ସିଲି ପଏଣ୍ଟ୍‌: ଧୋନିଙ୍କ କୀର୍ତିମାନ:ମୁମ୍ବାଇ ବିଦାୟରେ ପ୍ରୀତି ଖୁସ୍‌

ପୁନେ: ରବିବାରର ପଞ୍ଜାବ-ଚେନ୍ନାଇ ମ୍ୟାଚ୍‌ ଅବସରରେ ମହେନ୍ଦ୍ର ସିଂହ ଧୋନି ଏକ ନୂଆ କୀର୍ତିମାନ ପ୍ରତିଷ୍ଠା କରିଛନ୍ତି। ଓ୍ଵିକେଟ୍‌ ପଛପଟେ ମୋଟ ୨୧୬ ଆଉଟ୍‌ କରାଇ ସେ ପାକିସ୍ତାନର କାମରାନ୍‌ ଆକମଲ (୨୧୫)ଙ୍କ ନାମରେ ଥିବା ଟେ୍ଵଣ୍ଟି-୨୦ କୀର୍ତିମାନକୁ ପଛରେ ପକାଇ ଦେଇଛନ୍ତି। ଏହି ଫର୍ମାଟରେ ସର୍ବାଧିକ କ୍ୟାଚ୍‌ରେ ମଧ୍ୟ ଧୋନି (୧୪୯) ପୂର୍ବରୁ କୁମାର ସାଙ୍ଗାକାରା (୧୪୨)ଙ୍କୁ ପଛରେ ପକାଇ ସାରିଥିଲେ। ଧୋନି ମଧ୍ୟ ଆଇପିଏଲ୍‌ ଇତିହାସରେ ସପ୍ତମ ଖେଳାଳିଭାବେ ୪୦୦୦ ରନ୍‌ ଟପିଥିଲେ। ବିରାଟ କୋହଲି (୪୯୪୮), ସୁରେଶ ରାଇନା (୪୯୩୧), ରୋହିତ ଶର୍ମା (୪୪୯୩), ଗୌତମ ଗମ୍ଭୀର (୪୨୧୭), ରବିନ୍‌ ଉଥପ୍ପା (୪୧୨୪) ଏବଂ ଡେଭିଡ୍‌ ଓ୍ଵାର୍ନର (୪୦୧୪) ଏହି କ୍ଲବ୍‌ରେ ଥିଲେ। ଧୋନି ମଧ୍ୟ ରବିବାର ୧୯ତମ ଥର ପାଇଁ ପଶ୍ଚାତଧାବନ ବେଳେ ଅପରାଜିତ ରହିଥିଲେ। ଏ କ୍ଷେତ୍ରରେ ସେ ରବୀନ୍ଦ୍ର ଜାଦେଜାଙ୍କ ସମକକ୍ଷ ହୋଇଛନ୍ତି। ଅନ୍ୟପକ୍ଷରେ ରବିବାର ସୁରେଶ ରାଇନା ୪୫ ବଲରୁ ଅର୍ଧଶତକ ହାସଲ କରିବା ତାଙ୍କ ପାଇଁ ଟେ୍ଵଣ୍ଟି-୨୦ରେ ସବୁଠାରୁ ମନ୍ଥରତମ ଥିଲା। କିନ୍ତୁ ନିଜର ୫୦ତମ ୫୦ରୁ ଊର୍ଧ୍ୱ ସ୍କୋର୍‌ କରି ସେ ଚତୁର୍ଥ ଭାରତୀୟ ହୋଇଥିଲେ। ପୂର୍ବରୁ ବିରାଟ କୋହଲି (୬୦), ରୋହିତ ଶର୍ମା (୫୫), ଗୌତମ ଗମ୍ଭୀର (୫୩) ଏହି କ୍ଲବ୍‌ରେ ଥିଲେ।

ନୂଆଦିଲ୍ଲୀ: କିଙ୍ଗ୍ସ ଏକାଦଶ ପଞ୍ଜାବ ଦଳର ମାଲିକାଣୀ ତଥା ବଲିଉଡ୍‌ ଅଭିନେତ୍ରୀ ପ୍ରୀତି ଜିଣ୍ଟା ପୁଣି ଥରେ ବିବାଦୀୟ ଆଚରଣ କରିଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସ ପ୍ଲେ ଅଫ୍‌ ଦୌଡ଼ରୁ ବାଦ୍‌ ପଡ଼ିବା ତାଙ୍କୁ ଆନନ୍ଦ ଦେଇଛି ବୋଲି କହି କ୍ୟାମେରା ଫ୍ରେମରେ ଧରା ପଡ଼ିବା ପରେ ପ୍ରୀତି ଆଉ ଥରେ ବିବାଦରେ ଛନ୍ଦି ହୋଇଯାଇଛନ୍ତି। ତାଙ୍କର ଏହି ଭିଡିଓ ସାମାଜିକ ଗଣମାଧ୍ୟମରେ ଏବେ ବେଶ୍‌ ଚର୍ଚିତ ହେବାରେ ଲାଗିଛି। ସେଥିରେ ପ୍ରୀତି ନିଜର ଜଣେ ବନ୍ଧୁଙ୍କୁ ମୁମ୍ବାଇ ଫାଇନାଲ ଯାଉ ନଥିବାରୁ ମୁଁ ବହୁତ ଖୁସି ବୋଲି କହୁଥିବା ତାଙ୍କ ଓଠ ଚାଳନାରୁ ସ୍ପଷ୍ଟ ଜଣା ପଡ଼ୁଛି। ପ୍ରୀତିଙ୍କ ଏହି ଆଚରଣ କିନ୍ତୁ ମୁମ୍ବାଇ ପ୍ରଶଂସକଙ୍କୁ କ୍ଷୁବ୍ଧ କରିଛି। ସେମାନେ ତାଙ୍କୁ ସାମାଜିକ ଗଣମାଧ୍ୟମରେ ତୀବ୍ର ସମାଲୋଚନା କରିଛନ୍ତି। ଗତ ପାଞ୍ଚବର୍ଷ ମଧ୍ୟରେ ତିନି ଥର ବିଜେତା ମୁକୁଟ ପିନ୍ଧିଥିବା ମୁମ୍ବାଇ ରବିବାର ଦିଲ୍ଲୀ ଡେୟାର ଡେଭିଲ୍ସଠାରୁ ହାରି ଲିଗ୍‌ ପର୍ଯ୍ୟାୟରୁ ବିଦାୟ ନେଇଥିଲା। ଅନ୍ୟ ପକ୍ଷରେ ନିଜ ଶେଷ ଲିଗ୍‌ ମ୍ୟାଚ୍‌ରେ କିଙ୍ଗ୍ସ ଏକାଦଶ ପଞ୍ଜାବ ପୂର୍ବ ବିଜେତା ଚେନ୍ନାଇ ସୁପରକିଙ୍ଗ୍ସକୁ ୫୩ ରନରେ ହରାଇଥିଲେ ପ୍ଲେ ଅଫ୍‌ ଯିବାର ସୁଯୋଗ ଥିଲେ ମଧ୍ୟ ଏହା ହୋଇ ନଥିଲା। ଚେନ୍ନାଇଠାରୁ ୫ ଓ୍ଵିକେଟରେ ହାରି ପଞ୍ଜାବ ନୈରାଶ୍ୟଜନକ ଭାବେ ସପ୍ତମ ସ୍ଥାନରେ ତା’ର ଅଭିଯାନ ଶେଷ କରିଥିଲା।

ସମ୍ବନ୍ଧିତ ଖବର