ଭାରତ-ଇଂଲଣ୍ଡ ଶୃଙ୍ଖଳାକୁ ଆଗୁଆ ଯୋଜନା

ନୂଆଦିଲ୍ଲୀ : ଆଗାମୀ ଭାରତ-ଇଂଲଣ୍ଡ ଟେଷ୍ଟ୍ ଶୃଙ୍ଖଳାକୁ ଆଗୁଆ କରିବା ଲାଗି ବିସିସିଆଇ ପ୍ରସ୍ତାବ ଦେଇଛି। ନିର୍ଧାରିତ ସୂଚୀଠାରୁ ଯଦି ଏହି ଟେଷ୍ଟ୍ ଶୃଙ୍ଖଳା ଗୋଟିଏ ସପ୍ତାହ ଆଗରୁ ଶେଷ ହୋଇପାରିବ ତେବେ କୋଭିଡ୍ ମହାମାରୀ ପାଇଁ ସ୍ଥଗିତ ଥିବା ଆଇପିଏଲ୍‌ର ଅବଶିଷ୍ଟ ଭାଗକୁ ସେହି ସମୟରେ ଆୟୋଜନ କରିବା କଥା ବିସିସିଆଇ ବଚାର କରୁଛି।

ପୂର୍ବ ନିର୍ଧାରିତ ଖେଳସୂଚୀ ଅନୁସାରେ ଅଗଷ୍ଟ ୪ରୁ ଭାରତ-ଇଂଲଣ୍ଡ ୫ ମ୍ୟାଚ୍‌ ଟେଷ୍ଟ୍ ଶୃଙ୍ଖଳା ଆରମ୍ଭ ହୋଇ ସେପ୍ଟେମ୍ବର ୧୪ରେ ଶେଷ ହେବାର ରହିଛି। ବିସିସିଆଇର ପ୍ରସ୍ତାବ ଅନୁସାରେ ଏହାକୁ ଯଦି ସେପ୍ଟେମ୍ବର ୭ ତାରିଖ ସୁଦ୍ଧା ଶେଷ କରି ହୁଅନ୍ତା ତେବେ ଆଇପିଏଲ୍‌ର ଅବଶିଷ୍ଟାଂଶ ପାଇଁ ଗବାକ୍ଷ ମିଳିଯାଆନ୍ତା। ଇଂଲଣ୍ଡ କ୍ରିକେଟ୍‌ ବୋର୍ଡ (ଇସିବି) କିନ୍ତୁ ବିସିସିଆଇ ପକ୍ଷରୁ ଏଭଳି ପ୍ରସ୍ତାବ ପାଇନଥିବା କହିଛି। ତଥାପି ଏଭଳି ପ୍ରସ୍ତାବ ଆଲୋଚନା ସ୍ତରରେ ରହିଛି ବୋଲି ବିଶ୍ବାସ କରାଯାଉଛି।

