ଜୈବ ବଳୟରେ ଓଡ଼ିଶାର ରଣଜୀ ଟ୍ରଫି ପ୍ରସ୍ତୁତି: ଆଜିଠୁ ବାରବାଟୀରେ ଓଡ଼ିଶା-ବରୋଦା ଦୁଇ ଦିନିଆ ଅଭ୍ୟାସ ମ୍ୟାଚ୍‌

କଷ୍ଟସାଧ୍ୟ ଗ୍ରୁପ୍‌ରେ ଭଲ ଖେଳିଲେ ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିହେବ: ନିର˚ଜନ ବେହେରା

କଟକ: ଦୁଇ ଋତୁ ବ୍ୟବଧାନ ପରେ ଚଳିତ ସପ୍ତାହଠୁ ରଣଜୀ ଟ୍ରଫି ପୁଣି ଥରେ ଆରମ୍ଭ ହେବ। କୋଭିଡ୍‌ ମହାମାରୀ ଯୋଗୁଁ ଖେଳାଳିମାନଙ୍କ ମ୍ୟାଚ ଅଭ୍ୟାସ ଠପ୍‌ ହୋଇଯାଇଥିଲେ ବି ବିଭିନ୍ନ ରାଜ୍ୟମାନେ ସେମାନଙ୍କ ଦଳକୁ ପ୍ରସ୍ତୁତ ରଖିବା ପାଇଁ ନିଜନିଜ ମଧ୍ୟରେ ଅଭ୍ୟାସ ମ୍ୟାଚ୍‌ କରି ଖେଳାଳିମାନଙ୍କୁ ପ୍ରସ୍ତୁତ କରି ରଖିଆସିଛନ୍ତି। ଓଡ଼ିଶା ମଧ୍ୟ ଏହି କ୍ରମରେ ପଛରେ ପଡ଼ିନାହିଁ। ଅନ୍ତଃଜିଲ୍ଲା ପ୍ରତିଯୋଗିତା ଆୟୋଜନ ହେବା ପରେ ମନୋନୀତ ଖେଳାଳିମାନଙ୍କୁ ନେଇ ଅଭ୍ୟାସ ଶିବିର କରାଯାଇଥିଲା। ସୀମିତ ଓଭର ପ୍ରତିଯୋଗିତା ପୂର୍ବରୁ ଝାଡ଼ଖଣ୍ଡ ସହିତ ଅଭ୍ୟାସ ମ୍ୟାଚ କରାଯାଇଥିଲା ବେଳେ ଏବେ ରଣଜୀ ଟ୍ରଫି ପୂର୍ବରୁ ବରୋଦା ବିପକ୍ଷରେ ଦୁଇ ଦିନିଆ ଅଭ୍ୟାସ ମ୍ୟାଚ କରାଯିବାକୁ କ୍ଷେତ୍ର ପ୍ରସ୍ତୁତ ହୋଇସାରିଛି। ମଙ୍ଗଳବାରଠୁ ବାରବାଟୀ ଷ୍ଟାଡିୟମରେ ଓଡ଼ିଶା ଓ ବରୋଦା ମଧ୍ୟରେ ଏହି ଅଭ୍ୟାସ ମ୍ୟାଚ୍‌ ଖେଳାଯିବ। ପ୍ରଶିକ୍ଷକ ତଥା ଭାରତୀୟ ଦଳର ପୂର୍ବତନ ଟେଷ୍ଟ୍‌ ଓପନର ଵାସିମ୍‌ ଜାଫରଙ୍କ ପାଇଁ ମଧ୍ୟ ନିଜ ଦଳକୁ ପ୍ରତିଯୋଗିତା ପୂର୍ବରୁ ଶେଷଥର ପରଖିବାକୁ ଏହା ସୁଯୋଗ ରହିବ।

