ପ୍ରିମିୟର ବ୍ୟାଡ୍‌ମିଣ୍ଟନ ଲିଗ୍‌: ପୁରୀ ସ୍ମାସ୍‌ କିଙ୍ଗ୍ସ ବିଜେତା

କଟକ: ପୁରୀ ସ୍ମାସ୍‌ କିଙ୍ଗ୍ସ ଦଳ ଓଡ଼ିଶା ପ୍ରିମିୟର ବ୍ୟାଡମିଣ୍ଟନ ଲିଗ୍‌ ପ୍ରଥମ ସଂସ୍କରଣର ବିଜେତା ହୋଇଛି। ରବିବାର ସଂଧ୍ୟା ଫାଇନାଲ୍‌ରେ ପୁରୀ ୩-୧ରେ ଏଲ୍‌ବିଏନ୍‌ ଲାୟନ୍ସକୁ ହରାଇଥିଲା। ଫାଇନାଲ୍‌ର ଅଣ ସିଡେଡ୍‌ ପୁରୁଷ ଯୁଗଳରେ ଏଲ୍‌ବିଏନ୍‌ ଲାୟନ୍ସ ୨୧-୧୮, ୧୯-୨୧ ଓ ୨୧-୧୬ରେ ଏବଂ ପୁରୁଷ ଯୁଗଳରେ ପୁରୀ ୨୧-୧୫ ଓ ୨୧-୧୬ରେ, ଭେଟେରାନ୍‌ ଯୁଗଳରେ ପୁରୀ ୨୧-୧୫, ୧୯-୨୧ ଓ ୨୧-୧୪ରେ ଜିତି ଆଗୁଆ ଥିବାବେଳେ ଶେଷ ରାଉଣ୍ଡ ଅର୍ଥାତ୍‌ କନିଷ୍ଠ ବାଳକ ଯୁଗଳରେ ପୁରୀ ସିଧାସଳଖ ୨୧-୧୭, ୨୧-୧୪ରେ ଏଲ୍‌ବିଏନ୍‌ ଲାୟନ୍ସକୁ ହରାଇ ବିଜେତା ହୋଇଥିଲା। ଏଥି ପୂର୍ବରୁ ସେମିଫାଇନାଲରେ ଏଲ୍‌ବିଏନ୍‌ ୩-୨ରେ ଏବିସି ଓ୍ଵାରିୟର୍ସକୁ ଓ ପୁରୀ ୩-୦ରେ ଫାଲ୍‌କନ୍‌ ଫାଇଟର୍ସକୁ ପରାସ୍ତ କରିଥିଲା। ଉଦ୍‌ଯାପନୀ ସମାରୋହରେ କ୍ରୀଡ଼ା ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ମୁଖ୍ୟ ଅତିଥି ଓ ଓଡ଼ିଶା ଟେଲିଭିଜନ୍‌ ନେଟ୍‌ଓ୍ଵର୍କର ନିର୍ଦ୍ଦେଶକ ଜାଗିମଙ୍ଗତ ପଣ୍ଡା ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ। ବିଜେତାକୁ ଟ୍ରଫି ସହ ୫୦ ହଜାର ଟଙ୍କା ଓ ଉପ ବିଜେତାଙ୍କୁ ଟ୍ରଫି ସହ ୩୫ ହଜାର ଟଙ୍କା ପ୍ରଦାନ କରାଯାଇଛି। ଏହି ଅବସରରେ ଫ୍ରାଞ୍ଚାଇଜି ଓନରଙ୍କ ମଧ୍ୟରେ ହୋଇଥିବା ଫାଇନାଲ୍‌ର ବିଜେତା ଫାଲକନ୍‌ ଫାଇଟର୍ସର ଦିବ୍ୟ ମହାନ୍ତି ଓ ମଳୟ ପଟ୍ଟନାୟକଙ୍କ ଯୋଡ଼ିକୁ ପୁରସ୍କୃତ କରାଯାଇଥିଲା। ଶ୍ରେଷ୍ଠ ଶୃଙ୍ଖଳିତ ଖେଳାଳି ଭାବେ କଳିଙ୍ଗ ଷ୍ଟ୍ରାଇକର୍ସର ଦେବେଶ ପଣ୍ଡା ପୁରସ୍କାର ପାଇଥିଲେ। ଚଳଚ୍ଚିତ୍ର ଅଭିନେତା ସବ୍ୟସାଚୀ ମିଶ୍ର, ଅଭିନେତ୍ରୀ ଅର୍ଚ୍ଚିତା ସାହୁ, ଏଲିନା ସାମନ୍ତରାୟ, ଓଡ଼ିଶା ବ୍ୟାଡମିଣ୍ଟନ ସଂଘର ସମ୍ପାଦକ ପ୍ରଦୀପ ମହାନ୍ତି, କଟକ କ୍ଲବ୍‌ ସଭାପତି ମନୋରଂଜନ ମହାପାତ୍ର, ସମ୍ପାଦକ ଯଶୋବନ୍ତ ମହାପାତ୍ର, ସଂଗଠନ ସମ୍ପାଦକ କମଳ ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। କଟକ କ୍ଲବ୍‌ ଆୟୋଜିତ ଏହି ପ୍ରତିଯୋଗିତାରେ ୮ ଦଳରେ ୮୮ଜଣ ଖେଳାଳି ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର