ମହିଳା ଚାଲେଞ୍ଜର ଟ୍ରଫିରେ ଓଡ଼ିଶାରୁ ପ୍ରିୟଙ୍କା: ପୂର୍ବାଞ୍ଚଳ ଅଧିନାୟିକା ମାଧୁରୀଙ୍କୁ ଅଣଦେଖା

ଭୁବନେଶ୍ବର: ଓଡ଼ିଶାର ପ୍ରଥମ ମହିଳା ଆନ୍ତର୍ଜାତିକ କ୍ରିକେଟର୍‌ ମାଧୁରୀ ମେହେଟାଙ୍କ ପ୍ରତି ପୁଣି ଅଣଦେଖା କରାଯାଇଛି। ଅନ୍ତଃଜୋନ୍‌ ଟ୍ବେଣ୍ଟି-୨୦ରେ ପୂର୍ବାଞ୍ଚଳର ନେତୃତ୍ବ ନେଇଥିବା ମାଧୁରୀ ଦଳ ତରଫରୁ ସର୍ବାଧିକ ସ୍କୋରର (୧୫୨) ହେବା ସତ୍ତ୍ବେ ତାଙ୍କୁ ଚାଲେଞ୍ଜର ଟ୍ରଫି ପାଇଁ ମନୋନୀତ କରାଯାଇନାହିଁ। ମଙ୍ଗଳବାର ବିସିସିଆଇ ପକ୍ଷରୁ ୪ ଦଳ ପାଇଁ ୫୬ ଜଣ ଖେଳାଳିଙ୍କ ତାଲିକା ଘୋଷଣା କରାଯାଇଥିଲା ବେଳେ ସେଥିରେ ଓଡ଼ିଶାରୁ କେବଳ ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁଙ୍କ ନାମ ସ୍ଥାନ ପାଇଛି। ସ୍ନେହ ରଣାଙ୍କ ନେତୃତ୍ବରେ ଚୟନ ହୋଇଥିବା ଭାରତ ‘ଡି’ ତରଫରୁ ପ୍ରିୟଙ୍କା ଖେଳିବେ। ହେଲେ ମାଧୁରୀ ପୂର୍ବାଞ୍ଚଳ ଦଳ ପକ୍ଷରୁ ଶ୍ରେଷ୍ଠ ପ୍ରଦର୍ଶନ ଦେଇଥିଲେ ବି ତାଙ୍କ ନାମକୁ ବିଚାରକୁ ନିଆଯାଇନାହିଁ।

ପୂର୍ବାଞ୍ଚଳ ପାଇଁ ଖେଳିଥିବା ୫ ମ୍ୟାଚ୍‌ରୁ କେବଳ ଉତ୍ତର-ପୂର୍ବାଞ୍ଚଳ ବିପକ୍ଷରେ ବିଜୟୀ ହୋଇଥିଲା। ତଥାପି ମ୍ୟାଚ୍‌ଗୁଡ଼ିକ ମଧ୍ୟରୁ ୪ଟି ପାଳିରେ ମାଧୁରୀ ବ୍ୟାଟିଂ କରିଥିଲେ। ସେଥିରୁ ପଶ୍ଚିମାଞ୍ଚଳ ବିପକ୍ଷରେ ୩୭, ଉତ୍ତରାଞ୍ଚଳ ବିପକ୍ଷରେ ୪୭*, ଦକ୍ଷିଣାଞ୍ଚଳ ବିପକ୍ଷରେ ୧୦ ଓ ଉତ୍ତର ପୂର୍ବାଞ୍ଚଳ ବିପକ୍ଷରେ ୫୮ ରନ୍‌ ସଂଗ୍ରହ କରିଥି‌ଲେ। କେବଳ ଚଳିତ ବର୍ଷ ନୁହେଁ ଗତ କିଛି ବର୍ଷ ଧରି ମାଧୁରୀ ‌ଭଲ ପ୍ରଦର୍ଶନ କରୁଥିବା ସତ୍ତ୍ବେ ତାଙ୍କୁ ଆଉ ଜାତୀୟ ଶିବିରକୁ ଡକରା ଆସୁନାହିଁ। ‘ସମ୍ବାଦ’ ସହିତ କଥା ହେବା ବେଳେ ମଧ୍ୟ ସେ ତାଙ୍କର କୋହକୁ ଚାପି ପାରିନଥିଲେ। ତାଙ୍କ କହିବା ଅନୁସାରେ, ପ୍ରତ୍ୟେକ ଥର ଭଲ ଖେଳୁଛି। ହେଲେ କ’ଣ ପାଇଁ ତାଙ୍କୁ ଚୟନ କରାଯାଉନାହିଁ ସେ ବୁଝିପାରୁନାହାନ୍ତି। ଯଦି ତାଙ୍କର ହାରାହାରି ରନ୍‌ କିମ୍ବା ଷ୍ଟ୍ରାଇକ୍‌ ରେଟ୍‌ରେ ଉନ୍ନତି ଆଣିବା ଆବଶ୍ୟକ ହେଉଛି, ସେ ବିଷୟରେ ତାଙ୍କୁ କୁହାଯିବା ଉଚିତ୍‌ ଥିଲା। ସେହି ଅନୁସାରେ ପ୍ରଦର୍ଶନ କରିବାକୁ ଉଦ୍ୟମ କରିବେ। ଯଦି ଖେଳରେ କିଛି ଖରାପ ରହୁଛି, ସେ ବିଷୟରେ ଜଣାଇଲେ ତାହାକୁ ଅଧିକ ମାର୍ଜିତ କରିବାକୁ‌ ଚେଷ୍ଟା କରନ୍ତେ। ହେଲେ କେହି କିଛି କହୁନଥିବାରୁ ଭଲ ଖେଳୁଥିଲେ ବି ନିରୁତ୍ସାହିତ ଲାଗୁଛି ବୋଲି ମାଧୁରୀ କହିଛନ୍ତି। ତଥାପି ଓସିଏ ଉପରେ ତାଙ୍କର ଭରସା ଅଛି। ଓସିଏରୁ ଉଚିତ୍‌ ସମର୍ଥନ ରହୁଥିବାରୁ ସେ କେବେ ବି ଆଶା ହରାଇନାହାନ୍ତି ଓ ଆଗକୁ ଆହୁରି ଭଲ ଖେଳିବାକୁ ଚେଷ୍ଟା ଜାରି ରଖିବେ ବୋଲି କହିଛନ୍ତି।

