ନୂଆଦିଲ୍ଲୀ: ନିଜକୁ ମାନସିକ ଏବଂ ଶାରୀରିକ ସ୍ତରରେ ସୁସ୍ଥ ରଖିବା ପାଇଁ କରୋନା ଲକ୍‌ଡାଉନ୍‌ ସମୟରେ ନୂତନ କୌଶଳ ଶିଖିବା ଉପରେ ଧ୍ୟାନ ଦେବା ଆବଶ୍ୟକ ବୋଲି ସୋମବାର ଭାରତୀୟ ଟେନିସ୍ କିଂବଦନ୍ତି ଲିଆଣ୍ଡର୍ ପେସ୍ ଗୁରୁତ୍ୱାରୋପ କରିଛନ୍ତି। ପ୍ରଶିକ୍ଷକଙ୍କ ପାଇଁ ସର୍ବଭାରତୀୟ ଟେନିସ୍ ସଂଘ (ଏଆଇଟିଏ) ଏବଂ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ମିଳିତ ଭାବେ ଆୟୋଜିତ ଶିକ୍ଷା ୱେବିନାରରେ ପେସ୍‌ ବିଭିନ୍ନ ବିଷୟରେ ଭାଷଣ ଦେଇଥିଲେ। ଏଥିରେ ତାଙ୍କ ପିଲାଦିନର କଥା, ପୁରୁଷ ସର୍କିଟ୍‌କୁ ସ୍ଥାନାନ୍ତର ଏବଂ ମାନସିକ ଫିଟନେସ୍‌ର ଭୂମିକା ଉପରେ ଆଲୋକପାତ କରିଥିଲେ। କରୋନା ଯୋଗୁଁ ଭାରତରେ ଏବେ ଏକମାସରୁ ଅଧିକ ଦିନ ହେଲାଣି ଲକ୍‌ଡାଉନ୍‌ ଚାଲିଛି। ଏହି ସମୟ କ୍ରୀଡ଼ାବିତ୍‌ଙ୍କ ମାନସିକ ସ୍ବାସ୍ଥ୍ୟ ଉପରେ ଚାପ ବଢ଼ୁଛି। ଏହାକୁ ସୁସ୍ଥ ରଖିବା ଲାଗି ନୂଆ କୌଶଳ ଆପଣେଇବାକୁ ପ୍ରଶିକ୍ଷକମାନଙ୍କୁ ପେସ୍‌‌ ପରାମର୍ଶ ଦେଇଛନ୍ତି।

Advertisment

ମୋ ପାଇଁ ଟେନିସ୍ ମାଧ୍ୟମରେ ସମ୍ପର୍କ ହେଉଛି ସେହି ଜିନିଷ ଯାହାକୁ ଅଧିକ ପସନ୍ଦ କରେ ବୋଲି ୪୬ ବର୍ଷୀୟ ଏହି ଟେନିସ ତାରକା କହିଛନ୍ତି। ଏହି ସମ୍ପର୍କ ପିଢ଼ି ପରେ ବି ସ୍ବତନ୍ତ୍ର ହୋଇ ରହିବ ବୋଲି ୧୮ ଗ୍ରାଣ୍ଡସ୍ଲାମ ବିଜେତା ଏଆଇଟିଏ ଅଫିସିଆଲ୍ ୱେବସାଇଟ୍‌ରେ ପ୍ରକାଶ କରିଛନ୍ତି। ଯେତେବେଳେ ମୁଁ ଟେନିସ୍ ଖେଳିବା ଆରମ୍ଭ କଲି, ଆରକେ ଖାନ୍ନା ଏଆଇଟିଏର ସଭାପତି ଥିଲେ। ଖାନ୍ନାଙ୍କ ବିନା ମୁଁ ଆଜି ଏଠି ନଥାନ୍ତି। ମୋତେ ୧୪-୧୫ ବର୍ଷ ବୟସ ହୋଇଥିଲା ବେଳେ କନିଷ୍ଠସ୍ତରରେ ସେ ମୋତେ ବହୁତ ସାହାଯ୍ୟ କରିଥିଲେ। ସେ ମୋତେ ଆଇଟିଏଫ୍ କନିଷ୍ଠ ଦଳରେ ସ୍ଥାନ ଦେବାରେ ସାହାଯ୍ୟ କରିଥିଲେ। ସେତେବେଳେ ଅନ୍ତର୍ଜାତୀୟସ୍ତରର ପ୍ରଶିକ୍ଷଣର ଆୟୋଜନ କରିବା ଲାଗି ମୋ ପରିବାର ପାଖରେ ସାମର୍ଥ୍ୟ ନଥିଲା। ଅନିଲ ଖାନ୍ନା ସଭାପତି ହେଲେ ଏବଂ ମୋତେ ସାହାଯ୍ୟ କଲେ। ତୁମର ଛାତ୍ରଛାତ୍ରୀମାନେ ଟେନିସରେ ଭଲ ପ୍ରଦର୍ଶନ କରୁଥିବା ଦେଖି ସବୁଠାରୁ ବେଶି ଆନନ୍ଦ ହୁଅ। କ୍ରୀଡାକୁ ଏକ ଯାନ ଭାବରେ ବ୍ୟବହାର କର, ସେମାନଙ୍କୁ ଭଲ ମଣିଷ କର ବୋଲି ପ୍ରଶିକ୍ଷକମାନଙ୍କୁ ପେସ୍‌ ୱେବନାରରେ ଗୁରୁମତ୍ର ଦେଇଥିଲେ।