ନୂଆଦିଲ୍ଲୀ : ଭାରତରେ କ୍ରିକେଟ୍‌ ପରିଚାଳନାର ମୁଖ୍ୟ ବିସିସିଆଇ ନିଜକୁ ସବୁବ‌େଳେ ଏକ ଘରୋଇ ସଂଘ ବୋଲି ଦାବି କରିଆସୁଥିଲା ଏବଂ ଜାତୀୟ କ୍ରୀଡ଼ା ସଂଘର ମାନ୍ୟତାଠୁ ଦୂରେଇ ରହୁଥିଲା। ଏବେ କିନ୍ତୁ ‘ଜାତୀୟ ସ୍ବାର୍ଥ’ର ଦ୍ବାହି ଦେଇ ସୌରଭ ଗାଙ୍ଗୁଲି (ସଭାପତି) ଏବଂ ଜୟ ସାହା (ସମ୍ପାଦକ)ଙ୍କ କାର୍ଯ୍ୟକାଳକୁ ଲମ୍ବାଇବା ଲାଗି ନିଜ ସମ୍ବିଧାନରେ ସଂଶୋଧନ କରିବା ସହ ଉଚ୍ଚତମ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଛି। ଦ ୱେୟାର୍‌ରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ବିସିସିଆଇ ନିଜ ସମ୍ବିଧାନର ୬.୪ ଓ ୬.୫ ଧାରାରେ ପରିବର୍ତନ କରିବାକୁ ଉଦ୍ୟମ ଚଳାଇଛି। ୬.୪ ଧାରା ଅନୁସାରେ ଜଣେ କର୍ମକର୍ତା ଯଦି କୌଣସି ପଦବିକୁ ଲଗାତାର ଭାବେ ୨ ଥର ରଖିଛି (ରାଜ୍ୟ କିମ୍ବା ବିସିସିଆଇ) ତେବେ ସେ ୩ ବର୍ଷର ଶୀତଳିକରଣ ପରେ ହିଁ ସେହି ସଂଘର ନିର୍ବାଚନ ଲଢ଼ିପାରିବ। ଫଳରେ ଗତ ମାସରେ ସୌରଭ ଗାଙ୍ଗୁଲି ଏବଂ ଜୟ ସାହାଙ୍କ କାର୍ଯ୍ୟକାଳ ଶେଷ ହୋଇଥିବାରୁ ସେ ଆଉ ବିସିସିଆଇ ପଦରେ ଏବେ ରହିପାରିବେ ନାହିଁ। ବିସିସିଆଇ କୋଷାଧ୍ୟକ୍ଷ ଅରୁଣ ଧୁମାନି କିନ୍ତୁ ଅଦାଲତରେ କରିଥିବା ପିଟିସନ୍‌ର ଯୁକ୍ତି ବାଢ଼ିଛନ୍ତି ଯେ ‘ସମ୍ପୃକ୍ତ ବ୍ୟକ୍ତିଙ୍କୁ ରୋକାଗଲେ ଆୟୋଜନ କ୍ଷମତା ଭିତରେ ସେମାନେ ଅର୍ଜନ କରିଥିବା ଅଭିଜ୍ଞତା ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ପ୍ରଭାବିତ ହେବ। ଆର୍ଥିକ ପରିଚାଳନା ଓ ପ୍ରଶାସନିକ ଦକ୍ଷତା କାରଣରୁ କ୍ରିକେଟକୁ କ୍ଷତି ପହଞ୍ଚିବ। ତେଣୁ ଆମ ଦଳ ସମସ୍ତ କ୍ରିକେଟ୍‌ ଖେଳୁଥିବା ରାଷ୍ଟ୍ର ବିପକ୍ଷରେ ଖେଳୁଥିବାରୁ ଏହାକୁ ‘ସାଧାରଣ ସ୍ବାର୍ଥ’ ତଥା ‘ଜାତୀୟ ସ୍ବାର୍ଥ’ ଭାବେ ବିବେଚନା କରାଯାଉ’।

Advertisment

ଧାରା ୬.୫ ଅନୁସାରେ ୭୦ ବର୍ଷରୁ ଊର୍ଧ୍ବ ବୟସର କର୍ମକର୍ତାମାନଙ୍କୁ ଅଯୋଗ୍ୟ ଘୋଷଣା କରିବାର ନିୟମ ରହିଛି। କିନ୍ତୁ ଜିଲ୍ଲା, ରାଜ୍ୟ ସ୍ତରଠାରୁ ଆରମ୍ଭ କରି କ୍ରିକେଟ୍ ପ୍ରଶାସକମାନେ ପାଇଥିବା ଅଭିଜ୍ଞତାକୁ ଉପଯୋଗ କରି ସେମାନେ ବିସିସିଆଇକୁ ମଧ୍ୟ ବୃହତ୍ତର ଜାତୀୟ ସ୍ବାର୍ଥ ଲାଗି ବ୍ୟବହାର କରିପାରିବେ। ତେଣୁ ବୟସ ସୀମାରେ ବି ସଂଶୋଧନ କରାଯାଉ। ସର୍ବଦା ଜାତୀୟ କ୍ରୀଡ଼ା ସଂଘର ଦାୟିତ୍ବଠାରୁ ଦୂରେଇ ରହୁଥିବା ବିସିସିଆଇ ଏ କ୍ଷେତ୍ରରେ ମଧ୍ୟ ଏକ ଘରୋଇ ସଂଘ ଭୂମିକାଠାରୁ ନିଜକୁ ଦୂରେଇ ରଖୁଛି। ୨୦୦୪ ମସିହାରେ ଉଚ୍ଚତମ ନ୍ୟାୟାଳୟରେ ବିସିସିଆଇ ପରାମର୍ଶଦାତା କେ କେ ବେଣୁଗୋପାଳ କହିଥ‌ିଲେ, ‘ଯଦି ଭାରତ ଏବଂ ଇଂଲଣ୍ଡ ଖେଳୁଛନ୍ତି ତେବେ ଏହାକୁ ବିସିସିଆଇର ଦଳ ଧରାଯିବ, ଭାରତର ଦଳ ନୁହେଁ। ଆମେ ଜାତୀୟ ପତାକା ଉଡ଼ାଇ ନଥାଉ କି ବୋର୍ଡର କୌଣସି କାର୍ଯ୍ୟକଳାପରେ ଜାତୀୟ ପ୍ରତୀକ ବ୍ୟବହାର କରିନଥାଉ। ବିସିସିଆଇର ଏହି ଦୋମୁହାଁ ଆଚରଣ ସମ୍ପର୍କରେ କିନ୍ତୁ ପରିବର୍ତନର ଅସଲ ସୂତ୍ରଧର ବିଚାରପତି ଲୋଧା କୌଣସି ମତ ରଖିବାକୁ ମ‌ନା କରି ଦେଇଛନ୍ତି। ‘ମୁଁ କିଛି ପ୍ରତିକ୍ରିୟା ରଖିବା ଅର୍ଥ, ଏହା ବିସିସିଆଇ କାର୍ଯ୍ୟକଳାପର ନିନ୍ଦା ହେବ’ ବୋଲି କହି ବିଚାରପତି ଲୋଧା ଏଡ଼ାଇ ଯାଇଥିଲେ।