କଟକ: ଚଳିତ ଋତୁରେ ଓଡ଼ିଶା ପାଇଁ ଖେଳୁଥିବା ଲେଗ୍ ସ୍ପିନର ଅଭିଷେକ ରାଉତ ଓ ନବାଗତ ମଧ୍ୟମଗତି ବୋଲର ପ୍ରୟାସ ସିଂହ ଠାକୁର ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ଦଳକୁ ପ୍ରଥମ ବିଜୟ ଭେଟି ଦେଇଛନ୍ତି। ବୁଧବାର ରାଞ୍ଚିଠାରେ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚ୍ରେ ଓଡ଼ିଶା ୫୧ ରନ୍ରେ ଆସାମକୁ ହରାଇଛି।
ଆସାମ ଟସ୍ ଜିତି ଓଡ଼ିଶାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଅପରିବର୍ତ୍ତିତ ଓଡ଼ିଶା ନିର୍ଧାରିତ ୨୦ ଓଭରରେ ୯ ଓ୍ଵିକେଟ ହରାଇ ୧୨୮ ରନ୍ କରିଥିଲା। ପାଓ୍ଵାର ପ୍ଲେ ଭିତରେ ଓଡ଼ିଶାର ପ୍ରଥମ ତିନି ବ୍ୟାଟ୍ସମ୍ୟାନ ରାଜେଶ ଧୂପର (୧୧), ଅନୁରାଗ ଷଡଙ୍ଗୀ (୨୨) ଓ ଶୁଭ୍ରାଂଶୁ ସେନାପତି (୧୬) ଆଉଟ ହୋଇଥିଲେ। ଅଭିଷେକ ରାଉତ (୧୦), ଦେବାଶିଷ ସାମନ୍ତରାୟ (୨୫) ଓ ପରେଶ ପଟେଲ୍ (୧୪) ମଧ୍ୟକ୍ରମରେ ୬ ରନ୍ ହାରରେ ରନ୍ ସଂଗ୍ରହ କରି ଓଡ଼ିଶାକୁ ଏକ ସମ୍ମାନଜନକ ସ୍ଥିତିରେ ପହଞ୍ଚାଇଥିଲେ। ନିମ୍ନକ୍ରମରେ ଲଗ୍ନଜିତ ସାମଲ ୧୧* ଓ ଦେବବ୍ରତ ପ୍ରଧାନ ୧୧ ରନ୍ ଯୋଡ଼ିଥିଲେ। ଆସାମର ସଫଳ ବୋଲର ଭାବେ ଆବୁ ନଚିମ୍ ଅହମ୍ମଦ ଓ ପ୍ରୀତମ୍ ଦାସ ୨ ଲେଖାଏଁ ଓ୍ଵିକେଟ୍ ନେଇଥିଲେ।
ଜବାବରେ ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଆସାମ ୧୭.୨ ଓଭରରେ ୭୭ ରନ୍ କରି ସମସ୍ତ ଓ୍ଵିକେଟ୍ ହରାଇଥିଲା। ରିଶଭ ଦାସ (୨୬) ଓ ଅମିତ୍ ସିହ୍ନା (୧୭) କିଛି ସମୟ ଲଢ଼ିଥିଲେ ବି ଦଳକୁ ପରାଜୟରୁ ରକ୍ଷା କରିପାରିନଥିଲେ। ତୃତୀୟ ଓଭରରେ ପଲ୍ଲଭ କୁମାର ଦାସ ରନ୍ଆଉଟ ହେବା ପରେ ରିଶଭଙ୍କୁ ସୂର୍ଯ୍ୟକାନ୍ତ ପ୍ରଧାନ ପାଭିଲିଅନ୍ ଫେରାଇବାରେ ସକ୍ଷମ ହୋଇଥିଲେ। ଏହାପରଠୁ ଅଭିଷେକ ଓ ପ୍ରୟାସ ଆସାମର ବିପର୍ଯ୍ୟୟ ଘଟାଇଥିଲେ। ଉଭୟେ ପ୍ରୟାସ ଓ ଅଭିଷେକ ୩ ଓ୍ଵିକେଟ୍ ଲେଖାଏଁ ଦଖଲ କରି ଓଡ଼ିଶା ବିଜୟ ସହଜ କରିଦେଇଥିଲେ। ଶିବଶଙ୍କର ରଏ (୭), ଓ୍ଵାସିକୁର ରେହମାନ (୫), ରୋମାରିଓ ଶର୍ମା (୦)ଙ୍କୁ ପ୍ରୟାସ ଆଉଟ କରିଥିଲା ବେଳେ ଅମିତ, ପ୍ରୀତମ୍ ଦାସ (୧), ଅବୁ ନଚିମ ଅହମ୍ମଦ (୩)ଙ୍କ ଓ୍ଵିକେଟକୁ ଅଭିଷେକ ନିଜ ନାମରେ କରିଥିଲେ।
ଶେଷ ଦୁଇ ମ୍ୟାଚ୍ ପାଇଁ ଦଳରେ ୩ ପରିବର୍ତ୍ତନ
ସୟଦ ମୁସ୍ତାକ ଅଲ୍ଲୀ ଟେ୍ଵଣ୍ଟି-୨୦ କ୍ରିକେଟ୍ର ଶେଷ ଦୁଇ ମ୍ୟାଚ୍ ପାଇଁ ଓଡ଼ିଶା ଦଳରେ ୩ ପରିବର୍ତ୍ତନ କରାଯାଇଛି। ପରେଶ ପଟେଲ୍, ଆଶୁତୋଷ ଦାସ ଓ ଲଗ୍ନଜିତ ସାମଲଙ୍କୁ ବାଦ୍ ଦିଆଯାଇଥିଲା ବେଳେ ସେମାନଙ୍କ ସ୍ଥାନରେ ବିପ୍ଲବ ସାମନ୍ତରାୟ, ଗୋବିନ୍ଦ ପୋଦ୍ଦାର ଓ ଅରବିନ୍ଦ ସିଂହଙ୍କୁ ଦଳରେ ସାମିଲ କରାଯାଇଛି। ଏଜି କ୍ରିକେଟ ପ୍ରତିଯୋଗିତା ଶେଷ ହେବା ପରେ ଏହି ତିନିଜଣ ଓଡ଼ିଶା ପାଇଁ ଖେଳିବେ ବୋଲି ପୂର୍ବରୁ ଓସିଏ ପକ୍ଷରୁ କୁହାଯାଇଥିଲା। ପରେଶ ଓ ଲଗ୍ନଜିତ ଖରାପ ପ୍ରଦର୍ଶନ କରିଥିଲା ବେଳେ ଆଶୁତୋଷ ଦାସ କୌଣସି ମ୍ୟାଚ୍ ନଖେଳି ଦଳରୁ ବାଦ୍ ପଡ଼ିଛନ୍ତି।