ମୁମ୍ବାଇ: ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ଶୃଙ୍ଖଳା ଲାଗି ମଙ୍ଗଳବାର ଭାରତୀୟ ଦଳ ଘୋଷଣା କରାଯାଇଛି। ସେହିଭଳି ଟ୍ବେଣ୍ଟି-୨୦ ଦଳରୁ ଆହତ ବ୍ୟାଟ୍ସମ୍ୟାନ୍ ଶିଖର ଧାୱନ ବାଦ୍ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ସଞ୍ଜୁ ସାମସନଙ୍କୁ ଦଳରେ ସାମିଲ କରାଯାଇଛି। ଦିନିକିଆ ଦଳକୁ ପୃଥ୍ବୀ ସ’ଙ୍କୁ ପ୍ରଥମ ଥର ଡାକରା ମିଳିଛି। ଦିନିକିଆରେ ସେ ଧାୱନଙ୍କ ସ୍ଥାନ ନେଇଛନ୍ତି। ବେଙ୍ଗାଲୁରୁରେ ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆରେ ଧାୱନଙ୍କ କାନ୍ଧରେ ଗୁରୁତର ଆଘାତ ଲାଗିଥିଲା। ଫଳରେ ଲୋକେଶ ରାହୁଲ ତାଙ୍କ ସ୍ଥାନରେ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଭାବେ ପଡ଼ିଆକୁ ଓହ୍ଲାଇଥିଲେ। ଭାରତ ମାତ୍ର ୩ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେବା ପରେ ଧାୱନ ବ୍ୟାଟିଂ କରିବାର ଦରକାର ପଡ଼ିନଥିଲା। ଏକ୍ସରେ’ ହେବା ପରେ ତାଙ୍କ ଆଘାତ ଜନିତ ସମସ୍ୟା ତୁରନ୍ତ ଠିକ୍ ହୋଇପାରିବନାହିଁ ବୋଲି ଜଣାପଡ଼ିଥିଲା। ଭାରତ ‘ଏ’ର ପ୍ରତିନିଧିତ୍ବ କରି ଗତ ଶନିବାର ନ୍ୟୁଜିଲାଣ୍ଡ ଏକାଦଶ ବିପକ୍ଷରେ ୧୦୦ ବଲ୍ରୁ ୧୫୦ ରନ୍ କରିବା ପରେ ସ’ଙ୍କ ଉପରେ ଚୟନକର୍ତାଙ୍କ ନଜର ପଡ଼ିଥିଲା। ପୁରସ୍କାର ସ୍ବରୂପ ତାଙ୍କୁ ଦିନିକିଆ ଦଳରେ ଅନ୍ୟତମ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଭାବେ ସ୍ଥାନ ମିଳିଛି। ଅଲରାଉଣ୍ଡର କେଦାର ଯାଦବଙ୍କୁ ନେଇ ଆଶଙ୍କା ଥିଲେ ମଧ୍ୟ ସେ ନିଜ ସ୍ଥାନ ବଜାୟ ରଖିଛନ୍ତି। ସେହିଭଳି ସ୍ପିନର ଯୋଡ଼ି କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲ ମଧ୍ୟ ଦଳରେ ଅଛନ୍ତି।
ଅକ୍ଲାଣ୍ଡ୍ରେ ପହଞ୍ଚିଲା କୋହଲି ବାହିନୀ
ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳା ଲାଗି ଭାରତୀୟ କ୍ରିକେଟ୍ ଦଳ ମଙ୍ଗଳବାର ନ୍ୟୁଜିଲାଣ୍ଡ୍ରେ ପହଞ୍ଚିଛି। ସାଥୀ ଖେଳାଳି ଶ୍ରେୟସ ଆୟର ଓ ଶାର୍ଦୁଲ ଠାକୁରଙ୍କ ସହ ସେଠାରେ ଉଠାଇଥିବା ଏକ ଫଟୋକୁ କୋହଲି ତାଙ୍କ ଇନ୍ଷ୍ଟାଗ୍ରାମ୍ ପୃଷ୍ଠାରେ ପୋଷ୍ଟ କରି ଏହା ଜଣାଇଛନ୍ତି। ସୂଚନାଯୋଗ୍ୟ ଯେ ଚଳିତ ନ୍ୟୁଜିଲାଣ୍ଡ ଗସ୍ତରେ ଭାରତ ପାଞ୍ଚଟି ଟ୍ବେଣ୍ଟି-୨୦, ତିନିଟି ଦିନିକିଆ, ଗୋଟିଏ ଅଭ୍ୟାସ ମ୍ୟାଚ୍ ଏବଂ ଦୁଇଟି ଟେଷ୍ଟ୍ ମ୍ୟାଚ୍ ଖେଳିବ। ଟ୍ବେଣ୍ଟି-୨୦ ଶୃଙ୍ଖଳା ୨୪ ତାରିଖରୁ ଆରମ୍ଭ ହେବ। ପ୍ରଥମ ଦୁଇ ମ୍ୟାଚ୍ ଅକ୍ଲାଣ୍ଡ୍ (ଜାନୁଆରି ୨୪ ଓ ୨୬)ରେ ଖେଳାଯିବା ପରେ ପରବର୍ତୀ ଦୁଇ ଟ୍ବେଣ୍ଟି-୨୦ ଯଥାକ୍ରମେ ହାମିଲଟନ୍ (୨୯ ତାରିଖ) ଓ ୱେଲିଂଟନ୍ (୩୧ ତାରିଖ)ରେ ଖେଳାଯିବ। ଶେଷରେ ମାଉଣ୍ଟ ମଙ୍ଗୁନୁଇର ବେ ଓଭାଲ୍ ଷ୍ଟାଡିୟମ୍ରେ ପଞ୍ଚମ ତଥା ନିର୍ଣ୍ଣାୟକ ମ୍ୟାଚ୍ (ଫେବ୍ରୁଆରି ୨ ତାରିଖ) ଖେଳାଯିବ। ଏହାପରେ ଦିନିକିଆ ଶୃଙ୍ଖଳା ଫେବ୍ରୁଆରି ୫ରୁ ଆରମ୍ଭ ହୋଇ ୧୧ ତାରିଖରେ ଶେଷ ହେବ। ଦିନିକିଆ ଶୃଙ୍ଖଳା ଶେଷରେ ନ୍ୟୁଜିଲାଣ୍ଡ ଏକାଦଶ ବିପକ୍ଷରେ ଏକ ତିନି ଦିନିଆ ଅଭ୍ୟାସ ମ୍ୟାଚ୍ ଖେଳିବା ପରେ ଭାରତ ଫେବ୍ରୁଆରି ୨୧ରୁ ମାର୍ଚ ୪ ମଧ୍ୟରେ ଦୁଇଟି ଟେଷ୍ଟ୍ ଖେଳି ନ୍ୟୁଜିଲାଣ୍ଡ ଗସ୍ତ ଶେଷ କରିବ।
ଟେଷ୍ଟ୍ ଶୃଙ୍ଖଳା ଖେଳିବେନି ଈଶାନ୍ତ
ବିଦର୍ଭ ବିପକ୍ଷ ରଣଜୀ ଟ୍ରଫି ମ୍ୟାଚ୍ରେ ଆହତ ହୋଇଥିବା ଅଭିଜ୍ଞ ଦ୍ରୁତ ବୋଲର ଈଶାନ୍ତ ଶର୍ମା ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ୍ ଶୃଙ୍ଖଳାରୁ ବାଦ୍ ପଡ଼ିଛନ୍ତି। ସୋମବାର ବିଦର୍ଭ ପାଳିର ପଞ୍ଚମ ଓଭର ବୋଲିଂ କରୁଥିଲା ବେଳେ ତାଙ୍କ ଗୋଇଠି ମୋଡ଼ି ହୋଇଯାଇଥିଲା। ଏକ୍ସରେ’ ପରେ ତାଙ୍କ ଗୋଇଠି ହାଡ଼ ଫାଟି ଯାଇଥିବା ଜଣାପଡ଼ିବା ପରେ ୩୧ ବର୍ଷୀୟ ଈଶାନ୍ତ ଆସନ୍ତା ୬ରୁ ୭ ସପ୍ତାହ ପର୍ଯ୍ୟନ୍ତ ଖେଳିପାରିବେ ନାହିଁ ବୋଲି ଆଶଙ୍କା କରାଯାଉଛି। ଈଶାନ୍ତ ବାଦ୍ ପଡ଼ିବା ପରେ ଦିଲ୍ଲୀ ଦ୍ରୁତ ବୋଲର ନଭଦୀପ ସୈନିଙ୍କୁ ଭାରତୀୟ ଟେଷ୍ଟ୍ ଦଳରେ ସ୍ଥାନ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି।
ପରିବର୍ତିତ ଟ୍ବେଣ୍ଟି-୨୦ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ସଞ୍ଜୁ ସାମ୍ସନ, କେଏଲ୍ ରାହୁଲ, ଶ୍ରେୟସ ଆୟର, ମନୀଷ ପାଣ୍ଡେ, ଋଷଭ ପନ୍ତ (ୱିକେଟ୍ରକ୍ଷକ), ଶିବମ୍ ଦୁବେ, କୁଲ୍ଦୀପ ଯାଦବ, ୟୁଜ୍ବେନ୍ଦ୍ର ଚହଲ୍, ୱାସିଂଟନ୍ ସୁନ୍ଦର, ଯଶ୍ପ୍ରୀତ୍ ବୁମ୍ରା, ମହମ୍ମଦ ସାମି, ନଭ୍ଦୀପ ସୈନି, ରବୀନ୍ଦ୍ର ଜାଦେଜା, ଶାଦୁର୍ଲ ଠାକୁର।
ଦିନିକିଆ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ପୃଥ୍ବୀ ସ’, କେଏଲ୍ ରାହୁଲ୍, ଶ୍ରେୟସ ଆୟର, ମନୀଷ ପାଣ୍ଡେ, ଋଷଭ ପନ୍ତ୍ (ୱିକେଟ୍ରକ୍ଷକ), ଶିବମ୍ ଦୁବେ, କୁଲ୍ଦୀପ ଯାଦବ, ୟୁଜ୍ବେନ୍ଦ୍ର ଚହଲ୍, ରବୀନ୍ଦ୍ର ଜାଦେଜା, ଯଶ୍ପ୍ରୀତ୍ ବୁମ୍ରା, ମହମ୍ମଦ ସାମି, ନଭ୍ଦୀପ ସୈନି, ଶାଦୁର୍ଲ ଠାକୁର, କେଦାର ଯାଦବ।