ପୃଥ୍ବୀ ସ’ଙ୍କ ଅପରାଜିତ ୨୨୭, ଦିନିକିଆରେ ଦ୍ବିଶତକ ଜମାଇବାରେ ଅଷ୍ଟମ ଭାରତୀୟ

ବିଜୟ ହଜାରେ ଟ୍ରଫିରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର କୀର୍ତ୍ତିମାନ

ଜୟପୁର: ମୁମ୍ବାଇ ବ୍ୟାଟ୍‌ସମ୍ୟାନ୍‌ ପୃଥ୍ବୀ ସ’ ଗୁରୁବାର ଏକ ମାଇଲଖୁଣ୍ଟ ପ୍ରତିଷ୍ଠା କରିଛନ୍ତି। ପୁଡୁଚେରୀ ବିପକ୍ଷ ୫୦ ଓଭର ବିଶିଷ୍ଟ ଏକ ମ୍ୟାଚ୍‌ରେ ସେ ଅପରାଜିତ ୨୨୭ ରନ୍‌ର ପାଳି ଖେଳିଛନ୍ତି। ବିସିସିଆଇର ଘରୋଇ ପ୍ରତିଯୋଗିତା ବିଜୟ ହଜାରେ ଟ୍ରଫି ଇତିହାସରେ ଏହା ଥିଲା ଚତୁର୍ଥ ଦ୍ବିଶତକ। ଏଥି ସହିତ ୨୧ ବର୍ଷ ବୟସ୍କ ପୃଥ୍ବୀ ସ’ ମଧ୍ୟ ବିଜୟ ହଜାରେ ଟ୍ରଫିରେ ବ୍ୟକ୍ତିଗତ ସର୍ବାଧିକ ସ୍କୋର୍‌ କୀର୍ତ୍ତିମାନ ନିଜ ନାମରେ କରି ନେଇଛନ୍ତି। ଏହା ପୂର୍ବରୁ ଏହି କୀର୍ତ୍ତିମାନ ସଞ୍ଜୁ ସାମ୍‌ସନ୍‌ (ଅପରାଜିତ ୨୧୨, ୨୦୧୯ରେ ଗୋଆ ବିପକ୍ଷରେ)ଙ୍କ ନାମରେ ରହିଥିଲା। ଏହା ମଧ୍ୟ ପୃଥ୍ବୀ ସ’ଙ୍କ ପାଇଁ ପ୍ରଥମ ଲିଷ୍ଟ୍‌-ଏ ଦ୍ବିଶତକ। ତେବେ ଲିଷ୍ଟ୍‌-ଏରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର୍‌ କୀର୍ତ୍ତିମାନ ଅଲି ବ୍ରଉନ୍‌ (୨୬୮)ଙ୍କ ନାମରେ ଅତୁଟ ରହିଛି। ପୁଣି ୫୦ ଓଭରିଆ ଫର୍ମାଟ୍‌ରେ ଦ୍ବିଶତକ ଜମାଇବାରେ ପୃଥ୍ବୀ ସ’ ଅଷ୍ଟମ ଭାରତୀୟ ହୋଇଛନ୍ତି।

ସ’ (୨୨୭*, ୧୫୨ ବଲ୍‌, ୩୧ ଚୌକା, ୫ ଛକା)ଙ୍କ ଅପରାଜିତ ଦ୍ବିଶତକ ସାଙ୍ଗକୁ ସୂର୍ଯ୍ୟକୁମାର ଯାଦବ (୧୩୩, ୫୮ ବଲ୍‌, ୨୨ ଚୌକା, ୪ ଛକା)ଙ୍କ ଶତକ ବଳରେ ଗୁରୁବାର ବିଜୟ ହଜାରେ ଟ୍ରଫିରେ ମୁମ୍ବାଇ ୨୩୩ ରନ୍‌ରେ ପୁଡୁଚେରୀକୁ ପରାସ୍ତ କରିଦେଇଛି।

ସମ୍ବନ୍ଧିତ ଖବର