ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷରେ କେପ୍ଟାଉନ୍ ଓ ସେଞ୍ଚୁରିଅନ୍ ଟେଷ୍ଟରେ ପରାଜୟ ହେବା ପରେ ଟିମ୍ ଇଣ୍ଡିଆର ଚିନ୍ତା ବଢ଼ିଯାଇଛି। ୩ୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ରେ ବିଜୟୀ ହେବାକୁ ଟିମ୍ ଇଣ୍ଡିଆ ନୂଆ ରଣନୀତି ପ୍ରସ୍ତୁତ କରୁଛି। ଅଧିନାୟକ ବିରାଟ କୋହଲି ଗୁରୁବାର ଭାରତୀୟ ଖେଳାଳିଙ୍କୁ ନେଇ ଏକ ହୋଟେଲରେ ବୈଠକର ଆୟୋଜନ କରିଛନ୍ତି। ସେ ଖେଳାଳିମାନଙ୍କୁ ସ୍ୱତନ୍ତ୍ର ଭାବରେ ପରାମର୍ଶ ମଧ୍ୟ ଦେଇଛନ୍ତି। ସେଞ୍ଚୁରିଅନ୍ ଟେଷ୍ଟରେ ପରାସ୍ତ ହେବା ସହିତ ଟିମ୍ ଇଣ୍ଡିଆ ୨୫ ବର୍ଷ ପରେ ଦକ୍ଷିଣ ଆଫ୍ରିକାର ମାଟିରେ ଟେଷ୍ଟ ଶୃଙ୍ଖଳା ବିଜୟୀ ହେବା ହାତ ଛଡ଼ା କରିଛି।
ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଟେଷ୍ଟ ମ୍ୟାଚ୍ରେ କ୍ରମାଗତ ଭାବରେ ପରାଜୟ ନେଇ ଟିମ୍ ଇଣ୍ଡିଆ ଦୁଃଖରେ ଅଛି। କୋହଲି ଟିମ୍ ଇଣ୍ଡିଆର ଖେଳାଳିଙ୍କ ସହିତ ବହୁ ସମୟ ଧରି ବୈଠକରେ ଆଲୋଚନା କରିଛନ୍ତି। ଖବର ଅନୁସାରେ ବିରାଟ କୋହଲି ଜଣ ଜଣ କରି ଖେଳାଳିଙ୍କ ସହିତ ଆଲୋଚନା କରିଛନ୍ତି।
ଏହା ପୂର୍ବରୁ କୋହଲି ଖେଳାଳିଙ୍କ ‘ଇଚ୍ଛାଶକ୍ତି’ ଉପରେ ଆଲୋଚନା କରିଥିଲେ। କୁହାଯାଉଥିଲା ଯେ, ନୂଆଁ ଖେଳାଳି, ଯେଉଁମାନେ କି ମୁଖ୍ୟତଃ ଟି-୨୦ରେ ଅଭିଜ୍ଞତା ରହିଛି, ସେମାନଙ୍କ ସହ କୋହଲି ଅଲଗା ଆଲୋଚନା କରିଥିଲେ।
୩ୟ ତଥା ଅନ୍ତିମ ଟେଷ୍ଟ ଜୋହସ୍ବର୍ଗରେ ଖେଳାଯିବ। ଏଥିରେ ଆଜିଙ୍କ୍ୟ ରାହାଣେଙ୍କୁ ସୁଯୋଗ ମିଳିପାରେ। ପ୍ରଥମ ୨ଟି ଟେଷ୍ଟ ମ୍ୟାଚ୍ରେ ଖରାପ ପ୍ରଦର୍ଶନ ପରେ ଟିମ୍ ଇଣ୍ଡିଆ ବୈଠକରେ ଆଗାମୀ ଦିନରେ ହେବାକୁ ଥିବା ବୈଠକ ପାଇଁ ରଣନୀତି ପ୍ରସ୍ତୁତ ହୋଇଛି। ଭାରତ କେପ୍ଟାଉନ୍ ଟେଷ୍ଟରେ ୭୨ ରନ୍ ଓ ସେଞ୍ଚୁରିଅନ୍ ଟେଷ୍ଟରେ ୧୩୫ ରନ୍ରେ ପରାସ୍ତ ହୋଇଛି।
ସେଞ୍ଚୁରିଅନ୍ ଟେଷ୍ଟରେ ଶୃଙ୍ଖଳା ହରାଇବା ପରେ ବିରାଟ କୋହଲି ସାମ୍ବାଦିକ ସମ୍ମିଳନୀରେ ଚିନ୍ତିତ ଜଣାପଡୁଥିଲେ। କୋହଲି ସାମ୍ବାଦିକମାନଙ୍କୁ କହିଥିଲେ, ଆପଣମାନେ କୁହନ୍ତୁ, ଭଲ ଏକାଦଶରେ କେଉଁମାନେ ଖେଳିବା ଦରକାର। କୋହଲି କହିଥିଲେ, ଆମେ ଫଳାଫଳ ନେଇ ଖେଳାଳିଙ୍କୁ ଚୟନ କରି ନଥାଉ।