ଏହି ଅଭ୍ୟାସ ମ୍ୟାଚ୍‌ ପାଇଁ ବରୋଦା କ୍ରିକେଟ୍‌ ଦଳ ଭୁବନେଶ୍ବରରେ ପହଞ୍ଚିସାରିଛି। ଖେଳାଳିମାନଙ୍କୁ ଜୈବ ବଳୟ ମଧ୍ୟରେ ଭୁବନେଶ୍ବରସ୍ଥିତ ଏକ ଘରୋଇ ହୋଟେଲରେ ରଖାଯାଇଛି। ମଙ୍ଗଳବାରଠୁ ସ˚ପୂର୍ଣ୍ଣ ବଳୟ ମଧ୍ୟରେ ଅଭ୍ୟାସ ମ୍ୟାଚ୍‌ ଖେଳାଯିବ। ତେବେ ବରୋଦା ଦଳରେ ଆନ୍ତର୍ଜାତିକ କ୍ରିକେଟର୍‌ ହାର୍ଦ୍ଦିକ ପାଣ୍ଡ୍ୟାକୁ ନିଆଯାଇନାହିଁ। ଆଗକୁ ଆଇପିଏଲ୍‌ ଥିବାରୁ ସେ ଏଥର ରଣଜୀ ଟ୍ରଫି ଖେଳିବାକୁ ଆଗ୍ରହ ଦେଖାଇନଥିବା ଜଣାପଡ଼ିଛି। ଅହମଦାବାଦ ଫ୍ରାଞ୍ଚାଇଜି ପାଇଁ ସେ ୧୫କୋଟି ଟଙ୍କାରେ କିଣା ହୋଇଥିବାରୁ ଦଳର ଚୟନ ବେଳେ ତାଙ୍କ କଥା ବିଚାରକୁ ନନେବା ପାଇଁ ହାର୍ଦ୍ଦିକ ଚୟନକର୍ତ୍ତାମାନଙ୍କୁ ଅନୁରୋଧ କରିଥିଲେ। ତେଣୁ କେଦାର ଦେବଧରଙ୍କ ନେତୃତ୍ବରେ ଘୋଷଣା ହୋଇଥିବା ଦଳରେ ତାଙ୍କ ନାମକୁ ସ୍ଥାନ ଦିଆଯାଇନଥିଲା। ତେବେ ହାର୍ଦ୍ଦିକଙ୍କ ଭାଇ କ୍ରୁନାଲ ପାଣ୍ଡ୍ୟା ବରୋଦା ପାଇଁ ରଣଜୀ ଟ୍ରଫିରେ ଖେଳିବେ।
ଓଡ଼ିଶା ଦଳ: ଶୁଭ୍ରା˚ଶୁ ସେନାପତି (ଅଧିନାୟକ), ଅନୁରାଗ ଷଡ଼ଙ୍ଗୀ, ଶାନ୍ତନୁ ମିଶ୍ର, ସନ୍ଦୀପ ପଟ୍ଟନାୟକ, ଅ˚ଶୁମାନ ରଥ, ଗୋବିନ୍ଦ ପୋଦ୍ଦାର, ଅଭିଷେକ ରାଉତ, ଦେବାଶିଷ ସାମନ୍ତରାୟ, ରାକେଶ ପଟ୍ଟନାୟକ, ସୁଜିତ ଲେଙ୍କା, ରାଜେଶ ଧୂପର, ଜୟନ୍ତ ବେହେରା, ପପୁ ରାଏ, ଶୁଭମ ନାୟକ, ବସନ୍ତ ମହାନ୍ତି, ରାଜେଶ ମହାନ୍ତି, ଦେବବ୍ରତ ପ୍ରଧାନ, ପ୍ରଶାନ୍ତ ରଣା, ଆଶିଷ ରାଏ, ତାରିଣୀ ସ’।

ବରୋଦା ଦଳ: କେଦାର ଦେବଧର (ଅଧିନାୟକ), ବିଷ୍ଣୁ ସୋଲାଙ୍କି, ପ୍ରତ୍ୟୁଷ କୁମାର, ଶିଭାଲିକ ଶର୍ମା, କ୍ରୁନାଲ ପାଣ୍ଡ୍ୟା, ଅଭିମନ୍ୟୁ ସି˚ହ ରାଜପୁତ, ଧ୍ରୁବ ପଟେଲ, ମିତେଶ ପଟେଲ, ଲୁକମନ ମେରିଵାଲା, ବାବାସାଫି ପଠାନ୍‌, ଅତୀତ ଶ୍ରେଷ୍ଠ, ଭାର୍ଗବ ଭଟ୍ଟ, ପାର୍ଥ କୋହଲି, ଶଶାଵତ ରାଵତ, ସୋଏବ ସୋପାରିଆ, କାର୍ତ୍ତିକ କାକାଡ଼େ, ଗୁରଜିନ୍ଦରସି˚ହ ମନ୍‌, ଜ୍ୟୋତସ୍ନିଲ ସି˚ହ, ନିନାଦ ରଥଵା, ଅକ୍ଷୟ ମୋର‌୍‌।

