ଅହମଦାବାଦ: ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଶନିବାର ହେବାକୁ ଥିବା ବହୁ ପ୍ରତିକ୍ଷୀତ ଭାରତ-ପାକିସ୍ତାନ ବିଶ୍ବକପ୍‌ ମ୍ୟାଚ୍‌ ପାଇଁ ୧୧ ହଜାରରୁ ଊର୍ଦ୍ଧ୍ବ ସୁରକ୍ଷାକର୍ମୀ ମୁତୟନ ହେବେ। ସେଥିରେ ଗୁଜରାଟ ‌ପୁଲିସ ସହିତ ଏନ୍‌ଏସ୍‌ଜି, ଆର୍‌ଏଏଫ୍‌, ହୋମ ଗାର୍ଡଙ୍କ ସହ ଘରୋଇ ସୁରକ୍ଷାକର୍ମୀ ନିୟୋଜିତ ହେବେ। ଏ ସଂକ୍ରାନ୍ତରେ ଗୁଜରାଟ ସରକାରଙ୍କ ପକ୍ଷରୁ ଏକ ଉଚ୍ଚସ୍ତରୀୟ ବୈଠକ କରାଯାଇ ସୁରକ୍ଷା ବ୍ୟବସ୍ଥା ବିଷୟରେ ଅନୁଧ୍ୟାନ କରାଯାଇଥିଲା। ଯଦିଓ ଗତ ୨୦ ବର୍ଷ ମଧ୍ୟରେ ଅହମଦାବାଦରେ କେବେ ବି ସାମ୍ପ୍ରଦାୟିକ ହିଂସା ହୋଇନାହିଁ, ତଥାପି ବିଭିନ୍ନ ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯିବ ବୋଲି ଅହମଦାବାଦ ପୁଲିସ କମିସନର ଜିଏସ୍‌ ମଲ୍ଲିକ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ୍‌ଙ୍କ ନେତୃତ୍ବରେ ହୋଇଥିବା ବୈଠକରେ ଗୃହ ରାଷ୍ଟ୍ରମନ୍ତ୍ରୀ ହର୍ଷ ସାଙ୍ଗ୍‌ଭି, ପୁଲିସ ମହାନିର୍ଦ୍ଦେଶକ ବିକାଶ ସହାୟ, କମିସନର ଜିଏସ୍‌ ମଲ୍ଲିକଙ୍କ ସହ ଅନ୍ୟାନ୍ୟ ବରିଷ୍ଠ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ।

Advertisment

ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ଦ୍ବାରା ଇ-ମେଲ୍‌ ଜରିଆରେ ଧମକପୂର୍ଣ୍ଣ ବାର୍ତ୍ତା ଦିଆଯାଇଥିବାରୁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବାକୁ ନିଷ୍ପତ୍ତି ହୋଇଛି। ପୁଲିସଠୁ ମିଳିଥିବା ସୂଚନା ଅନୁଯାୟୀ ସଂପୃକ୍ତ ଇ-ମେଲ୍‌ରେ ପ୍ରଧାନମନ୍ତ୍ରୀଙ୍କୁ କ୍ଷତି ପହଞ୍ଚାଇବା ସହ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌କୁ ବିସ୍ଫୋରଣରେ ଉଡ଼ାଇ ଦେବାକୁ ଧମକ ଦିଆଯାଇଛି। ଏହାର ପ୍ରତି ବଦଳରେ ୫୦୦‌ କୋଟି ଟଙ୍କା ମଗାଯାଇଥିବା ବେଳେ ଜେଲ୍‌ରୁ ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କୁ ମୁକ୍ତ କରିବା ପାଇଁ ଦାବି ରଖାଯାଇଛି। ତେଣୁ ଏହି ଧମକପୂର୍ଣ୍ଣ ଇ-ମେଲ୍‌କୁ ପୁଲିସ ଦ୍ବାରା ତର୍ଜମା କରାଯାଇଛି ଏବଂ ଏହାକୁ ଏକ ବିଦେଶୀ ସ୍ଥାନରୁ ପଠାଯାଇଥିବା ଜଣାପଡ଼ିଛି।

