ଗଲି କ୍ରିକେଟ୍‌ରୁ ପାରଙ୍ଗମ ପ୍ରିୟଙ୍କ‌ା

ଭୁବନେଶ୍ବର (ପ୍ରଫୁଲ୍ଲ କିଶୋର ସାହୁ): ଗୋଟିଏ ସାଧାରଣ ପରିବାରର ଝିଅ, କ୍ରିକେଟ୍‌ ପ୍ରତି ଅହେତୁକ ଦୁର୍ବଳତା। ୪ଟା ବାଜିଗଲେ ପୁଅମାନଙ୍କ ସହ ଟେନିସ୍‌ ବଲରେ ଗଲି କ୍ରିକେଟ୍‌ ଖେଳିବାକୁ ବାହାରି ପଡ଼ନ୍ତି। ଏଭଳି କ୍ରିକେଟ୍‌ ନିଶା ତାଙ୍କୁ ଭାରତୀୟ ମହିଳା କ୍ରିକେଟ୍‌ ଦଳର ସଦସ୍ୟା ହେବାର ନିକଟବର୍ତୀ କରିଛି। ଭାରତୀୟ ମହିଳା ଏ’ ପକ୍ଷରୁ ଖେଳିବାର ସୁଯୋଗ ପାଇସାରିଛନ୍ତି। ଏବେ ଜାତୀୟ ଦଳରେ ସ୍ଥାନ ପାଇବା ଲକ୍ଷ୍ୟ ରଖିଛନ୍ତି। ସେ ହେଉଛନ୍ତି ଚଳିତ ବର୍ଷର ସହିଦ ସ୍ପୋର୍ଟିଂ-ମାରୁତି ଇଷ୍ଟେଟ୍‌ ଇଣ୍ଡିଆ ମହିଳା କ୍ରିକେଟର୍‌ ଅଫ୍‌ ଦି ଇୟର ପୁରସ୍କାର ବିଜୟିନୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ। ଏହି ପୁରସ୍କାର ପାଇ ବହୁତ ଖୁସି, ଏହା ଖେଳାଳିଙ୍କ ମନୋବଳକୁ ଦୃଢ଼ କରବ ବୋଲି ପ୍ରିୟଙ୍କା କହିଛନ୍ତି। ଭାରତୀୟ ଏ’ ଦଳ ପକ୍ଷରୁ ବାଂଲାଦେଶ ବିପକ୍ଷରେ ୩ ଟିକିଆ ଦିନିକିଆ ଶୃଙ୍ଖଳାରୁ ୨ଟି ମ୍ୟାଚ୍‌ ଖେଳିବାର ସୁଯୋଗ ପାଇ ଆନ୍ତର୍ଜାତୀୟ ପ୍ରଦାର୍ପଣ କରିଥିଲେ ଓଡ଼ିଆ ଝିଅ ପ୍ରିୟଙ୍କା। ୨୦୧୭ରେ ଜାତୀୟ କ୍ରିକେଟ୍‌ ଏକାଡେମି‌ରେ ପ୍ରଶିକ୍ଷଣ ନେବା ଲାଗି ଚୟନ ହେବା ପରେ ତାଙ୍କୁ ଏହି ସୁ‌ଯୋଗ ମିଳିଥିଲା। ଏହା ପରେ ସେ ମଧ୍ୟ ଭାରତ ଗସ୍ତରେ ଆସିଥିବା ଇଂଲଣ୍ଡ ବିପକ୍ଷରେ ଏ’ ଦଳ ପକ୍ଷରୁ ଅଭ୍ୟାସ ମ୍ୟାଚ୍‌ ଖେଳିଥିଲେ।

ପୁଅଙ୍କ ଗହଣ ଗଲି କ୍ରିକେଟ୍‌
ପ୍ରିୟଙ୍କାଙ୍କ ଖେଳ ଜୀବନ ଆରମ୍ଭ ହୋଇଥିଲା ଗଲି କ୍ରିକେଟ୍‌ରୁ। ଟେନିସ୍‌ ବଲ୍‌ରେ ପୁଅମାନଙ୍କ ସାଙ୍ଗରେ ଖେଳୁଥିବା ପ୍ରିୟଙ୍କାଙ୍କ କ୍ରିକେଟ୍‌ ଆଗ୍ରହ ଦେଖି ଭଉଣୀ ଗୀତାଞ୍ଜଳି କଳିଙ୍ଗ ଷ୍ଟାଡିୟମରେ ମହିଳା କ୍ରିକେଟର୍‌ଙ୍କୁ ପ୍ରଶିକ୍ଷଣ ଦେଉଥିବା ପ୍ରଦୋଷ କୁମାର ମିଶ୍ରଙ୍କ ନିକଟରେ ପହଞ୍ଚାଇଥିଲେ। ସେହିଠାରୁ ଆରମ୍ଭ ହୋଇଥିଲା ତାଙ୍କ ଡ୍ୟୁଜ୍‌ ବଲ୍‌ କ୍ରିକେଟ୍‌ ଜୀବନ। ଏହା ପରଠୁ ସେ ଆଉ ପଛକୁ ଫେରି ଚାହିଁ ନଥିଲେ। ପ୍ରଦର୍ଶନ ବଳରେ ୨୦୦୭ରେ ହିଁ ସେ ଓଡ଼ିଶା ୧୯ ବର୍ଷରୁ କମ୍‌ ଦଳରେ ସ୍ଥାନ ପାଇଥିଲେ। ଏହାର ପରବର୍ଷ ୨୦୦୮ରେ ସେ ଓଡ଼ିଶା ବରିଷ୍ଠ ଦଳରେ ନିଜ ପାଇଁ ସ୍ଥାନ ସୁରକ୍ଷିତ କରି ନ‌େଇଥିଲେ।