କଷ୍ଟସାଧ୍ୟ ଗ୍ରୁପ୍‌ରେ ଭଲ ଖେଳିଲେ ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିହେବ: ନିର˚ଜନ ବେହେରା
ଓଡ଼ିଶା ଦଳରେ ବରିଷ୍ଠ ଓ କନିଷ୍ଠ ଉଭୟଙ୍କର ମିଶ୍ରଣ ରହିଛି। ଶୁଭ୍ରା˚ଶୁ, ଅନୁରାଗ, ସନ୍ଦୀପ, ଶାନ୍ତନୁ, ଧୂପର ସମସ୍ତଙ୍କର ରଣଜୀ ଅଭିଜ୍ଞତା ରହିଛି। ତାଙ୍କ ସହିତ ଅ˚ଶୁମାନ ମଧ୍ୟ ହ˚କ˚ ପାଇଁ ଭଲ ଖେଳିଥିଲେ, ତେବେ ଭାରତରେ ତାଙ୍କର ଅସଲ ପରୀକ୍ଷା ଏହିଠାରୁ ଆରମ୍ଭ ହେବ। ବସନ୍ତ ମହାନ୍ତିଙ୍କ ନେତୃତ୍ବରେ ବୋଲି˚ ଦଳ ସବୁବେଳେ ଶକ୍ତ ରହିଛି। ଦେବବ୍ରତ ପ୍ରଧାନ, ରାଜେଶ ମହାନ୍ତିଙ୍କ ସହିତ ଯୁବ ବୋଲର ପ୍ରଶାନ୍ତ ରଣା, ଆଶିଷ ରାଏଙ୍କ ପାଇଁ ଏହା ଏକ ସ୍ମରଣୀୟ ସୁଯୋଗ ରହିବ। ଅଭିଜ୍ଞ ଜୟନ୍ତ ବେହେରା, ପପୁ ରାଏ, ଯୁବ ବୋଲର ଶୁଭମ ନାୟକଙ୍କ କାନ୍ଧରେ ସ୍ପିନ୍‌ ବିଭାଗ ଦାୟିତ୍ବ ରହିବ। ନିଜେ ପ୍ରଶିକ୍ଷକ ଵାସିମ ଜାଫର ଜଣେ କିଂବଦନ୍ତି ବ୍ୟାଟର୍‌। ତେଣୁ ତାଙ୍କର ଅଭିଜ୍ଞତା ଖେଳାଳିମାନଙ୍କୁ ସହାୟକ ହେବ। ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରୁ ବିଜୟ ହଜାରେ ଟ୍ରଫି ମଧ୍ୟରେ ଖେଳାଳିମାନଙ୍କ ପ୍ରଦର୍ଶନରେ ଉନ୍ନତି ଆସିଛି। ତେଣୁ ରଣଜୀ ଟ୍ରଫିରେ ଓଡ଼ିଶା ଭଲ କରିବ ବୋଲି ଆଶା ରଖିଛନ୍ତି ପୂର୍ବତନ ରଣଜୀ ଅଧିନାୟକ ତଥା ପ୍ରଶିକ୍ଷକ ନିର˚ଜନ ବେହେରା। ଏଥର ଦଳରେ ବିପ୍ଲବ କିମ୍ବା ସୂର୍ଯ୍ୟକାନ୍ତ ନଥିବାରୁ ଯଦିଓ ସେମାନଙ୍କ ଅନୁପସ୍ଥିତି ଅନୁଭୂତ ହେବ। କିନ୍ତୁ ଘରୋଇ ପ୍ରତିଯୋଗିତାରେ ପ୍ରଦର୍ଶନ ଭଲ ନଥିବାରୁ ସେମାନଙ୍କୁ ଦଳରେ ନିଆଯାଇନାହିଁ। ତଥାପି ସମସ୍ତଙ୍କର ମ୍ୟାଚ ଅଭ୍ୟାସ ଥିବାରୁ ଦଳ ଭଲ ଖେଳିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ରଣଜୀ ଟ୍ରଫିରେ ଓଡ଼ିଶା ଏଲିଟ୍‌ ଗ୍ରୁପ୍‌-‘ଡି’ରେ ସୌରାଷ୍ଟ୍ର, ମୁମ୍ବାଇ, ଗୋଆ ବିପକ୍ଷରେ ଖେଳିବ। ମୁମ୍ବାଇରେ ସୂର୍ଯ୍ୟକୁମାର ଯଦବ, ରୋହିତ ଶର୍ମାଙ୍କ ଭଳି ଖେଳାଳି ନଥିଲେ ବି ଦଳକୁ ହାଲ୍‌କା ଭାବେ ନେଇହେବନି। ଉଭୟ ଦଳଙ୍କ ମଧ୍ୟରେ ଭଲ ସ˚ଘର୍ଷ ଦେଖିବାକୁ ମିଳିବ। ତେବେ ରଣଜୀ ଟ୍ରଫିର ଫାଇନାଲିଷ୍ଟ ସୌରାଷ୍ଟ ଏହି ଗ୍ରୁପ୍‌ରେ ଓଡ଼ିଶା ପାଇଁ ଆହ୍ବାନ ହେବ। ଭଲ ଦଳ ବିପକ୍ଷରେ ଭଲ ଖେଳିଲେ ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିହେବ ବୋଲି ନିର˚ଜନ ବେହେରା ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର