ନୂଆଦିଲ୍ଲୀ : ଅଗଷ୍ଟ ୨୯ ତାରିଖ ଭାରତର ହକି କିଂବଦନ୍ତି ମେଜର ଧ୍ୟାନ ଚାନ୍ଦଙ୍କ ପବିତ୍ର ଜନ୍ମଦିବସ। କିଂବଦନ୍ତି ହକି ତାରକା ଧ୍ୟାନ ଚାନ୍ଦ ୧୯୦୫ ମସିହାରେ ଜନ୍ମ ଗ୍ରହଣ କରିଥିଲେ ଏବଂ ତାଙ୍କର ଯାଦୁଗରୀ ହକି ସାମର୍ଥ୍ୟ ପାଇଁ ପରିଚିତ ଥିଲେ। ଯେଉଁଥିପାଇଁ ତାଙ୍କୁ ସାରା ବିଶ୍ବ ହକି ଯାଦୁଗର ବୋଲି ଜାଣିଥାଏ। ସେ ୧୯୨୮, ୧୯୩୨ ଓ ୧୯୩୬ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ବିଜେତା ଭାରତୀୟ ହକି ଦଳର ସଦସ୍ୟ ଥିଲେ। ତାଙ୍କ ଜନ୍ମ ଦିବସକୁ ସ୍ମରଣୀୟ କରିବା ପାଇଁ ଅଗଷ୍ଟ ୨୯ ତାରିଖକୁ ଭାରତରେ ଜାତୀୟ କ୍ରୀଡ଼ା ଦିବସ ଭାବେ ପାଳନ କରାଯାଏ। ଏହି ଦିନ କ୍ରୀଡ଼ା କ୍ଷେତ୍ରରେ ପାରଦର୍ଶିତା ପାଇଁ ଦକ୍ଷ କ୍ରୀଡ଼ାବିତ୍ ଏବଂ କ୍ରୀଡ଼ା ପରିଚାଳକଙ୍କୁ ପୁରସ୍କୃତ କରାଯିବାର ବ୍ୟବସ୍ଥା ମଧ୍ୟ ରହିଛି। ଚଳିତ ବର୍ଷ ଥିଲା ଧ୍ୟାନ ଚାନ୍ଦଙ୍କର ୧୧୫ତମ ଜନ୍ମ ବାର୍ଷିକୀ। ଧ୍ୟାନ ଚାନ୍ଦଙ୍କୁ ହକିର ଯାଦୁଗର ଆଖ୍ୟା ଦିଆଯାଇଥିଲା। ତାଙ୍କ ହକି ଷ୍ଟିକ୍ର ଯାଦୁ ବଳରେ ଭାରତ ବିଶ୍ବ ହକିରେ ଶ୍ରେଷ୍ଠତ୍ବ ପ୍ରତିପାଦନ କରିପାରିଥିଲା। ସାରା ଦେଶ ତାଙ୍କର ଏହି ଜନ୍ମବାର୍ଷିକୀ ସହିତ କ୍ରୀଡ଼ା ଦିବସକୁ ଚଳିତ ବର୍ଷ କୋଭିଡ୍-୧୯ ମହାମାରୀ କଟକଣା ମଧ୍ୟରେ ପାଳନ କରିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କିରଣ ରିଜିଜୁ ଧ୍ୟାନ ଚାନ୍ଦଙ୍କୁ ଜନ୍ମଦିନର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
''ହକି ଷ୍ଟିକ୍ ସହ ଯାହାର ଯାଦୁକୁ କଦାପି ଭୂଲି ହେବନି ସେହି କିଂବଦନ୍ତି ଧ୍ୟାନ ଚାନ୍ଦଙ୍କୁ ଆମେ ଗଭୀର ଶ୍ରଦ୍ଧାସୁମନ ଜଣାଉଛୁ''ବୋଲି ଟ୍ବିଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ। ସେହିପରି ବିଭିନ୍ନ ଖେଳ ଶୃଙ୍ଖଳରେ ସଫଳତା ହାସଲ କରି ଦେଶକୁ ଗୌରବାନ୍ବିତ କରିଥିବା ଆଥ୍ଲେଟ୍ଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି। ସେହି ଗର୍ବିତ ଖେଳାଳିଙ୍କୁ ଦେଶ ମନେ ପକାଇବାର ଅବସର ଜାତୀୟ କ୍ରୀଡ଼ା ଦିବସ ହିଁ ଦେଇଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସରକାର କ୍ରୀଡ଼ାକୁ ଲୋକପ୍ରିୟ କରିବା ନେଇ ସମସ୍ତ ପ୍ରଚେଷ୍ଟା କରୁଛନ୍ତି ଏବଂ ଦେଶରେ ଦକ୍ଷ କ୍ରୀଡ଼ାବିତ୍ଙ୍କୁ ସମର୍ଥନ ଯୋଗାଇ ଦେଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଏହି ଅବସରରେ କହିଛନ୍ତି। ଏଭଳି ସମୟରେ ପ୍ରତ୍ୟେକ ବ୍ୟକ୍ତି ନିଜ ନିଜର ଦୈନିକ କାର୍ଯ୍ୟସୂଚୀରେ କ୍ରୀଡ଼ା ଏବଂ ଫିଟ୍ନେସ୍ ବ୍ୟାୟାମକୁ ଏକ ଅଂଶବିଶେଷ କରନ୍ତୁ ବୋଲି ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏହା କରିବା ଦ୍ବାରା ଯଥେଷ୍ଟ ଫାଇଦା ମିଳିଥାଏ। ଏହାଦ୍ବାରା ସମସ୍ତେ ଖୁସୀରେ ରହିବା ସାଙ୍ଗକୁ ସ୍ବାସ୍ଥ୍ୟବାନ୍ ହୋଇପାରିବେ ବୋଲି ପ୍ରଧାନମନ୍ତ୍ରୀ ଟ୍ବିଟ୍ରେ କହିଛନ୍ତି।
ଅନ୍ୟପକ୍ଷରେ କ୍ରୀଡ଼ାମନ୍ତ୍ରୀ ରିଜିଜୁ ମଧ୍ୟ ହକି କିଂବଦନ୍ତି ଧ୍ୟାନ ଚାନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି ହକି ଅଲିମ୍ପିଆନ୍ଙ୍କ ନାମରେ ନାମିତ ମେଜର ଧ୍ୟାନ ଚାନ୍ଦ ନ୍ୟାସ୍ନାଲ ଷ୍ଟାଡିୟମ୍ରେ ହିଁ ରିଜିଜୁ ଶ୍ରଦ୍ଧାସୁମନ ଜଣାଇଥିଲେ। ଭାରତୀୟ ହକିକୁ ବିଶ୍ବ ଦରବାରରେ ପରିଚିତ କରାଇବାରେ ପ୍ରମୁଖ ଭୂମିକା ସାଙ୍ଗକୁ ନିଜର ଅବିଶ୍ବସନୀୟ ଅବଦାନ ବଳରେ ଧ୍ୟାନ ଚାନ୍ଦ ହିଁ ଦେଶକୁ ଗୌରବାନ୍ବିତ କରିଥିଲେ। ଆଜି ଜାତୀୟ କ୍ରୀଡ଼ା ଦିବସ ଏବଂ ଏଭଳି ଦିନରେ ମୁଁ ହକି କିଂବଦନ୍ତିଙ୍କ ପ୍ରତି ଜନ୍ମଦିବସର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ବୋଲି ଟ୍ବିଟ୍ କରିଥିଲେ ରିଜିଜୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/1-Tribute.jpg)