ଡୋପିଂ ଅଭିଯୋଗରେ ଦୋଷୀ, ପୃଥ୍ବୀ ସ’ ୮ ମାସ ବାସନ୍ଦ

ମୁମ୍ବାଇ: ଡୋପିଂ ନିୟମ ଉଲ୍ଲଂଘନ କରିବା ଯୁବ କ୍ରିକେଟର୍‌ ପୃଥ୍ବୀ ସ’ଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଶକ୍ତିବର୍ଦ୍ଧକ ଔଷଧ ସେବନ କରିଥିବାର ପ୍ରମାଣ ମିଳିବା ପରେ ବିସିସିଆଇ ମଙ୍ଗଳବାର ତାଙ୍କୁ ୮ ମାସ ପାଇଁ ସମସ୍ତ ପ୍ରକାର କ୍ରିକେଟ୍‌ରୁ ବାସନ୍ଦ କରିଛି। ତେବେ ଏହି ବାସନ୍ଦାଦେଶ ପିଛିଲା ଭାବେ ମାର୍ଚ ୧୬ ତାରିଖ ଲାଗୁ ହେବ। ଫଳରେ ସ’ ଆସନ୍ତା ନଭେମ୍ବର ମାସ ୧୫ ତାରିଖ ପର୍ଯ୍ୟନ୍ତ କ୍ରିକେଟ୍‌ରୁ ଦୂରେଇ ରହିବେ। ଯାହାଫଳରେ ସ’ ମଧ୍ୟ ଆଗାମୀ ବାଂଲାଦେଶ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଶୃଙ୍ଖଳାରୁ ବଞ୍ଚିତ ହେବେ।

ବିସିସିଆଇ ଦେଇଥିବା ସୂଚନା‌ ଅନୁସାରେ ଗତ ଫେବ୍ରୁଆରିରେ ଖେଳା ଯାଇଥିବା ସୟଦ ମୁସ୍ତା‌କ ଅଲ୍ଲୀ ଟ୍ରଫି ଅବସରରେ ସଂଗ୍ରହ କରାଯାଇଥିବା ମୁତ୍ର ନମୁନାରୁ ସ’ ଶକ୍ତିବର୍ଦ୍ଧକ ସେବନ କରିଥିବା ଜଣାପଡ଼ିଥିଲା। ତାଙ୍କ ନମୁନାରେ ‘ଟର୍ବୁଟାଲାଇନ୍’ ନାମକ ଏକ ଔଷଧର ମାତ୍ରା ମିଳିଥିଲା। ଏହି ଔଷଧ ଉପରେ ବିଶ୍ବ ଡୋପିଂ ନିରୋଧୀ ସଂସ୍ଥାନ (ୱାଡା) ବହୁ ପୂର୍ବରୁ ପ୍ରତିବନ୍ଧକ ଲଗାଇ ସାରିଛି। ପ୍ରତିଯୋଗିତା ପୂର୍ବରୁ କିମ୍ବା ପ୍ରତିଯୋଗିତା ବେଳେ ଏହି ଔଷଧ ସେବନ ନ କରିବାକୁ ଖେଳାଳିଙ୍କୁ ୱାଡା ପକ୍ଷରୁ ମଧ୍ୟ କଡ଼ା ନିର୍ଦେଶ ରହିଛି। ହେଲେ ସ’ ଏହା ଜାଣି ମଧ୍ୟ ‘ଟର୍ବୁଟାଲାଇନ୍’ ସେବନ କରିଥିଲେ। ଧରାପଡ଼ିବା ପରେ କିନ୍ତୁ ସେ ନିଜ ଭୁଲ ସ୍ବୀକାର କରି ନେଇଛନ୍ତି। ଫଳରେ ବିସିସିଆଇ ତାଙ୍କ ଦଣ୍ଡାଦେଶକୁ ଟିକିଏ କୋହଳ କରିଛି। ସୂଚନାଯୋଗ୍ୟ ଯେ ଆଘାତ ଜନିତ ସମସ୍ୟା ପାଇଁ ସ’ ଦୀର୍ଘ ଦିନ ହେବ କ୍ରିକେଟ୍‌ରୁ ଦୂରେଇ ରହିଛନ୍ତି। ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ମଧ୍ୟ ତାଙ୍କୁ ଭାରତୀୟ ଦଳରେ ସ୍ଥାନ ମିଳିନାହିଁ। ନିଜ ଶେଷ ଟେଷ୍ଟ୍‌ ମ୍ୟାଚ୍ ସେ ଅକ୍ଟୋବର ୨୩ ତାରିଖ ୨୦୧୮ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ହାଇଦ୍ରାବାଦଠାରେ ଖେଳିଥିଲେ। ଭାରତ ପାଇଁ ଦୁଇଟି ଟେଷ୍ଟ୍‌ ଖେଳିଥିବା ଏହି ପ୍ରତିଭାବାନ ଯୁବ ଖେଳାଳିଙ୍କ ନାଁରେ ଗୋଟିଏ ଲେଖାଏଁ ଅନ୍ତର୍ଜାତୀୟ ଶତକ ଓ ଅର୍ଧଶତକ ରହିଛି। ସ’ଙ୍କ ବ୍ୟତୀତ ଆଉ ଦୁଇ ଜଣ ଘରୋଇ କ୍ରିକେଟର୍‌ ବିସିସିଆଇର ଡୋପିଂ ନିରୋଧୀ ନିୟମ ଉଲଂଘନ କରିଥିଲେ। ସେହି ଦୁଇ ଜଣ ‌ହେଲେ ବିଦର୍ଭର ଅକ୍ଷୟ ଦୁଲାରୱାର୍‌ ଏବଂ ରାଜସ୍ଥାନର ଦିବ୍ୟ ଗଜରାଜ।

ସମ୍ବନ୍ଧିତ ଖବର