କର୍ନେଲ୍ ସିକେ ନାୟୁଡୁ ଟ୍ରଫି: ସିକ୍କିମ୍ ପ୍ରଥମ ପାଳି ୨୦୮ରେ ସୀମିତ

ପ୍ରୀତଙ୍କୁ ୪ ୱିକେଟ୍‌: ଓଡ଼ିଶା ଦୃଢ଼

ସମ୍ବଲପୁର: ରବିବାରଠୁ ସମ୍ବଲପୁରରେ ୨୩ ବର୍ଷରୁ କମ୍‌ କର୍ନେଲ ସିକେ ନାୟୁଡୁ ଟ୍ରଫି ପ୍ଲେଟ୍‌ ଗ୍ରୁପ୍‌ ଚତୁର୍ଥ ଚରଣର ଓଡ଼ିଶା-ସିକ୍କିମ୍ ମ୍ୟାଚ୍‌ ଆରମ୍ଭ ହୋଇଛି। ଘରୋଇ ଦଳ ଆଶାନୁରୂପ ପ୍ରଦର୍ଶନ କରି ପ୍ରଥମ ଦିନରୁ ସ୍ଥିତି ଦୃଢ଼ କରିଛି। ସିକ୍କିମ୍‌ର ପ୍ରଥମ ପାଳିକୁ ୨୦୮ ରନ୍‌ରେ ସଫା କରିବା ପରେ ବିନା କ୍ଷତିରେ ୮୮ ରନ୍‌ କରି ଓଡ଼ିଶା ପ୍ରଥମ ଦିନ ଶେଷ କରିଛି। ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମ୍‌ରେ ‌ରବିବାର ଟସ୍‌ ଜିତି ଓଡ଼ିଶା ପ୍ରଥମେ କ୍ଷେତ୍ର ରକ୍ଷଣ ନିଷ୍ପତ୍ତି ନେଇଥିଲା। ସିକ୍କିମ୍ ଦଳ ଖାତା ଖୋଲିବା ପୂର୍ବରୁ ପ୍ରଥମ ୱିକେଟ୍‌ ଭାବେ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ଆକାଶ ଲୁଇଟେଲ (୦)ଙ୍କୁ ହରାଇଥିଲା। ଏହାପରେ ମଧ୍ୟଭାଗ ବ୍ୟାଟ୍‌ସମ୍ୟାନ୍‌ କିଛି କିଛି ରନ୍‌ କରିଥିଲେ ବି ଅଧିନାୟକ ମହମ୍ମଦ ସାହାବାଜ (୫୨)ଙ୍କ ବ୍ୟତୀତ କେହି ବଡ଼ ସ୍କୋର କରିପାରି ନଥିଲେ। ନିୟମିତ ବ୍ୟବଧାନରେ ୱିକେଟ୍ ପତନ ଧାରା ଜାରି ରହିବାରୁ ଦଳ ୫୮.୫ ଓଭର୍ ଖେଳି ୨୦୮ ରନ୍ କରି ସମସ୍ତ ୱିକେଟ୍ ହରାଇଥିଲା। ଓଡ଼ିଶା ପକ୍ଷରୁ ଦ୍ରୁତ ବୋଲର ପ୍ରୀତ ସିଂହ ଚୌହାନ ୧୭.୫ ଓଭର ବୋଲିଂ କରି ୫ ମେଡେନ୍ ସହ ୫୯ ରନ୍‌ ଦେଇ ୪ ୱିକେଟ୍ ନେଇଥିଲେ। ଏହା ବ୍ୟତୀତ କାର୍ତିକ ବିଶ୍ବାଳ ୨ ୱିକେଟ୍, ଅୟସକାନ୍ତ ସାହୁ ଏବଂ ରାଜକିଶନ ପଟେଲ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।

ଜବାବରେ ଓଡ଼ିଶା ଦଳ ଦିନର ଖେଳ ଶେଷ ସୁଦ୍ଧା ୩୦ ଓଭରରେ କୌଣସି ୱିକେଟ୍ ନ ହରାଇ ୮୮ ରନ୍‌ କରିଛି। ଦୁଇ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ବିନିତ ମହାନ୍ତି (୫୨*) ଏବଂ ଅମ୍ରିତ ଖଟୁଆ (୩୫*) ବ୍ୟାଟିଂ କରୁଥିଲେ।

ସମ୍ବନ୍ଧିତ ଖବର