ଉଷୁ ବିଶ୍ୱ ପ୍ରତିଯୋଗିତାରେ ପ୍ରବୀଣଙ୍କୁ ସ୍ୱର୍ଣ୍ଣ

ସାଂଘାଇ : ଭାରତର ପ୍ରବୀଣ କୁମାର ଏଠାରେ ଚାଲିଥିବା ସାମରିକ କଳାର ଖେଳ ଉଷୁ ବିଶ୍ବ ପ୍ରତିଯୋଗିତା ପଞ୍ଚଦଶ ସଂସ୍କରଣରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ୪୮ କେଜି ବର୍ଗ ପୁରୁଷ ସାନ୍ଦା ସେମିଫାଇନାଲ୍‌ରେ ଉଜ୍‌ବେକିସ୍ତାନର ଖାସାନ ଇକ୍ରୋମୋଭ୍‌ଙ୍କୁ ୨-୦ରେ ହରାଇଥିବା ପ୍ରବୀଣ ବୁଧବାର ଫାଇନାଲରେ ଫିଲିପାଇନ୍‌ସର ରସେଲ୍‌ ଡିଆଜ୍‌ଙ୍କୁ ୨-୧ରେ ପରାସ୍ତ କରି ବିଜେତା ହୋଇଥି‌ଲେ। ଏଥି ସହିତ ବିଶ୍ବ ପ୍ରତିଯୋଗିତାରେ ସ୍ବର୍ଣ୍ଣ ଅମଳ କରିବାରେ ପ୍ରବୀଣ ପ୍ରଥମ ଭାରତୀୟ ପୁରୁଷ ତଥା ଦ୍ବିତୀୟ ଭାରତୀୟ ହୋଇଛନ୍ତି। ଏହା ପୂର୍ବରୁ ମହିଳା ବର୍ଗରେ ପୂଜା କାଡିଆଁ ବିଶ୍ବ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ହାସଲ କରିବାରେ ପ୍ରଥମ ଭାରତୀୟ ହୋଇଥିଲେ। ୨୦୧୭ରେ ମହିଳା ୭୫ କେଜି ସାନ୍ଦା ଫାଇନାଲ୍‌ରେ ପୂଜା ରୁଷିଆର ଏଭ୍‌ଜିନିୟା ‌ଷ୍ଟିପାନୋଭାଙ୍କୁ ପରାସ୍ତ କରିଥିଲେ। ଅନ୍ୟପକ୍ଷରେ ଚଳିତ ପ୍ରତିଯୋଗିତାରେ ପ୍ରବୀଣଙ୍କ ସ୍ବର୍ଣ୍ଣ ଅମଳ ବ୍ୟତୀତ ପୁନମ୍‌ ଏବଂ ଅର୍ଜୁନ ପୁରସ୍କାର ବିଜୟିନୀ ୱାଇ ସାନାଥୋଇ ଦେବୀ ରୌପ୍ୟ ପଦକ ହାସଲ କରିଛନ୍ତି। ବିକ୍ରାନ୍ତ ବଳିୟାନ୍‌ଙ୍କୁ କାଂସ୍ୟ ପଦକ ମିଳିଛି। ଫଳରେ ଚଳିତ ସଂସ୍କରଣରେ ସାନ୍ଦା ବର୍ଗରେ ଗୋଟିଏ ସ୍ବର୍ଣ୍ଣ, ୨ ରୌପ୍ୟ ଓ ଗୋଟିଏ କାଂସ୍ୟ ପଦକ ସହ ଭାରତ ମୋଟ ଉପରେ ତୃତୀୟ ସ୍ଥାନ ପାଇଛି। ଇରାନ୍‌ ଓ ଚୀନ୍‌ ଯଥାକ୍ରମେ ପ୍ରଥମ ଓ ଦ୍ବିତୀୟ ସ୍ଥାନ ଅକ୍ତିଆର କରିଛନ୍ତି।

ସମ୍ବନ୍ଧିତ ଖବର