ଏହାକୁ ଦୃଷ୍ଟିରେ ରଖି ମ୍ୟାଚ୍‌ ଆରମ୍ଭ ହେବା ପୂର୍ବରୁ ସୁରକ୍ଷାକର୍ମୀମାନେ ସଜାଗ ରହିବା ସହ ସୁରୁଖୁରୁରେ ଯେପରି ଏହି ହାଇଭୋଲ୍‌ଟେଜ୍‌ ମ୍ୟାଚ୍‌ ‌ଆୟୋଜିତ ହୋଇପାରିବ ତାହା ଉପରେ ଗୁରୁତ୍ବ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଜୋର୍‌ ଦେଇଛନ୍ତି। ଷ୍ଟାଡିୟମ୍‌ ଭିତରେ ଓ ବାହାରେ ‌ପାଖାପାଖି ଦେଢ଼ ଲକ୍ଷ ଲୋକଙ୍କ ସମାଗମ ହେବ। କମିସନର ମଲ୍ଲିକଙ୍କ ସୂଚନା ଅନୁସାରେ, ୭ ହଜାରରୁ ଅଧିକ ପୁଲିସ କର୍ମଚାରୀଙ୍କ ସହିତ ପାଖାପାଖି ୪ ହଜାର ହୋମ ଗାର୍ଡ ଷ୍ଟାଡିୟମ୍‌ ସହିତ ସାମ୍ପ୍ରଦାୟିକ ହିଂସା ରୋକିବା ଦିଗରେ ନିୟୋଜିତ ହେବେ। ଏମାନଙ୍କ ସହିତ ଏନ୍‌ଏସ୍‌ଜିର ତିନୋଟି ‘ହିଟ୍‌ ଟିମ୍‌’ ଓ ଗୋଟିଏ ‘ଆଣ୍ଟି ଡ୍ରୋନ୍‌ ଟିମ୍‌’ ମୁତୟନ ହେବେ। ବମ୍‌ ସ୍କ୍ବାର୍ଡର ୯ଟି ଟିମ୍‌ ମଧ୍ୟ ଷ୍ଟାଡିୟମ୍‌ ସହିତ ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ମୁତୟନ ହେବେ। ସୁରକ୍ଷା ବ୍ୟବସ୍ଥାକୁ ୪ଜଣ ବରିଷ୍ଠ ଆଇପିଏସ୍‌ ଅଧିକାରୀ (ଆଇଜି ଓ ଡିଆଇଜି ପାହ୍ୟାର)ଙ୍କ ସହିତ ୨୧ ଜଣ ଡିସିପି ପାହ୍ୟାର ଅଧିକାରୀ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିବେ। ପୁଲିସ କର୍ମଚାରୀଙ୍କ ମଧ୍ୟରେ ୧୩ କମ୍ପାନି ରାଜ୍ୟ ସଂରକ୍ଷିତ ପୁଲିସ (ଏସ୍‌ଆର୍‌ପି) ସହିତ ତିନି କମ୍ପାନି ରୢାପିଡ୍‌ ଆକ୍ସନ ଫୋର୍ସ (ଆର୍‌ଏଏଫ୍‌)ଙ୍କୁ ଡ୍ୟୁଟିରେ ଲଗାଯିବ। ଆର୍‌ଏଏଫ୍‌କୁ ସ୍ବତନ୍ତ୍ର ଭାବେ ସମ୍ଭାବ୍ୟ ହିଂସା ପ୍ରବଣ ଅଞ୍ଚଳରେ ମୁତୟନ କରାଯିବ। ଷ୍ଟାଡିୟମ୍‌ରେ ଦଳାଚକଟା ଭଳି ପରିସ୍ଥିତିକୁ ଏଡ଼ାଇବା ପାଇଁ ଉଚ୍ଛେଦ ଯୋଜନା ମଧ୍ୟ ପ୍ରସ୍ତୁତ କରାଯାଇଛି। ଏଥିସହ ଷ୍ଟାଡିୟମ୍‌ରେ ରିହରସାଲ୍‌ ମଧ୍ୟ କରାଯାଇଥିବା କମିସନର ସୂଚନା ଦେଇଛନ୍ତି। ସେହିପରି କୌଣସି କେମିକାଲ୍‌, ବାୟୋଲୋଜିକାଲ୍‌, ରେଡିଓଲୋଜିକାଲ୍‌ ଓ ପରମାଣୁ ଆକ୍ରମଣର ମୁକାବିଲା ପାଇଁ ଏସ୍‌ଡିଆର୍‌ଏଫ୍‌ ଓ ଏନ୍‌ଡିଆର୍‌ଏଫ୍‌ଙ୍କୁ ସହର ମଧ୍ୟରେ ମୁତୟନ କରାଯିବ ‌ବୋଲି ସୂଚନା ଦିଆଯାଇଛି।