲେ। ଗୁରୁ କାଶୀ ବିଶ୍ବବିଦ୍ୟାଳୟ ଗୁରିନ୍ଦରବୀର ସିଂହ (୧୦.୫୭ ସେକେଣ୍ଡ) ସ୍ବର୍ଣ୍ଣ ଜିତିଥିଲେ। ଟେନିସ୍ରେ କିଟ୍ ପୁରୁଷ ଦଳ ସେମିଫାଇନାଲ୍ରେ ଆନ୍ନା ବିଶ୍ବବିଦ୍ୟାଳୟଠୁ ୧-୨ରେ ହାରି ଫାଇନାଲ୍ରୁ ବଞ୍ଚିତ ହୋଇଛି। ମଙ୍ଗଳବାର ଏହି ଦଳ କାଂସ୍ୟ ପଦକ ପାଇଁ ଗୁଜରାଟ ବିଶ୍ବବିଦ୍ୟାଳୟକୁ ଭେଟିବ। ପୁରୁଷ ହକି ସେମିଫାଇନାଲ୍ରେ ସମ୍ବଲପୁର ବିଶ୍ବବିଦ୍ୟାଳୟ ପ୍ରବେଶ କରିଛି। ଶେଷ ଲିଗ୍ ମ୍ୟାଚ୍ରେ ସମ୍ବଲପୁର ଦଳ ୪-୩ ଗୋଲ୍ରେ ବେଙ୍ଗାଲୁରୁ ସିଟି ବିଶ୍ବବିଦ୍ୟାଳୟକୁ ହରାଇ ଟେବୁଲର ଶୀର୍ଷରେ ସେମିଫାଇନାଲ୍ ସ୍ଥାନ ନିଶ୍ଚିତ କରିଥିଲା।