ଅନ୍ୟପକ୍ଷରେ ଗତ ବର୍ଷ ମହିଳା ଚାଲେଞ୍ଜର ଟ୍ରଫି (ଆଇପିଏଲ୍‌) ରେ ଖେଳିଥିବା ପ୍ରିୟଙ୍କାଙ୍କୁ ଚଳିତ ଥରର ବରିଷ୍ଠ ମହିଳା ଚାଲେଞ୍ଜର ଟ୍ରଫି ପାଇଁ ଚୟନ କରାଯାଇଥିବାରୁ ସେ ଅଧିକ ଉତ୍ସାହିତ ଅଛନ୍ତି। କାରଣ ପ୍ରଥମ କରି ମହିଳା ଆଇପିଏଲ୍‌ ହେବାକୁ ଥିବାରୁ ଚାଲେଞ୍ଜର ଟ୍ରଫିର ପ୍ରଦର୍ଶନକୁ ବିଚାରକୁ ନିଆଯିବ। ଅନ୍ତଃଜୋନ୍‌ରେ ୪ ମ୍ୟାଚ୍‌ ଖେଳିଥିବା ଓଡ଼ିଆ ଅଫ୍‌ସ୍ପିନର୍‌ ପ୍ରିୟଙ୍କା ୬.୪୭ ଇକୋନୋମିରେ ମାତ୍ର ୨ ୱିକେଟ୍‌ ନେଇଥିଲେ। କିନ୍ତୁ ଅନ୍ତଃରାଜ୍ୟରେ ୬ ମ୍ୟାଚ୍‌ରେ ବୋଲିଂ କରି ୩.୬୫ ଇକୋନୋମିରେ ୧୦ ୱିକେଟ୍‌ ନେଇଥିବାରୁ ତାଙ୍କୁ ଅନ୍ତଃଜୋନ୍‌ ପାଇଁ ମନୋନୀତ କରାଯାଇଥିଲା। ୱିକେଟ୍‌ କମ୍‌ ପାଉଥିଲେ ବି ଇକୋନୋମି ଉନ୍ନତମାନର ଏବଂ ନୂଆ ବଲ୍‌ରେ ଭଲ ପ୍ରଦର୍ଶନ କରିଆସୁଛନ୍ତି। ଏଥିପାଇଁ ତାଙ୍କ ନାମକୁ ବିଚାରକୁ ନିଆଯାଇଥାଇପାରେ ବୋଲି ସେ କହିଛନ୍ତି। ତାଙ୍କର ଏହି ମନୋନୟନ ପାଇଁ ଭୁବନେଶ୍ବରର ଜାଗୃତି କ୍ରିକେଟ ଏକାଡେମୀ (ଏସ୍‌ଜିଓ କ୍ଲବ୍‌, ନୟାପଲ୍ଲୀ) ପକ୍ଷରୁ ପ୍ରଶିକ୍ଷକ କ୍ଷୀରୋଦ ବେହେରା ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସୂଚନାଯୋଗ୍ୟ, ୪ ଦଳଙ୍କୁ ନେଇ ମହିଳା ଟ୍ବେଣ୍ଟି-୨୦ ଚାଲେଞ୍ଜର ଟ୍ରଫି ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବ। ତିନିଦିନ ଧରି ରାଉଣ୍ଡ ରବିନ୍‌ ପର୍ଯ୍ୟାୟରେ ମ୍ୟାଚ୍‌ ‌ଚାଲିବା ପରେ ଶ୍ରେଷ୍ଠ ଦୁଇ ଦଳଙ୍କୁ ନେଇ ୨୬ ତାରିଖରେ ଫାଇନାଲ୍‌ ଖେଳାଯିବ। ଏହି ପ୍ରତିଯୋଗିତା ପାଇଁ ପୁନମ ଯାଦବ ଭାରତ ଏ’, ଦୀପ୍ତି ଶର୍ମା ଭାରତ ବି’, ପୂଜା ଭସ୍ତ୍ରକାର ଭାରତ ସି’, ସ୍ନେହ ରଣା ଭାରତ ଡି’ ଦଳର ଅଧିନାୟିକା ନିଯୁକ୍ତ ହୋଇଛନ୍ତି।

ସମ୍ବନ୍ଧିତ ଖବର