ପ୍ରସ୍ତୁତ ହେଉଛି ପ୍ରାମାଣିକ ନାଟକ ‘ମେଜର୍‌ ଧ୍ୟାନ ଚାନ୍ଦ’

ଭୁବନେଶ୍ବର: ଅସାଧାରଣ ଦକ୍ଷତା ଏବଂ ବଲ୍‌ ନିୟନ୍ତ୍ରଣ ପାଇଁ ବିଶ୍ବବ୍ୟାପୀ ଖ୍ୟାତି ଅର୍ଜନ କରିଥିବା ହକି ଯାଦୁକର ମେଜର୍‌ ଧ୍ୟାନଚାନ୍ଦଙ୍କ ଉପରେ ଖୁବ୍ ଶୀଘ୍ର ଏକ ପ୍ରାମାଣିକ ନାଟକ ‘ମେଜର୍‌ ଧ୍ୟାନ ଚାନ୍ଦ’ ପ୍ରସ୍ତୁତ ହେଉଛି। ସିଗ୍ନେଚର ୨୪ ପ୍ରଡକ୍ସନ୍ସର ମାଲିକ ତଥା ପ୍ରଯୋଜକ ଦମ୍ପତି ଜୟୀତା ରୟ ଓ ପ୍ରତୀକ କୁମାର ମିଶ୍ର ମିଳିତ ଭାବେ ଏହା ନିର୍ମାଣ କରୁଛନ୍ତି। ମେଜର୍‌ ଧ୍ୟାନ ଚାନ୍ଦଙ୍କୁ ଭାରତରତ୍ନ ପ୍ରଦାନ ଦାବିକୁ ନେଇ ୨୦୧୯ ମସିହାରୁ ଫେସ୍‌ବୁକ୍‌ରେ ଡିଜିଟାଲ୍ ଅଭିଯାନ ଜାରି ରଖିଥିବା ଏହି ଦମ୍ପତିଙ୍କୁ ମଧ୍ୟ ଧ୍ୟାନଚାନ୍ଦଙ୍କ ସୁପୁତ୍ର ଅଶୋକ କୁମାର, ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି, ହକି ତାରକା ମୀର ରଞ୍ଜନ ନେଗି, ଅଲିମ୍ପିକ୍ସ ସ୍ବର୍ଣ୍ଣ ବିଜେତା ଗୁରବକ୍ସ ସିଂହ, ହରବିନ୍ଦର ସିଂହ‌, ହକି ଖେଳାଳି ଯୁବରାଜ ବାଲ୍ମିକୀ ଓ ବଲିଉଡ୍ ଅଭିନେତା ରାଚେଲ୍‌ ହ୍ବାଇଟ୍‌ ପ୍ରମୁଖ ପ୍ରଶଂସା କରିସାରିଛନ୍ତି।

ଧ୍ୟାନଚାନ୍ଦଙ୍କ ବାଲ୍ୟ ଜୀବନର ସଂଘର୍ଷ ଏବଂ ସଫଳତାର କାହାଣୀକୁ ନେଇ ୨୦୨୦ରେ ଏହାର ସୁଟିଂ କାର୍ଯ୍ୟ ଝାନସୀ ଓ ଆଲ୍ଲାହାବାଦରେ କରାଯାଇଥିଲା। ତାଙ୍କ ଜନ୍ମଦିନରେ ୨୦୨୦ ଅଗଷ୍ଟ ୨୯ରେ ଏହାକୁ ମୁକ୍ତିଲାଭ କରାଯିବାର ଯୋଜନା ରହିଥିଲେ ମଧ୍ୟ କୋଭିଡ୍ କାରଣରୁ ଏହାକୁ ସ୍ଥଗିତ ରଖିବାକୁ ପଡ଼ିଥିଲା। ବର୍ତମାନ ଏହି ଦମ୍ପତି ତାଙ୍କ ନୂଆ ପ୍ରକଳ୍ପରେ ଭାରତର ଯୁବ ବର୍ଗଙ୍କୁ ମେଜର ଧ୍ୟାନଚାନ୍ଦଙ୍କ ସମ୍ପର୍କରେ ଶିକ୍ଷିତ କରିବା ସହ ଭାରତ ରତ୍ନ ଦାବିକୁ ଜୋର କରିବା ଲକ୍ଷ୍ୟ ରଖିଛନ୍ତି। ମେଜର ଧ୍ୟାନଚାନ୍ଦଙ୍କ ୪୨ତମ ଶ୍ରାଦ୍ଧବାର୍ଷିକୀ ୨୦୨୧ ଡିସେମ୍ବର ୩ ତାରିଖରେ ଏହାର ମୁକ୍ତିଲାଭ ଯୋଜନା କରାଯାଇଛି।

ସମ୍ବନ୍ଧିତ ଖବର