ବୀରୁଙ୍କୁ ଗାଳି କଲେ ପ୍ରୀତି!

ଜୟପୁର: କିଙ୍ଗ୍‌ସ ଇଲେଭେନ୍‌ ପଞ୍ଜାବର ସହ ମାଲିକାଣୀ ପ୍ରୀତି ଜିଣ୍ଟା ଓ ପରାମର୍ଶଦାତା ତଥା ଭାରତୀୟ ଦଳର ପୂର୍ବତନ ପ୍ରାରମ୍ଭିକ ବ୍ୟାଟ୍‌ମସ୍ୟାନ୍‌ ବୀରେନ୍ଦ୍ର ସେହବାଗ୍‌ଙ୍କ ମଧ୍ୟରେ ଝଗଡ଼ାକୁ ନେଇ ଚର୍ଚା ଜୋର୍‌ ଧରିଛି। ମଙ୍ଗଳବାର ସଓ୍ଵାଇ ମାନ୍‌ସିଂହ ଷ୍ଟାଡିୟମ୍‌ରେ ଆଇପିଏଲ୍‌ର ରାଜସ୍ଥାନ ରୟାଲ୍‌ସ ବିପକ୍ଷ ମ୍ୟାଚ୍‌ରେ ଅଧିନାୟକ ରବିଚନ୍ଦ୍ରନ୍‌ ଅଶ୍ୱିନ୍‌ଙ୍କୁ ଉପରକ୍ରମରେ ବ୍ୟାଟିଂ ପାଇଁ ପଠାଇବାକୁ ପ୍ରୀତି ନାପସନ୍ଦ କରିଥିଲା ବେଳେ ଦଳ ଆଜିଙ୍କ୍ୟ ରାହାଣେଙ୍କ ନେତୃତ୍ୱାଧୀନ ରୟାଲ୍‌ସ ନିକଟରୁ ହାରିଯିବା ପରେ ଖୁବ୍‌ ଭାଙ୍ଗି ପଡ଼ିଥିଲେ। କରୁଣ ନାୟାର ଓ ମନୋଜ ତିଓ୍ଵାରୀଙ୍କ ଭଳି ବ୍ୟାଟ୍‌ସମ୍ୟାନ୍‌ ଥିଲା ବେଳେ ଅଶ୍ୱିନ୍‌ଙ୍କୁ ତିନି ନମ୍ବର ସ୍ଥାନରେ ବ୍ୟାଟିଂ ପାଇଁ ପଠାଇବା ନିଷ୍ପତ୍ତି ନେଇ ସେ ବୀରୁ (ସେହବାଗ୍‌)ଙ୍କ ରଣକୌଶଳକୁ ସମାଲୋଚନା କରିଥିଲେ। ଅଶ୍ୱିନ୍‌ ମଧ୍ୟ ଖାତା ଖୋଲିବା ପୂର୍ବରୁ ପାଭିଲିୟନ୍‌ ଫେରି ଯାଇଥିଲେ। ଏପରିକି ମାଚ୍‌ ସରିବା ମାତ୍ରେ ଏବଂ ଖେଳାଳିମାନେ ଡ୍ରେସିଂ ରୁମ୍‌କୁ ଫେରିବା ପୂର୍ବରୁ ପ୍ରୀତି ବିରକ୍ତରେ ସେହବାଗ୍‌ଙ୍କୁ ଗାଳିଗୁଲଜ କରିଥିଲେ। ଉଭୟଙ୍କ ମଧ୍ୟରେ କିଛି ସମୟ କଥା କଟାକଟି ମଧ୍ୟ ହୋଇଥିଲା। ପ୍ରୀତି ବାରମ୍ବାର ସେହବାଗ୍‌ଙ୍କୁ ନିନ୍ଦା କରିବା ସହିତ ଚୂଡାନ୍ତ ଏକାଦଶକୁ ଅନାବଶ୍ୟକ ଭାବେ ଏପଟସେପଟ କରିବାକୁ ନାପସନ୍ଦ କରିଥିଲେ। ଅନ୍ୟପକ୍ଷରେ ସେହବାଗ୍‌ ମଧ୍ୟ ଏଭଳି ପରିବର୍ତନର କାରଣ ପ୍ରୀତିଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ହେଲେ ଏହା ସେହବାଗ୍‌ଙ୍କୁ ଖୁବ୍‌ ବାଧିଥିଲା। ଫଳରେ ସେ ଫ୍ରାଞ୍ଚାଇଜ୍‌ର ଅନ୍ୟତମ ମାଲିକ ନେସ୍‌ ଓ୍ଵାଡିଆ ଓ ମୋହତ ବର୍ମନ୍‌ଙ୍କୁ ଘଟଣା ସଂପର୍କରେ କହି ପ୍ରୀତିଙ୍କୁ ଚୁପ୍‌ ରହିବାକୁ କହିବା ପାଇଁ କହିଥିଲେ। ହେଲେ ଏଭଳି ଘଟଣା ତଥା ମ୍ୟାଚ୍‌ ଶେଷରେ ସବୁବେଳେ ମାଲିକ ଓ ପରାମର୍ଶଦାତାଙ୍କ ମଧ୍ୟରେ କଥା କଟାକଟି ହେବା କିଛି ନୂଆ କଥା ନୁହେଁ ବୋଲି ଭାବି ନେସ୍‌ ଓ ମୋହିତ ଚୁପ୍‌ ରହିଥିଲେ। ହେଲେ ଦଳ ଏବେ ପ୍ଲେ-ଅଫ୍‌ ଆଡ଼କୁ ଅଗ୍ରସର ହେଉଥିବାରୁ ଗାଳିଗୁଲଜ ଘଟଣା କାଳେ ଖେଳାଳିଙ୍କ ଉପରେ ପ୍ରଭାବ ପକାଇବ ସେନେଇ ସେହବାଗ୍‌ ବିଶେଷ କିଛଇ ପ୍ରତିକ୍ରିୟା ଦେଖାଇନଥିଲେ। ବରଂ ସେ କୌଣସି ବି ସମୟରେ ପଦରୁ ଓହରିଯାଇପାରନ୍ତି ବୋଲି ତାଙ୍କ ନିକଟତମ ମହଲରେ ଚର୍ଚା ହେଉଛି। ଅନ୍ୟପକ୍ଷରେ ଭୀରୁଙ୍କ ସହ ଝଗଡ଼ା ବା ତାଙ୍କୁ ଗାଳିଗୁଲଜ କରିବା ଘଟଣାକୁ ପ୍ରୀତି ଅସ୍ୱୀକାର କରିଛନ୍ତି। ଗଣମାଧ୍ୟମରେ ପ୍ରକାଶିତ ଏଭଳି ଖବର ଭୁଲ୍‌ ଓ ଭିତ୍ତିହୀନ ବୋଲି ପ୍ରୀତି କହି ଘଟଣାକୁ ଆଗକୁ ବଢ଼ାଇବାକୁ ଚାହିଁନାହାନ୍ତି। ସେହିପରି ଦଳରେ ସେଭଳି କୌଣସି ଅଘଟଣ ଘଟିନାହିଁ ବୋଲି ମୋହିତ କହିଛନ୍ତି। ମୁଁ ଉଭୟ ପ୍ରୀତି ଓ ଭୀରୁଙ୍କ ସହ ଆଲୋଚନା କରିଥିଲି। ହେଲେ ସେମାନଙ୍କ ମଧ୍ୟରେ ସେଭଳି କିଛି ଘଟିନଥିବା ଜାଣିବାକୁ ପାଇଲି ବୋଲି ମୋହିତ କହିଛନ୍ତି।

ସମ୍ବନ୍ଧିତ ଖବର