ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଦ୍ରୁତ ବୋଲର ପ୍ରବୀଣ କୁମାର ମଙ୍ଗଳବାର ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ମୋ ଖେଳ ଜୀବନକୁ ଶେଷ କରିଦେବାକୁ ପୂର୍ବତନ ଆଇପିଏଲ୍ ଅଧ୍ୟକ୍ଷ ଲଳିତ ମୋଦୀ ଧମକ ଦେଇଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ୨୦୦୮ ମସିହାର ପ୍ରଥମ ସଂସ୍କରଣ ଆଇପିଏଲ୍ରେ ପ୍ରବୀଣ କୁମାର ଦିଲ୍ଲୀ ଡେୟାର ଡେଭିଲ୍ସ ପାଇଁ ଖେଳିବାକୁ ଚାହୁଥିଲେ ମଧ୍ୟ ତାଙ୍କୁ ଆର୍ସିବି ପାଇଁ ଖେଳିବାକୁ ବାଧ୍ୟ କରାଯାଇଥିଲା। ଜଣେ ବ୍ୟକ୍ତି ପ୍ରବୀଣଙ୍କ ଅଜ୍ଞାତରେ ତାଙ୍କଠାରୁ ଆର୍ସିବି ପାଇଁ ଖେଳିବାକୁ ଚୁକ୍ତିପତ୍ରରେ ସ୍ବାକ୍ଷର କରାଇ ନେଇଥିଲେ। ଏହା ପରେ ପ୍ରବୀଣ ଚେଷ୍ଟା କରିଥିଲେ ମଧ୍ୟ ନିଜ ଇଛାର ଦଳ ଦିଲ୍ଲୀ ପାଇଁ ଖେଳିପାରି ନଥିଲେ।
‘‘ଦିଲ୍ଲୀ ମୋ ପ୍ରଥମ ପସନ୍ଦର ଦଳ ଥିଲା। ମୁଁ ଇଂରାଜୀ ଜାଣି ନଥିଲି, ବେଙ୍ଗାଲୁରୁ ବହୁ ଦୂର ହେବ ବୋଲି ଭାବିଥିଲି। ଏଥି ସହିତ ସେଠାକାର ଖାଦ୍ୟ ମୋତେ ଭଲ ଲାଗେ ନାହିଁ। ତେଣୁ ମୁଁ ଦିଲ୍ଲୀ ଡେୟାର ଡେଭିଲ୍ସ ପାଇଁ ଖେଳିବାକୁ ଆଶା ରଖିଥିଲି। ଅଜ୍ଞାତରେ ଚୁକ୍ତି ସ୍ବାକ୍ଷର କରିବା ପରେ ଓହରିଯିବାକୁ ଚେଷ୍ଟା କରିଥିଲି। କିନ୍ତୁ ଲଳିତ ମୋଦୀ କଲ୍ କରି ମୋ ଖେଳ ଜୀବନକୁ ଶେଷ କରିଦେବାକୁ ଧମକ ଦେଇଥିଲେ। ଏହା ପରେ ମୋତେ ବୀରୁ ଭାଇ (ବୀରେନ୍ଦ୍ର ସେହବାଗ) ବୁଝାଇଥିଲେ, ଚୁକ୍ତି ସ୍ବାକ୍ଷର କରିସାରିଥିବାରୁ କିଛି ହେବାର ନାହିଁ। ଶେଷରେ ମୁଁ ଖେଳିବାକୁ ରାଜି ହୋଇଥିଲି’’ ବୋଲି ପ୍ରବୀଣ ଏକ ୟୁଟ୍ୟୁବ୍ ଆଲୋଚନା ବେଳେ ପ୍ରକାଶ କରିଛନ୍ତି। ପ୍ରବୀଣ ଆର୍ସିବି ପାଇଁ ୩ ସିଜନ୍ ଖେଳି ୩୪ ମ୍ୟାଚ୍ରୁ ୩୮ ୱିକେଟ୍ ନେଇଥିଲେ। ପରବର୍ତ୍ତୀ ସମୟରେ ସେ କିଙ୍ଗ୍ସ ଇଲେଭେନ୍ ପଞ୍ଜାବ, ମୁମ୍ବାଇ ଇଣ୍ଡିଆନ୍ସ, ସନ୍ରାଇଜର୍ସ ହାଇଦ୍ରାବାଦ, ଗୁଜରାଟ ଲାୟନ୍ସ ପାଇଁ ଖେଳିଥିଲେ। ଭାରତ ପାଇଁ ୬୮ ଦିନିକିଆ ଓ ୬ ଟେଷ୍ଟ୍ ଖେଳିଥିବା ପ୍ରବୀଣ ଆହତ କାରଣରୁ ୨୦୧୧ ବିଶ୍ବକପ୍ ଦଳରୁ ବାଦ୍ ପଡ଼ିଥିଲେ।
ଜଣେ ବରିଷ୍ଠ ଖେଳାଳି ମଧ୍ୟ ମୋ ନାମକୁ କଳଙ୍କିତ କରିବାକୁ ଚେଷ୍ଟା କରୁଥିଲେ। ମୁଁ ତାଙ୍କ ନାମ କ୍ୟାମେରା ଆଗରେ କହିବି ନାହିଁ, ଏହା ସଭିଏଁ ଜାଣିଛନ୍ତି। ‘ପିକେ, ପିଅ ନାହିଁ’ ବୋଲି ସେ ମୋତେ ବାରମ୍ବାର ପରାମର୍ଶ ଦେଉଥିଲେ। ସେ ବରିଷ୍ଠ ଖେଳାଳି ଜଣଙ୍କ ମୋତେ ପିଲାଙ୍କ ଭଳି ବ୍ୟବହାର କରୁଥିଲେ। ସମସ୍ତେ ପିଉଥିଲେ, କିନ୍ତୁ ମୋତେ ବଦନାମ କରିବାକୁ ଚେଷ୍ଟା ହେଉଥିଲା। ୨୦୧୮ ମସିହାରେ ଅବସର ନେବା ପରେ ମୋତେ କେହି ପଚାରି ନଥିଲେ। ଏପରିକି ରଣଜୀ ଟ୍ରଫି ଖେଳାଳିଙ୍କୁ ପ୍ରଶିକ୍ଷଣ ଦେବାକୁ ବି ଡାକି ନଥିଲେ। ଭଲ ଭାବେ ଜାଣିଥିଲେ ମଧ୍ୟ ରାଜ୍ୟ ସଂଘ (ଉତ୍ତରପ୍ରଦେଶ) ମୋତେ ଖୋଜି ନଥିଲା। ଫଳରେ ମୁଁ ଅବସାଦ ଭିତରକୁ ଚାଲିଯାଇଥିଲି। ‘ସେ ପିଅନ୍ତି’ର ଧାରଣାରୁ ଏଭଳି ହୋଇଥିଲା। ମୁଁ ପଡ଼ିଆରେ କି ଡ୍ରେସିଂରୁମ୍ରେ ପିଉ ନଥିଲି। ଅବସାଦଗ୍ରସ୍ତ ହେବା ପରେ ମୁଁ ଚିକିତ୍ସାଧୀନ ଥିଲି, ଖବର ପ୍ରକାଶିତ ହେବା ପରେ ରାଜୀବ ଶୁକ୍ଳା ସହଯୋଗର ହାତ ବଢ଼ାଇଥିଲେ’ ବୋଲି ପ୍ରବୀଣ କହିଛନ୍ତି।