ବୋଲିଂ ଓ ବ୍ୟାଟିଂ ଉପରେ ଧ୍ୟାନ
୨୦୦୯ରେ ପ୍ରଥମ ଥର ଲାଗି ଧର୍ମଶାଳାରେ ୧୯ ବର୍ଷରୁ କମ୍‌ ଭାରତୀୟ ଦଳ ଶିବିର ହୋଇଥିଲା। ସେଥିରେ ମୁଁ ସୁଯୋଗ ପାଇଥି‌ଲି। ୨୦୦୯-୧୦‌ ଋତୁରେ ପୂର୍ବାଞ୍ଚଳ ଦଳରେ ସ୍ଥାନ ପାଇଥିଲି। ଏହା ପରଠୁ ଆଉ ପଛକୁ ‌ଚାହିଁ ନଥିଲି। ୪ ବର୍ଷ କନିଷ୍ଠ ଦଳ ଏବଂ ଆଜି ପର୍ଯ୍ୟନ୍ତ ଓଡ଼ିଶା ବରିଷ୍ଠ ଦଳର ନିୟମିତ ସଦସ୍ୟା ହୋଇ ରହିଛି। ୨୦୧୭ରେ ଜାତୀୟ କ୍ରିକେଟ୍‌ ଏକାଡେମି‌ରେ ପ୍ରଶିକ୍ଷଣ ନେବା ଲାଗି ଚୟନ ହୋଇଥିଲି। ଏହାପରେ ଭାରତୀୟ ଏ ଦଳରେ ସ୍ଥାନ ପାଇଁ ବାଂଲାଦେଶ ବିପକ୍ଷ ୨ ମ୍ୟାଚ୍‌ ଖେଳିଥିଲି। କିନ୍ତୁ ୱିକେଟ୍‌ ପାଇନଥିଲି। ଇଂଲଣ୍ଡ ବିପକ୍ଷରେ ଅଭ୍ୟାସ ମ୍ୟାଚ୍‌ ଖେଳିଥିଲି କିନ୍ତୁ ସଫଳ ହୋଇ ନଥିଲି ବୋଲି ଅଫ୍‌ ସ୍ପିନ୍‌ ଅଲ୍‌ରାଉଣ୍ଡର ପ୍ରିୟଙ୍କା କହିଛନ୍ତି। ଗତ ବର୍ଷ ଟ୍ବେଣ୍ଟି-୨୦ ବିଜେତା ଓଡ଼ିଶା ଦଳର ସଦସ୍ୟା ହେବାର ଗୌରବ ପାଇଥିଲି। ଚଳିତ ବର୍ଷ ମୁଁ ସର୍ବଭାରତୀୟସ୍ତରରେ ସର୍ବାଧିକ ୱିକେଟ୍‌ ଦଖଲକାରୀ ହୋଇଥିଲି। ଅଲ୍‌ରାଉଣ୍ଡର ଭାବେ ବୋଲିଂକୁ ଅଧିକ ଧ୍ୟ‌ାନ ଦେଇଥାଏ ହେଲେ ବ୍ୟାଟିଂକୁ ବି ଗୁରୁତ୍ବ ଦେଇଥାଏ।

ଅନ୍ୟ ସଂସ୍ଥାରେ ଚାକିରି ମିଳୁ
ମହିଳା କ୍ରିକେଟ୍‌ରେ ସ୍ମୃତି ମାନ୍ଧାନା ଏବଂ ପୁରୁଷରେ ମହେନ୍ଦ୍ର ସିଂହ ଧୋନିଙ୍କ ଖେଳ ମୋର ପସନ୍ଦ ‌ବୋଲି କହିଛନ୍ତି ଓଡ଼ିଶା ପୁଲିସରେ କନେଷ୍ଟବଳ ଭାବେ କାର୍ଯ୍ୟରତ ପ୍ରିୟଙ୍କା। ୨୦୧୫-୧୬ ଋତୁରେ ଓଡ଼ିଶା ଦଳ ଏଲିଟ୍‌ ଦିନିକିଆରେ ଉପବିଜେତା ହୋଇଥିଲା। ଏହା ପରେ ସରକାରଙ୍କ ସୁପାରିସ ପରେ ମୋତେ ପୁଲିସ ବିଭାଗରେ କନେଷ୍ଟବଳ ଚାକିରି ମିଳିଥିଲା। ରେଳବାଇ କି ଆଉ କୌଣସି କର୍ପୋରେଟ୍‌ ସଂସ୍ଥାରେ କିଛି ସୁଯୋଗ ମିଳିଲେ ଭଲ ହୁଅନ୍ତା ବୋଲି ସେ କହିଛନ୍ତି।

