ନୂଆଦିଲ୍ଲୀ: ଏବେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଚାଲିଥିବା ବେଳେ ବଲିଉଡ୍ ଅଭିନେତ୍ରୀ ତଥା ପଞ୍ଜାବ କିଙ୍ଗ୍ସ ଦଳର ମାଲିକାଣୀ ପ୍ରୀତି ଜିଣ୍ଟା ନିଜ ଦଳର ଖେଳାଳିଙ୍କ ମନୋବଳ ବଢ଼ାଇବା ଲାଗି ସବୁବେଳେ ତତ୍ପର। ଖେଳାଳିଙ୍କୁ ଉତ୍ସାହିତ କରିବା ଲାଗି ସେ ପଞ୍ଜାବର ପ୍ରତ୍ୟେକ ମ୍ୟାଚ୍ରେ ଷ୍ଟାଡିୟମରେ ଉପସ୍ଥିତ ରହିଥାନ୍ତି । ପ୍ରୀତି ଜିଣ୍ଟା କହିଛନ୍ତି ଯେ, ଦକ୍ଷିଣ ଆଫ୍ରିକାରେ ୨୦୦୯ ଆଇପିଏଲ ସମୟରେ ତାଙ୍କୁ ଥରେ ତାଙ୍କ ଦଳ ପାଇଁ ୧୨୦ଟା ଆଳୁ ପରଟା ତିଆରି କରିବାକୁ ପଡ଼ିଥିଲା, ଯେତେବେଳେ ଦଳକୁ କିଙ୍ଗ୍ସ ଏକାଦଶ ପଞ୍ଜାବ ବୋଲି କୁହାଯାଉଥିଲା ।
ସୂଚାନମୂତାବକ, ଷ୍ଟାର୍ ସ୍ପୋର୍ଟସରେ ଜଣେ ଆଙ୍କର୍ ପ୍ରୀତି ଜିଣ୍ଟାଙ୍କୁ କିଛି ପ୍ରଶ୍ନ କରିଥିଲେ । ସେଥିରେ ପ୍ରୀତି ଜିଣ୍ଟା କହିଥିଲେ ପୁଅମାନେ ଏତେ ଖାଆନ୍ତି ବୋଲି ସେ ଭାବି ନଥିଲେ । ଯେତେବେଳେ ସେ ଦକ୍ଷିଣ ଆଫ୍ରିକାରେ ଥିଲେ, ଖାଇବା ସମୟରେ ତାଙ୍କୁ ଭଲ ପରଟା ଦିଆଯାଇନଥିଲା । ତାକୁ ଦେଖି ପ୍ରୀତି ଜିଣ୍ଟା କହିଥିଲେ ପରଟା କିପରି ଭଲ ତିଆରି ହେବ ସେ ଶିଖାଇଦେବେ । ସେଠାରେ ଉପସ୍ଥିତ ଥିବା ଦଳର ଖେଳାଳିମାନେ ପ୍ରୀତି ଜିଣ୍ଟାଙ୍କୁ କହିଥିଲେ ଯେ ସେ ସବୁ ପରଟା ତିଆରି କରନ୍ତୁ। କିନ୍ତୁ ସେ କହିଥିଲେ ଯଦି ସେମାନେ ପରବର୍ତ୍ତୀ ମ୍ୟାଚ୍ ଜିତନ୍ତି ଯେତେ ସେ ସମସ୍ତଙ୍କ ପାଇଁ ଆଳୁ ପରଟା ତିଆରି କରିବେ । ଶେଷରେ ଏହା ହିଁ ହେଲା, ସେମାନେ ମ୍ୟାଚ୍ ଜିତିଥିଲେ ଏବଂ ୧୨୦ଟା ଆଳୁ ପରଟା ପ୍ରୀତି ଜିଣ୍ଟା ତିଆରି କରିଥିଲେ । ଏହା ପରେ ହରଭଜନ ସିଂ କହିଥିଲେ ଇରଫାନ୍ଏକାକୀ ୨୦ଟା ପରଟା ଖାଇଥିଲେ ।
ପଞ୍ଜାବ କିଙ୍ଗସ୍ ଶୁକ୍ରବାର ଦିନ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ବିପକ୍ଷରେ ଆଇପିଏଲ୍ ମ୍ୟାଚ୍ ହାରିଯାଇଛି । ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ୨୦ ଓଭରରେ ୫ ୱିକେଟ୍ ବିନିମୟରେ ୨୫୭ ରନ୍ ସଂଗ୍ରହ କରିଥିଲା । ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ପଞ୍ଜାବ ମଧ୍ୟ ଲଢୁଆ ପ୍ରଦର୍ଶନ କରି ୨୦୧ ରନ୍ରେ ସମସ୍ତ ୱିକେଟ୍ ହରାଇଥିଲା । ଆଇପିଏଲ୍ ଇତିହାସରେ ଲକ୍ଷ୍ନୌର ଏହା ଦ୍ବିତୀୟ ସର୍ବୋଚ୍ଚ ସ୍କୋର ହୋଇଛି ।