ବିଜୟ ହଜାରେ ଟ୍ରଫିରେ ପୃଥ୍ବୀ ସ’ଙ୍କ କୀର୍ତ୍ତିମାନ

ନୂଆଦିଲ୍ଲୀ: ଚଳିତ ବିଜୟ ହଜାରେ ଟ୍ରଫିରେ ମୁମ୍ବାଇ ଅଧିନାୟକ ତଥା ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ପୃଥ୍ବୀ ସ’ ଗୁରୁବ‌ାର ନୂଆ କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି। କର୍ଣ୍ଣାଟକ ବିପକ୍ଷ ସେମିଫାଇନାଲ୍‌ରେ ୨୧ ବର୍ଷୀୟ ସ’ ୧୬୫ (୧୨୨ ବଲ୍‌, ୧୭ ଚୌକା, ୭ ଛକା) ରନ୍‌ର ପାଳି ଖେଳିଥିଲେ ଏବଂ ଚଳିତ ସଂସ୍କରଣରେ ନିଜ ରନ୍‌ ସଂଖ୍ୟା ୭୫୪ (୧୮୮.୫ ହାରହାରି)ରେ ପହଞ୍ଚାଇଥିଲେ। ଯାହା ବିଜୟ ହଜାରେ ଟ୍ରଫିରେ ଗୋଟିଏ ସଂସ୍କରଣରେ ସର୍ବାଧିକ। ତାଙ୍କ ପୂର୍ବରୁ ଏହି କୀର୍ତ୍ତିମାନ ମୟଙ୍କ ଅଗ୍ରୱାଲଙ୍କ ନାମରେ ଥିଲା। ‌୨୦୧୭-୧୮ ଋତୁରେ ମୟଙ୍କ ୮ ମ୍ୟାଚ୍‌ ଖେଳି ୩ ଶତକ ଓ ୪ ଅର୍ଧଶତକ ସହ ୯୦.୩୭ ହାରରେ ୭୨୩ ରନ୍‌ କରିଥିଲେ। ହେଲେ ସ’ଙ୍କ କୀର୍ତ୍ତିମାନ ପରେ ୬୭୩ ରନ୍‌ ସହ ଏହି ତାଲିକାରେ ତୃତୀୟ ସ୍ଥାନକୁ ଖସି ଆସିଥିବା କର୍ଣ୍ଣାଟକର ଦେବଦତ୍ତ ପଡ଼ିକଲ (୭୩୭) ସେମିଫାଇନାଲ୍‌ରେ ୬୪ ରନ୍‌ର ପାଳି ଖେଳି ପୁଣି ଥରେ ଦ୍ବିତୀୟକୁ ଉଠିଥିଲେ। ମୟଙ୍କ ତୃତୀୟକୁ ଖସି ଯାଇଥିଲେ।

ଏହି ପ୍ରତିଯୋଗିତାର ୩ଟି ମ୍ୟାଚ୍‌ରେ ସ’ ମୁମ୍ବାଇର ନେତୃତ୍ବ ନେଇଥିଲେ ଏବଂ ଏଥିରେ ସେ ଗୋଟିଏ ଦ୍ବିଶତକ ଓ ୨ଟି ଶତକ ହାସଲ କରିଥିଲେ। ସ’ଙ୍କ ବିସ୍ଫୋରକ ଶତକ ବଳରେ ମୁମ୍ବାଇ ୭୨ ରନ୍‌ରେ କର୍ଣ୍ଣାଟକକୁ ହରାଇ ଫାଇନାଲ୍‌ ସ୍ଥାନ ପକ୍କା କରିଛି। ସୂଚନାଯୋଗ୍ୟ ‌‌‌‌ଯେ ଚଳିତ ସପ୍ତାହରେ ‌ସୌରାଷ୍ଟ୍ର ବିପକ୍ଷ କ୍ବାର୍ଟର୍‌ ଫାଇନାଲ୍‌ରେ ସ’ ୧୮୫ ରନ୍‌ କରି ଲିଷ୍ଟ୍‌-ଏ କ୍ରିକେଟ୍‌ (ପଶ୍ଚାତ୍‌ଧାବନ) ‌ସର୍ବୋଚ୍ଚ ରନ୍‌ ହାସଲକାରୀ ଭାରତୀୟ ହୋଇଥିଲେ। ତାଙ୍କ ପୂର୍ବରୁ ଏହି କୀର୍ତ୍ତିମାନ ମହେନ୍ଦ୍ର ସିଂହ ଧୋନି (୧୮୩) ଓ ବିରାଟ କୋହଲି (୧୮୩)ଙ୍କ ନା‌ମରେ ଥିଲେ।

ସମ୍ବନ୍ଧିତ ଖବର