ବଲାଙ୍ଗୀର: କ୍ରିକେଟ୍‌କୁ ଭଲ ପାଉଥିବା ଏବଂ କ୍ରିକେଟ୍‌ ପାଇଁ ବଞ୍ଚୁଥିବା ଲୋକଙ୍କ ଅନେକ ଉଦାହରଣ ରହିଛି। କ୍ରିକେଟ୍‌ ଖେଳି କିମ୍ବା ମ୍ୟାଚ୍‌ ଦେଖି ଲୋକେ ନିଜ ପାଗଳାମି ଜାହିର କରିଥାନ୍ତି। କିନ୍ତୁ ବଲାଙ୍ଗୀର ଜିଲ୍ଲାର ପୃଥ୍ବୀରାଜ ମିଶ୍ର ଏଭଳି ଜଣେ ବ୍ୟକ୍ତି ଯିଏ ଅଲଗା ଧରଣରେ କ୍ରିକେଟ୍‌ ସହ ବଞ୍ଚିଛନ୍ତି। ସ୍ଥାନୀୟ ମାଲପଡ଼ା ନିବାସୀ ପୃଥ୍ବୀରାଜ ଓସିଏ ମାନ୍ୟତାପ୍ରାପ୍ତ ଅମ୍ପାୟାର। ଯିଏ ବର୍ତ୍ତମାନ ଯାଏ ୧୧ଶହ ମ୍ୟାଚ୍‌ରେ ଅମ୍ପାୟାରିଂ କରି ଓସିଏର ଏକ ବିରଳ କ୍ଲବ୍‌ରେ ସାମିଲ ହୋଇଛନ୍ତି। ୨୦୦୬ ମସିହାରେ ଓସିଏ ଅମ୍ପାୟାର ପରୀକ୍ଷାରେ କୃତିତ୍ବ ଲାଭ କରି ପୃଥ୍ବୀରାଜ ଓସିଏ ପରିଚାଳିତ ବିଭିନ୍ନ ପ୍ରତିଯୋଗିତା ଏବଂ କ୍ଲବ୍‌ କ୍ରିକେଟ୍‌ରେ ଉତ୍କୃଷ୍ଟତାର ସହ ଅମ୍ପାୟାରିଂ କରି ସାରିଛନ୍ତି। 

Advertisment

ପୂର୍ବରୁ ସେ ବଲାଙ୍ଗୀର କ୍ରିକେଟ୍‌ କ୍ଲବ୍‌ରେ ଲେଗ୍‌ସ୍ପିନର୍‌ ଭାବେ ଖେଳୁଥିଲେ। କିନ୍ତୁ ସେ ଜଣେ ପେସା‌ଦାର୍‌ କ୍ରିକେଟର୍‌ ନଥି‌ଲେ। ପରେ ଅମ୍ପାୟାରିଂ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ଲାଲ୍‌ମନି କପ୍‌, ବୋଡ଼ାସମ୍ବର କପ୍‌, ବାମଣ୍ଡା କପ୍‌ ସମେତ ସ୍ଥାନୀୟ ଅଞ୍ଚଳର ମର୍ଯାଦାଜନକ କ୍ରିକେଟ୍‌ ପ୍ରତଯୋଗିତାରେ ଅମ୍ପାୟାରିଂ କରି ଚାଲିଛନ୍ତି। ଟିମ୍‌ ଇଣ୍ଡିଆର ସଦସ୍ୟ ଇଶାନ୍‌ କିଶାନ୍‌ ଲାଲ୍‌ମନି କପ୍‌ ଖେଳୁଥିବା ବେଳେ ସେଥିରେ ପୃଥ୍ବୀରାଜ ଅମ୍ପାୟାରିଂ କରିଥିଲେ। ଏହାକୁ ସେ ଏକ ବଡ଼ ଉପଲବ୍ଧି ବୋଲି ଭାବନ୍ତି। ପେସାରେ ଗୋଟିଏ ଦୋକାନ କରି ବ୍ୟବସାୟ କରୁଥିବା ପୃଥ୍ବୀରାଜଙ୍କ ବାସ୍ତବ ନିଶା ହେଲା କେବଳ କ୍ରିକେଟ୍‌ ହିଁ କ୍ରିକେଟ୍‌।