ରାଜକୋଟ: ଭାରତୀୟ ଅଧିନାୟକ ବିରାଟ କୋହଲି ୱେଷ୍ଟଇଣ୍ଡିଜ ବିପକ୍ଷରେ ପ୍ରଥମ ଟେଷ୍ଟ ଜିତିବା ପରେ ଶନିବାର ମୁମ୍ବାଇର ଯୁବ ଖେଳାଳି ପୃଥ୍ଵୀଙ୍କୁ ବହୁ ପ୍ରଶଂସା କରିଛନ୍ତି। କୋହଲି କହିଛନ୍ତି, ପୃଥ୍ଵୀଙ୍କ ନିକଟରେ ପ୍ରତିଭା ଥିବାରୁ ତାଙ୍କୁ ଟେଷ୍ଟ ଟିମରେ ସାମିଲ କରାଯାଇଛି।
ପୃଥ୍ଵୀଙ୍କୁ ପଦାର୍ପଣ ମ୍ୟାଚରେ ୧୩୪ ରନ୍ର ଶତକୀୟ ଇନିଂସ ଯୋଗୁଁ ‘ମ୍ୟାନ୍ ଅଫ୍ ଦ ମ୍ୟାଚ୍’ ପୁରସ୍କାର ଦିଆଯାଇଛି। ପଦାର୍ପଣ ମ୍ୟାଚରେ ଏହି ପୁରସ୍କାର ପାଇବାରେ ପୃଥ୍ଵୀ ହେଉଛନ୍ତି ସର୍ବକନିଷ୍ଠ ଯୁବ ଓ ବିଶ୍ୱର ୪ର୍ଥ ବ୍ୟାଟସ୍ମ୍ୟାନ।
ଟିମ୍ ଇଣ୍ଡିଆର ଅଧିନାୟକ କୋହଲି ମ୍ୟାଚ ପରେ କହିଛନ୍ତି, ପୃଥ୍ଵୀ ଓ ଜାଦେଜାଙ୍କ ପାଇଁ ବହୁ ଖୁସି ଅନୁଭବ କରୁଛି। ନିଜର ପଦାର୍ପଣ ମ୍ୟାଚରେ ପୃଥ୍ଵୀ ଯେଭଳି ଖେଳିଲେ, ବହୁତ ଖୁସି ଲାଗୁଥିଲା। ଏହି ଯୁବ ପ୍ରତିଭାଙ୍କ ନିକଟରେ ଆଶ୍ଚର୍ଯ୍ୟଜନକ ପ୍ରତିଭା ଲୁକାୟିତ ହୋଇ ରହିଛି। ଏଥି ପାଇଁ ତାଙ୍କୁ ଟିମ୍ରେ ସାମିଲ କରାଯାଇଛି। ଜଣେ ଅଧିନାୟକ ଭାବରେ ଏହା ଦେଖି ବହୁତ ଖୁସି ଅନୁଭବ କରୁଛି ବୋଲି ବିରାଟ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ କହିଛନ୍ତି। କୋହଲି ରବୀନ୍ଦ୍ର ଜାଦେଜାଙ୍କ ପାଇଁ କହିଛନ୍ତି, ସେ ଆମ ପାଇଁ ପୂର୍ବରୁ ରନ୍ ସଂଗ୍ରହ କରିଛନ୍ତି। ଆମେ ତାଙ୍କ ଠାରୁ ଶତକ ଆଶା କରୁଛୁ।