ପରିବାର ଓ ପ୍ରଶିକ୍ଷକଙ୍କୁ ଶ୍ରେୟ
ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ନିଜ ଜନ୍ମସ୍ଥାନ ହୋଇଥିଲେ ମଧ୍ୟ ପ୍ରିୟଙ୍କା ନିଜ ପରିବାର ସହ ସଂପ୍ରତି ଭୁବନେଶ୍ବରର ଶାସ୍ତ୍ରୀ ନଗରରେ ରୁହନ୍ତି। କ୍ଷୀରୋଦ ବେହେରାଙ୍କ ତତ୍ବାବଧାନରେ ଜାଗୃତି କ୍ରିକେଟ୍‌ ଏକାଡେମିରେ ପ୍ରଶିକ୍ଷଣ ନେଉଛନ୍ତି ସେ। କ୍ରିକେଟର୍‌ ହେବାରେ ନିଜ ଭଉଣୀ ଓ ବାପା କିଶୋର ଚନ୍ଦ୍ର ସାହୁ ଏବଂ ମା’ ଗୌରୀ ସାହୁଙ୍କୁ ଶ୍ରେୟ ଦେଇଛନ୍ତି ପ୍ରିୟଙ୍କା।

ଭାରତ ବିଶ୍ବକପ୍‌ ବିଜେତା ହୋଇପାରେ
ଭାରତୀୟ ଦଳର ଭବିଷ୍ୟତ ଉଜ୍ବଳ ରହିଛି। ୨୦୧୭‌ରେ ବିଶ୍ବକପ୍‌ ଉପବିଜେତା ହେବା ପରେ ଭାରତୀୟ ମହିଳା କ୍ରିକେଟ୍‌ ଆଗକୁ ବଢ଼ିବାର ରାସ୍ତା ମିଳିଥିଲା। ଆମ ପାଖରେ ମିତାଲି ରାଜ ଏବଂ ଝୁଲଣ ଗୋସ୍ବାମୀଙ୍କ ଭଳି କିମ୍ବଦନ୍ତୀ କ୍ରିକେଟର୍‌ ରହିଥିଲେ ମଧ୍ୟ ପୁରା ଦଳର ପ୍ରଦର୍ଶନ ‌ଭଲ ନ‌ ହେବାରୁ ବିଫଳ ହେଉଛୁ। ଭାରତୀୟ ଦଳର ଫିଟ୍‌ନେସ୍‌ ଓ ‌କ୍ଷେତ୍ରରକ୍ଷଣ ଦୁର୍ବଳ ଥିବାରୁ ଏଥିରେ ଉନ୍ନତି ଆଣିବା ଲାଗି ବିସିସିଆଇ ଉଦ୍ୟମ କରୁଛି। ଆଗାମୀ ଦିନରେ ଭାରତ ବିଶ୍ବ ବିଜେତା ହୋଇପାରିବ ବୋଲି ସେ ଆଶା ରଖିଛନ୍ତି।

କ୍ଷେତ୍ରରକ୍ଷଣ ପ୍ରଶିକ୍ଷକ ଆଶା
ଯେପରି ଆମେ କ୍ରିକେଟ୍‌ ଖେଳି ‌ପୁଲିସରେ ଚାକିରି ପାଇଛୁ। ଏହାକୁ ଦେଖି ନିଶ୍ଚିତ ଆଗକୁ ଯଦି ରେଳବାଇ ଓ ବଡ଼ ବଡ଼ ସଂସ୍ଥାରେ ଚାକିରି ମିଳନ୍ତା ତେବେ ‌କ୍ରିକେଟ୍‌କୁ ବହୁ ଝିଅ ଖେଳିବାର ଆଗ୍ରହ ଦେଖାନ୍ତେ। ଏଥିସହ ଏବେ ‌ବି ମ୍ୟାଚ୍‌ ପାଉଣାରେ ବୃଦ୍ଧି ଘଟିଲାଣି। ଏହା ମହିଳା କ୍ରିକେଟ୍‌କୁ ଆଗକୁ ବଢ଼ାଇବାର ସହଯୋଗ କରିବ। ଭବିଷ୍ୟତ ନେଇ କୌଣସି ଯୋଜନା କରିନି। ଆଗକୁ ଯଦି ପ୍ରଶିକ୍ଷକ ହେବା ଲାଗି ସୁଯୋଗ ମିଳେ ତେବେ କ୍ଷେତ୍ରରକ୍ଷଣ ପ୍ରଶିକ୍ଷକ ହେବାକୁ ଆଗ୍ରହ ଦେଖାଇବି ବୋଲି କହିଛନ୍ତି ପ୍ରିୟଙ୍କା।

ସମ୍ବନ୍ଧିତ ଖବର