ବର୍ତମାନର ସୂଚୀ ଅନୁସାରେ ଭାରତୀୟ ଦଳ ଜୁନ୍‌ ୨ ତାରିଖରୁ ଇଂଲଣ୍ଡ ଗସ୍ତ କରିବା ପରେ ସେଠାରେ ଜୁନ୍ ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ନ୍ୟୁଜିଲାଣ୍ଡ୍ ବିପକ୍ଷ ଆଇସିସି ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍‌ ଫାଇନାଲ୍ ଖେଳିବ। ଏହା ପରେ ଅଗଷ୍ଟ ୪ରୁ ୮ ପର୍ଯ୍ୟନ୍ତ ଟ୍ରେଣ୍ଟ୍ ବ୍ରିଜ୍‌ରେ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଟେଷ୍ଟ୍ ଖେଳିବ। ଲର୍ଡସରେ ଦ୍ବିତୀୟ ଟେଷ୍ଟ୍ (ଅଗଷ୍ଟ ୧୨-୧୬), ହେଡିଙ୍ଗ୍‌ଲେରେ ତୃତୀୟ ଟେଷ୍ଟ୍ (ଅଗଷ୍ଟ ୨୫-୨୯), ଦ ଓଭାଲରେ ଚତୁର୍ଥ ଟେଷ୍ଟ୍ (ସେପ୍ଟେମ୍ବର ୨-୬) ଏବଂ ‌ଓଲ୍ଡ ଟ୍ରାଫୋର୍ଡରେ ପଞ୍ଚମ ତଥା ଶେଷ ଟେଷ୍ଟ୍‌ (ସେପ୍ଟେମ୍ବର ୧୦-୧୪) ଖେଳାଯିବ। ଏହି ୫ ମ୍ୟାଚ୍‌ ଶୃଙ୍ଖଳାକୁ ସେପ୍ଟେମ୍ବର ୭ ତାରିଖ ସୁଦ୍ଧା ଶେଷ କରିବା ସମ୍ଭବ ହେ‌ଲେ ବିସିସିଆଇ ଆଇପିଏଲ୍‌ର ଅବଶିଷ୍ଟାଂଶକୁ ବିଶ୍ବକପ୍‌ ପୂର୍ବରୁ ଶେଷ କରିବାରେ ସକ୍ଷମ ହେବ। ଏଥି ପାଇଁ ଅନ୍ୟୁନ ସାଢ଼େ ୩ ସପ୍ତାହ ବିସିସିଆଇକୁ ଆବଶ୍ୟକ ହେଉଛି। ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍‌ ମଧ୍ୟ ଭାରତରେ ଅକ୍ଟୋବର-ନଭେମ୍ବର ମାସରେ ଖେଳାଯିବାର ରହିଛି। ଇସିବି ଏହି ପ୍ରସ୍ତାବରେ ସହମତ ହେଲେ ଆଇପିଏଲ୍‌ କେଉଁଠି ଖେଳାଯିବ ସେ ଚିତ୍ର ମଧ୍ୟ ସ୍ପଷ୍ଟ ହୋଇଯିବ। ଯାହାକି ୟୁଏଇ, ଇଂଲଣ୍ଡ କିମ୍ବା ଶ୍ରୀଲଙ୍କାରେ କରାଯିବାକୁ ପ୍ରସ୍ତାବ ରହିଛି। କାରଣ ବିସିସିଆଇର ଯୋଜନା ହେଉଛି ବିଶ୍ବକପ୍‌ର ଆଗରୁ କିମ୍ବା ପରେ ଆଇପିଏଲ୍‌ର ଅବଶିଷ୍ଟ ୩୧ ମ୍ୟାଚ୍‌କୁ କରାଇବା।

ଇସିବି କହିଲା ଅନୁରୋଧ ମିଳିନିଭାରତ-ଇଂଲଣ୍ଡ ଟେଷ୍ଟ୍ ଶୃଙ୍ଖଳାକୁ ଗୋଟିଏ ସପ୍ତାହ ଆଗୁଆ କରିବା ଲାଗି ରହିଥିବା ବିସିସିଆଇର ପ୍ରସ୍ତାବ ସମ୍ପର୍କରେ ଆମକୁ କୌଣସି ଆନୁଷ୍ଠାନିକ ଅନୁରୋଧ ଆସିନାହିଁ ବୋଲି ଜଣେ ଇସିବି କର୍ମକର୍ତା ପ୍ରକାଶ କରିଛନ୍ତି। ବିସିସିଆଇର ଏଭଳି ପରିବର୍ତ୍ତନ ପ୍ରସ୍ତାବ ମଧ୍ୟ ଇସିବି ଯୋଜନାକୁ ଅଡୁଆରେ ପକାଇବାର ଆଶଙ୍କା ରହିଛି। କାରଣ ଟେଷ୍ଟ୍ ଶୃଙ୍ଖଳା ସହିତ ଇଂଲଣ୍ଡରେ ମଧ୍ୟ ନୂଆ କରି ଆରମ୍ଭ କରାଯିବାକୁ ଥିବା ‘ଦ ହଣ୍ଡ୍ରେଡ୍‌’ ପ୍ରତିଯୋଗିତା ଜୁଲାଇ ୨୧ରୁ ଅଗଷ୍ଟ ୨୧ ତାରିଖ ମଧ୍ୟରେ ଖେଳାଯିବାର ଯୋଜନା ରହିଛି। ଟେଷ୍ଟ୍ ଶୃଙ୍ଖଳାକୁ ପରିବର୍ତନ କରାଗଲେ କେବଳ ତାରିଖ ନୁହେଁ ପଡିଆ ଉପଲବ୍ଧ, ହୋଟେଲ୍ ବୁକିଂ, ଜୈବ ବଳୟ ପରିଚାଳନା, ପ୍ରସାରଣ ବ୍ୟବସ୍ଥା, ଟିକେଟ୍ ବିକ୍ରି ଆଦି ପ୍ରସଙ୍ଗ ପ୍ରଭାବିତ ହେବାର ଆଶଙ୍କା ରହିବ। ଏପରିକି ଦ ହଣ୍ଡ୍ରେଡ୍ ପାଇଁ ଯେଉଁ ଇଂଲଣ୍ଡ ଖେଳାଳିଙ୍କ ଅଂଶଗ୍ରହଣ ବ୍ୟବସ୍ଥା ହେଇଥିବ ସେମାନଙ୍କ ପାଇଁ ପରିସ୍ଥିତି ଅଡୁଆ ହୋଇପାରେ। ଏପରିକି ଭାରତ-ଇଂଲଣ୍ଡ ପାଇଁ ଇସିବି ମଧ୍ୟ କେତେକ ଟିକେଟ୍ ବିକି ସାରିଛି। ବିଶେଷ କରି ଅଧିକାଂଶ ଟେଷ୍ଟ୍‌ର ପ୍ରଥମ ଦିନ ଓ ତୃତୀୟ ଦିନ ଟିକେଟ୍ ବିକ୍ରି ଶେଷ ହୋଇଛି। ତେବେ ଆମେ ବିସିସିଆଇ ସହିତ ଟେଷ୍ଟ୍ ଶୃଙ୍ଖଳାକୁ ନେଇ ଅନେକ ଆଲୋଚନା କରିଥିଲେ ମଧ୍ୟ ଏଭଳି କୌଣସି ଆନୁଷ୍ଠାନିକ ଅନୁରୋଧ ଆସିନାହିଁ ବୋଲି ଜଣେ ଇସିବି ଅଧିକାରୀ କହିବା ଘଟଣାକୁ ଗୋଳମାଳିଆ କରି ଦେଉଛି।

ୟୁଏଇରେ ଅବଶିଷ୍ଟ ଆଇପିଏଲ୍‌ ପ୍ରସ୍ତାବ
ଦୁଇଟି ଭିନ୍ନ ଖେଳସୂଚୀ ସହିତ ବିସିସିଆଇ ଆଇପିଏଲ୍‌ର ଅବଶିଷ୍ଟ ଭାଗକୁ ଆୟୋଜନ କରିବାର ଯୋଜନା କରୁଛି ବୋଲି ସୂଚନା ଦେଇଛନ୍ତି ବିସିସିଆଇର ଅନ୍ତରୀଣ ମୁଖ୍ୟ କାର୍ଯ୍ୟନିର୍ବାହୀ ହେମାଙ୍ଗ ଅମିନ୍‌। ସେପ୍ଟେମ୍ବର ଅକ୍ଟୋବର ମଧ୍ୟରେ ଏହାକୁ ଶେଷ କରିବାକୁ ଯୋଜନା ରହିଛି। ପ୍ରସ୍ତାବିତ ଖେଳସୂଚୀ ଦୁଇଟିରୁ ଗୋଟିଏ ୟୁଏଇକୁ ନଜରରେ ରଖି ଏବଂ ଅନ୍ୟଟିକୁ ଇଂଲଣ୍ଡରେ କରିବା ଲକ୍ଷ୍ୟ ନେଇ ପ୍ରସ୍ତୁତ କରାଯାଇଛି ବୋଲି ସେ କହିଛନ୍ତି। ମେ’ ୨୯ ତାରିଖରେ ବିସିସିଆଇର ସ୍ବତନ୍ତ୍ର ସାଧାରଣ ପରିଷଦ (ଏସ୍‌ଜିଏମ୍‌) ବସି ଉଭୟ ଆଇପିଏଲ୍‌ର ଅବଶିଷ୍ଟାଂଶ ଓ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଉପରେ ଚୂଡାନ୍ତ ନିଷ୍ପତ୍ତି ନେବ। ଅମିନଙ୍କ ନେତୃତ୍ବରେ ଆଇପିଏଲ୍‌ର ତ୍ରୟୋଦଶ ସଂସ୍କରଣ ୨୦୨୦ରେ ୟୁଏଇରେ ସମ୍ପନ୍ନ ହେବା ପରେ ବିଭିନ୍ନ ଦାବିଦାର ଏବଂ ଆଇପିଏଲ୍ ଫ୍ରାଞ୍ଚାଇଜ୍‌ ନିକଟରୁ ପ୍ରଶଂସିତ ହୋଇଥିଲେ। ୨୦୨୧ ସଂସ୍କରଣକୁ ମଧ୍ୟ ସମ୍ପୂର୍ଣ୍ଣ ୟୁଏଇରେ କରିବା ଲାଗି ପ୍ରସ୍ତାବ ଆସିଥିଲା କିନ୍ତୁ ବିସିସିଆଇ ଏଜିଏମ୍‌ ଏହାକୁ ପ୍ରତ୍ୟାଖାନ କରି ଦେଇଥିଲା। ଏବେ ସେହି ୟୁଏଇ ବିସିସିଆଇର ଆୟୋଜନ ତାଲିକାରେ ଶୀର୍ଷରେ ରହିଥିବା ବିଶ୍ବାସ କରାଯାଉଛି।

କେଉଁ କାରଣରୁ ୟୁଏଇ ଏବଂ ଇଂଲଣ୍ଡ ପାଇଁ ଦୁଇଟି ଭିନ୍ନ ଖେଳସୂଚୀ ପ୍ରସ୍ତୁତ ରହିଛି ସେ ସମ୍ପର୍କରେ ମଧ୍ୟ ଅମିନ୍‌ ବିଭିନ୍ନ ସୂତ୍ର ଦର୍ଶାଇଛନ୍ତି। ଏକାଧିକ କାରଣ ଇଂଲଣ୍ଡରେ ଆଇପିଏଲ୍‌ର ଅବଶିଷ୍ଟାଂଶ କରାଇବା ବିପକ୍ଷରେ ରହିଛି। ସେପ୍ଟେମ୍ବର ଅଧା ବେଳକୁ ସେଠାରେ ବର୍ଷା ଋତୁ ଆରମ୍ଭ ହେବ ଏବଂ ଇଂଲଣ୍ଡରେ ଆୟୋଜନ ଖର୍ଚ୍ଚ ଅଧିକ ରହିବ। ୟୁଏଇରେ କିନ୍ତୁ ସେହି ସମୟରେ ପ୍ରବଳ ଗରମ ହେବାର ଆଶଙ୍କା ରହିଛି। କିନ୍ତୁ ଏହା ସବୁଠାରୁ ପରୀକ୍ଷିତ ଭେନ୍ୟୁ ହୋଇଥିବାରୁ ଏବଂ ଏକାଧିକ ଥର ଆଇପିଏଲ୍‌ କରି ସାରିଥିବାରୁ ପ୍ରଥମ ପସନ୍ଦ ରହିବା ସମ୍ଭାବନା ଅଧିକ। କିନ୍ତୁ ପୂର୍ବରୁ ଦକ୍ଷିଣ ଆଫ୍ରିକା ଏବଂ ୟୁଏଇରେ ଆଇପିଏଲ୍‌ ହୋଇଥିବାରୁ ଏଥର ଇଂଲଣ୍ଡରେ ଖେଳାଗଲେ କିଛି ନୂତନତ୍ବ ଆସନ୍ତା ବୋଲି ମଧ୍ୟ ବିଶ୍ବାସ ରହିଛି। ତେବେ ‌ମେ’ ୨୯ ତାରିଖର ବିସିସିଆଇ ଏସ୍‌ଜିଏମ୍ ନିଶ୍ଚିତ ଏ ସମ୍ପର୍କରେ ସ୍ପଷ୍ଟ ନିଷ୍ପତ୍ତି ନେବ ବୋଲି ବିଶ୍ବାସ କରାଯାଉଛି।

ସମ୍ବନ୍ଧିତ ଖବର